ଚେନ୍ନାଇ: ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ବାତିଲ ଏବଂ ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ ହଟାଇବା ଦାବିରେ କକ୍ରୋଚ୍‌ ଜନତା ପାର୍ଟି (ସିଜେପି) ଚଳାଇଥିବା ଆନ୍ଦୋଳନକୁ ସମର୍ଥନ ଜଣାଇଛି ଡିଏମ୍‌କେ। ତେବେ କଂଗ୍ରେସ ସହ ମିଶି କୌଣସି ଆନ୍ଦୋଳନ କିମ୍ବା କାର୍ଯ୍ୟକ୍ରମରେ ଦଳ ଯୋଗ ଦେବ ନାହିଁ ବୋଲି ସ୍ପଷ୍ଟ କରିଛି।

ଶନିବାର ଡିଏମ୍‌କେ ସଭାପତି ତଥା ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନ୍‌ଙ୍କ ଅଧ୍ୟକ୍ଷତାରେ ଦଳର ସାଂସଦମାନଙ୍କ ବୈଠକ ହୋଇଥିଲା। ଏଥିରେ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କୁ ପଦରୁ ହଟାଇବା, ଏସ୍‌ଆଇଆର୍‌ ପ୍ରକ୍ରିୟା ବାତିଲ କରିବା ଏବଂ ବାଲାଟ୍‌ ପେପର୍‌ରେ ମତଦାନ କରାଇବା ଦାବିକୁ ସମର୍ଥନ କରିବା ପାଇଁ ନିଷ୍ପତ୍ତି ହୋଇଥିଲା।

ସିଜେପିକୁ ଆଇନଗତ ସହାୟତା ଦେବ ଡିଏମ୍‌କେ

ଡିଏମ୍‌କେ ସାଂସଦ କାନିମୋଝି କହିଛନ୍ତି ଯେ ତାଙ୍କ ଦଳ ସିଜେପି ଓ ଅନ୍ୟ ଛାତ୍ର ସଂଗଠନଗୁଡ଼ିକର ଆନ୍ଦୋଳନକୁ ସମର୍ଥନ କରିବ। ଆନ୍ଦୋଳନକାରୀଙ୍କ ବିରୋଧରେ ସରକାରଙ୍କ କାର୍ଯ୍ୟାନୁଷ୍ଠାନ ଯୁବପିଢ଼ିଙ୍କ ମନୋବଳକୁ ଦୁର୍ବଳ କରିବା ପରିବର୍ତ୍ତେ ଆହୁରି ଦୃଢ଼ କରିବ ବୋଲି ଷ୍ଟାଲିନ୍‌ କହିଛନ୍ତି। ସିଜେପିର ଆନ୍ଦୋଳନରେ ଦଳ ଆବଶ୍ୟକ ଆଇନଗତ ସହାୟତା ମଧ୍ୟ ଯୋଗାଇଦେବ।

କଂଗ୍ରେସଠାରୁ ଦୂରତା ବଜାୟ ରଖିବ ଦଳ

ତାମିଲନାଡୁର ରାଜନୈତିକ ପରିସ୍ଥିତିକୁ ନେଇ ଡିଏମ୍‌କେ ଓ କଂଗ୍ରେସ ମଧ୍ୟରେ ମତଭେଦ ବଢ଼ିଛି। ଡିଏମ୍‌କେ କଂଗ୍ରେସକୁ ମେଣ୍ଟ ଧର୍ମ ଉଲ୍ଲଂଘନ କରିଥିବା ଅଭିଯୋଗ କରିଛି। ଏହି କାରଣରୁ ନିର୍ବାଚନ କମିସନଙ୍କ ବିରୋଧରେ କଂଗ୍ରେସ ନେତୃତ୍ୱରେ ହେଉଥିବା କାର୍ଯ୍ୟକ୍ରମରେ ଡିଏମ୍‌କେ ଯୋଗ ଦେବ ନାହିଁ।

ଏସ୍‌ଆଇଆର୍‌କୁ ନେଇ ଦେଶରେ ରାଜନୈତିକ ବିବାଦ ତୀବ୍ର ହେଉଥିବା ବେଳେ ଡିଏମ୍‌କେର ଏହି ନିଷ୍ପତ୍ତି ବିରୋଧୀ ରାଜନୀତିରେ ନୂଆ ସମୀକରଣ ସୃଷ୍ଟି କରିବାର ସଙ୍କେତ ଦେଉଛି।