ଶ୍ରୀନଗର: ଶୀତ ଋତୁ ପୂର୍ବରୁ ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀ ଅନୁପ୍ରବେଶ ଉଦ୍ୟମକୁ ନେଇ ସୁରକ୍ଷା ବାହିନୀ ସତର୍କ ହୋଇଉଠିଛି। ଏହି ସମୟରେ ଉତ୍ତର କାଶ୍ମୀରର କୁପୱାରା ଜିଲ୍ଲାର କେରାନ ସେକ୍ଟରରେ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିବା ସହ ଦୁଇ ଜଣ ଆତଙ୍କବାଦୀଙ୍କୁ ନିହତ କରାଯାଇଛି। ଅନ୍ୟ ଆତଙ୍କବାଦୀ ଲୁଚି ରହିଥିବା ଆଶଙ୍କାରେ ସେଠାରେ ସର୍ଚ୍ଚ ଅପରେସନ ଜାରି ରହିଛି।
ସୂଚନା ଅନୁଯାୟୀ, ନିୟନ୍ତ୍ରଣ ରେଖା (ଏଲ୍ଓସି) ନିକଟସ୍ଥ ଜୁମାଗୁଣ୍ଡ ଅଞ୍ଚଳରେ ଶନିବାର ଭୋର ସମୟରେ ଯବାନମାନେ ସନ୍ଦେହଜନକ ଗତିବିଧି ଦେଖିଥିଲେ। ଏହାପରେ ସୁରକ୍ଷା ବାହିନୀ ପକ୍ଷରୁ ଅଭିଯାନ ଆରମ୍ଭ ହୋଇଥିଲା। ଏହି ସମୟରେ ଆତଙ୍କବାଦୀମାନେ ଗୁଳିଚାଳନା କରିବାରୁ ଯବାନମାନେ ପାଲଟା ଜବାବ ଦେଇଥିଲେ। ଗୁଳିବିନିମୟରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଥିବା ଜଣେ ବରିଷ୍ଠ ପ୍ରତିରକ୍ଷା ଅଧିକାରୀ ସୂଚନା ଦେଇଛନ୍ତି।
ପିଓକେରେ ୫୦୦ ଆତଙ୍କବାଦୀ ଥିବା ଗୁଇନ୍ଦା ସୂଚନା
ପାକ୍ ଅଧିକୃତ କାଶ୍ମୀର (ପିଓକେ)ରେ ପ୍ରାୟ ୫୦୦ ଆତଙ୍କବାଦୀ ବିଭିନ୍ନ ଲଞ୍ଚପ୍ୟାଡ୍ରେ ଅନୁପ୍ରବେଶ ପାଇଁ ଅପେକ୍ଷା କରିଥିବା ଗୁଇନ୍ଦା ସୂଚନା ମିଳିଥିବା ରିପୋର୍ଟରେ ଦର୍ଶାଯାଇଛି। ଶୀତ ଋତୁରେ ପ୍ରବଳ ତୁଷାରପାତ ଯୋଗୁଁ ଉଚ୍ଚ ପାହାଡ଼ିଆ ଅଞ୍ଚଳର ଅନେକ ରାସ୍ତା ବନ୍ଦ ହୋଇଯାଏ। ତେଣୁ ଏହା ପୂର୍ବରୁ ଆତଙ୍କବାଦୀମାନେ ଭାରତୀୟ ସୀମାକୁ ପ୍ରବେଶ କରିବାକୁ ଉଦ୍ୟମ କରିପାରନ୍ତି ବୋଲି ଆଶଙ୍କା କରାଯାଉଛି।
ସୀମାରେ ସୁରକ୍ଷା କଡ଼ାକଡ଼ି
ସମ୍ଭାବ୍ୟ ଅନୁପ୍ରବେଶକୁ ରୋକିବା ପାଇଁ ଭାରତୀୟ ସେନା ଓ ସୀମା ସୁରକ୍ଷା ବାହିନୀକୁ ସତର୍କ ରହିବାକୁ କୁହାଯାଇଛି। ଏଲ୍ଓସି ନିକଟରେ ନଜରଦାରି ଏବଂ ଅନୁପ୍ରବେଶ ବିରୋଧୀ ଅଭିଯାନକୁ ଜୋରଦାର କରାଯାଇଛି। ତେବେ, ପିଓକେରେ ୫୦୦ ଆତଙ୍କବାଦୀ ଥିବା ସୂଚନା ସ୍ୱତନ୍ତ୍ର ଭାବେ ନିଶ୍ଚିତ ହୋଇନାହିଁ।




