ନୂଆଦିଲ୍ଲୀ: କାକ୍ରୋଚ୍ ଜନତା ପାର୍ଟି ର ସଂସ୍ଥାପକ ଅଭିଜିତ୍ ଦୀପକେଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଛି। ଶୁକ୍ରବାର କନପ୍ଲେସ୍ସ୍ଥିତ ସେଣ୍ଟ୍ରାଲ ପାର୍କରେ CJP ପକ୍ଷରୁ ଆୟୋଜିତ ‘ଲହରା ଦୋ ତିରଙ୍ଗା’ ରାଲିକୁ ନେଇ ଦେଖାଦେଇଥିବା ଉତ୍ତେଜନା ପରେ ପୋଲିସ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଦୀପକେଙ୍କୁ ଶନିବାର ଏସଇଏମ୍ କୋର୍ଟରେ ହାଜର କରାଯିବ।
CJP ର ଆଇନଗତ ବ୍ୟାପାର ମୁଖ୍ୟ ରତ୍ନା ସିଂହ ସୋସିଆଲ ମିଡିଆ ‘X’ ରେ ପୋଷ୍ଟ କରି କହିଛନ୍ତି ଯେ, “ଅଭିଜିତ୍ଙ୍କୁ ଗିରଫ କରାଯାଇଛି ଏବଂ କୋର୍ଟରେ ହାଜର କରାଯିବ। ତେବେ ତାଙ୍କର ବର୍ତ୍ତମାନର ଅବସ୍ଥାନ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିନାହିଁ ଏବଂ ଆଇନଜୀବୀମାନେ ତାଙ୍କୁ ଭେଟିପାରି ନାହାନ୍ତି।”
ଦିଲ୍ଲୀର ମୁଖ୍ୟାଞ୍ଚଳଗୁଡ଼ିକରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ମଣ୍ଡି ହାଉସ୍ ନିକଟରୁ ଅଲ୍ ଇଣ୍ଡିଆ ଷ୍ଟୁଡେଣ୍ଟସ୍ ଆସୋସିଏସନ୍ (AISA) ର ନେତ୍ରୀ ନେହା ବୋରାଙ୍କୁ ମଧ୍ୟ ପୋଲିସ ଅଟକ ରଖିଥିଲା। ତେବେ କିଛି ସମୟ ପରେ ତାଙ୍କୁ ଛାଡ଼ି ଦିଆଯାଇଥିଲା।
ସୂଚନାଯୋଗ୍ୟ ଯେ, ଗତ ଅକ୍ଟୋବର ୧୩ ତାରିଖରେ ଜନ୍ତର ମନ୍ତର ପ୍ରତିବାଦ ସ୍ଥଳ ବାତିଲ ହେବା ପରେ ମଧ୍ୟ ସେଠାରେ ଜାତୀୟ ପତାକା ଉତ୍ତୋଳନ କରିଥିବା ଅଭିଯୋଗରେ CJP ସହ-ସଂଯୋଜକ ସୌରଭ ଦାସ ଏବଂ ଆଶୁତୋଷ ରାଙ୍କାଙ୍କୁ ୫ ଦିନିଆ ବିଚାରବିଭାଗୀୟ ହାଜତକୁ ପଠାଯାଇଥିଲା। ଏହାକୁ ନେଇ ବିରୋଧ ପ୍ରଦର୍ଶନ ଜାରି ରହିଥିଲା। ଗୋଟିଏ ସପ୍ତାହ ମଧ୍ୟରେ ଦୀପକେଙ୍କୁ ଦିଲ୍ଲୀ ପୋଲିସ ଦ୍ୱିତୀୟ ଥର ପାଇଁ ଅଟକ ରଖିଛି।
ରାଲି ପୂର୍ବରୁ ଦିଲ୍ଲୀ ପୋଲିସ ଭାରତୀୟ ନାଗରିକ ସୁରକ୍ଷା ସଂହିତା ର ଧାରା ୧୬୩ ଅଧୀନରେ ଦୀପକେଙ୍କୁ ନୋଟିସ୍ ଜାରି କରିଥିଲା। କନପ୍ଲେସ୍ କୌଣସି ଅନୁମୋଦିତ ବିକ୍ଷୋଭ ସ୍ଥଳ ନୁହେଁ ଏବଂ NDMC ପକ୍ଷରୁ ତିରଙ୍ଗା ଯାତ୍ରା ପାଇଁ କୌଣସି ଅନୁମତି ଦିଆଯାଇ ନାହିଁ ବୋଲି ପୋଲିସ ସ୍ପଷ୍ଟ କରିଥିଲା।
ପୋଲିସ ଜାତୀୟ ପତାକା ଆଦର ଓ ଫ୍ଲାଗ୍ କୋଡ୍ ର ନିୟମାବଳୀ ସମ୍ପର୍କରେ ମନେ ପକାଇ ଦେବା ସହ କହିଥିଲା ଯେ, ଜାତୀୟ ପତାକା ଉଡ଼ାଇବାରେ କୌଣସି ବାରଣ ନାହିଁ, କିନ୍ତୁ ଆଇନ ସଂଗତ ଅନୁମତି ବିନା ଭିଡ଼ ଜମାଇବା ଓ ଶୋଭାଯାତ୍ରା କରିବା ଆଇନଗତ ଅପରାଧ।




