ନୂଆଦିଲ୍ଲୀ: ଚାକିରି ଖୋଜୁଥିବା ଯୁବକଯୁବତୀଙ୍କ ପାଇଁ ସୁଯୋଗ। ନ୍ୟାସନାଲ୍‌ ଇନ୍‌ସ୍ୟୁରାନ୍ସ କମ୍ପାନି ଲିମିଟେଡ୍‌ (NICL) ପକ୍ଷରୁ ଆଡ୍‌ମିନିଷ୍ଟ୍ରେଟିଭ୍‌ ଅଫିସର (AO) ସ୍କେଲ୍‌-୧ ପଦବିରେ ୩୨୧ ଜଣଙ୍କୁ ନିଯୁକ୍ତି ଦିଆଯିବ। ଏଥିପାଇଁ ଅନଲାଇନ୍‌ ଆବେଦନ ପ୍ରକ୍ରିୟା ଅକ୍ଟୋବର ୮ରୁ ଆରମ୍ଭ ହୋଇଛି। ଆବେଦନ କରିବାର ଶେଷ ତାରିଖ ଅକ୍ଟୋବର ୨୮ ରହିଛି।

ପଦବି ଓ ଯୋଗ୍ୟତା

ମୋଟ ୩୨୧ଟି ପଦବି ମଧ୍ୟରୁ ୨୦୦ଟି ଜେନେରାଲିଷ୍ଟ ଏବଂ ୧୨୧ଟି ସ୍ପେଶାଲିଷ୍ଟ ପଦବି ରହିଛି। ସ୍ପେଶାଲିଷ୍ଟ ପଦବିଗୁଡ଼ିକ ମଧ୍ୟରେ ଫାଇନାନ୍ସ, ଆଇନ, ସୂଚନା ପ୍ରଯୁକ୍ତିବିଦ୍ୟା, ଅଟୋମୋବାଇଲ୍‌ ଇଞ୍ଜିନିୟରିଂ, ରିସ୍କ ଇଞ୍ଜିନିୟରିଂ, କମ୍ପାନି ସେକ୍ରେଟାରୀ ଓ କୃଷି ଭଳି ବିଭାଗ ରହିଛି।

ଜେନେରାଲିଷ୍ଟ ପଦବି ପାଇଁ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସ୍ନାତକ କିମ୍ବା ସ୍ନାତକୋତ୍ତର ଡିଗ୍ରି ଆବଶ୍ୟକ। ତେବେ, ପ୍ରତ୍ୟେକ ସ୍ପେଶାଲିଷ୍ଟ ପଦବି ପାଇଁ ନିର୍ଦ୍ଦିଷ୍ଟ ଶିକ୍ଷାଗତ ଯୋଗ୍ୟତା ରହିଛି।

ବୟସ ସୀମା ଓ ଆବେଦନ ଶୁଳ୍କ

୧ ଅକ୍ଟୋବର ୨୦୨୬ ସୁଦ୍ଧା ପ୍ରାର୍ଥୀଙ୍କ ବୟସ ୨୧ରୁ ୩୦ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। ସଂରକ୍ଷିତ ବର୍ଗର ପ୍ରାର୍ଥୀଙ୍କୁ ନିୟମ ଅନୁଯାୟୀ ବୟସ ସୀମାରେ ରିହାତି ମିଳିବ।

ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଓ ଦିବ୍ୟାଙ୍ଗ ପ୍ରାର୍ଥୀଙ୍କ ପାଇଁ ଆବେଦନ ଶୁଳ୍କ ୨୫୦ ଟଙ୍କା ରହିଛି। ଅନ୍ୟ ପ୍ରାର୍ଥୀଙ୍କୁ ୧,୦୦୦ ଟଙ୍କା ଦେବାକୁ ପଡ଼ିବ।

କେବେ ହେବ ପରୀକ୍ଷା?

ନିଯୁକ୍ତି ପ୍ରକ୍ରିୟାରେ ଦୁଇଟି ପର୍ଯ୍ୟାୟରେ ଅନଲାଇନ୍‌ ପରୀକ୍ଷା ଏବଂ ପରେ ସାକ୍ଷାତକାର ରହିଛି।

  • ପ୍ରଥମ ପର୍ଯ୍ୟାୟ ପରୀକ୍ଷା: ନଭେମ୍ବର ୧୭, ୨୦୨୬
  • ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା: ଡିସେମ୍ବର ୨୨, ୨୦୨୬

କିପରି କରିବେ ଆବେଦନ?

ଇଚ୍ଛୁକ ପ୍ରାର୍ଥୀମାନେ NICLର ଅଫିସିଆଲ୍‌ ୱେବ୍‌ସାଇଟ୍‌ nationalinsurance.nic.co.in/recruitment⁠କୁ ଯାଇ ଆବେଦନ କରିପାରିବେ। ୱେବ୍‌ସାଇଟ୍‌ରେ ‘Recruitment’ ବିଭାଗରୁ ସମ୍ପୃକ୍ତ ନିଯୁକ୍ତି ବିଜ୍ଞପ୍ତି ଚୟନ କରି ‘Apply Online’ ଉପରେ କ୍ଲିକ୍‌ କରିବାକୁ ହେବ। ନୂଆ ପଞ୍ଜୀକରଣ କରି ଆବଶ୍ୟକ ତଥ୍ୟ ଓ ଦସ୍ତାବିଜ୍‌ ଦାଖଲ ସହ ନିର୍ଦ୍ଧାରିତ ଶୁଳ୍କ ଦେବାକୁ ପଡ଼ିବ।

ଆବେଦନ କରିବା ପୂର୍ବରୁ ପ୍ରାର୍ଥୀମାନେ ଅଫିସିଆଲ୍‌ ବିଜ୍ଞପ୍ତିରେ ନିଜ ପଦବିର ଯୋଗ୍ୟତା ଓ ଅନ୍ୟାନ୍ୟ ସର୍ତ୍ତାବଳୀ ଯାଞ୍ଚ କରିନେବା ଉଚିତ।