ହର୍ମୁଜ୍: ରଣନୀତିକ ଗୁରୁତ୍ୱପୂର୍ଣ୍ଣ ହର୍ମୁଜ୍ ପ୍ରଣାଳୀରେ ପୁଣି ଏକ ବଡ଼ ବିସ୍ଫୋରଣ ଘଟିଛି। ପ୍ରାୟ ୨୦ ଲକ୍ଷ ବ୍ୟାରେଲ୍ ଅଶୋଧିତ ତୈଳ ବହନ କରୁଥିବା ଏକ ବିଶାଳ ତୈଳବାହୀ ଜାହାଜ ସମୁଦ୍ରରେ ପୋତାଯାଇଥିବା ମାଇନ୍ରେ ଧକ୍କା ହେବା ପରେ ଏଥିରେ ବିସ୍ଫୋରଣ ଓ ଭୟାବହ ଅଗ୍ନିକାଣ୍ଡ ଘଟିଥିବା ଇରାନର ରିଭୋଲ୍ୟୁସନାରି ଗାର୍ଡସ (ଆଇଆର୍ଜିସି) ଦାବି କରିଛି। ଶନିବାର ଏହି ଘଟଣା ଘଟିଥିବା ଇରାନର ସରକାରୀ ଗଣମାଧ୍ୟମ ସୂଚନା ଦେଇଛି।
ଇରାନର ଅନୁମତି ନଥିବା ମାର୍ଗରେ ଯାଉଥିଲା ଜାହାଜ!
ଆଇଆର୍ଜିସିର ଅଭିଯୋଗ ଅନୁଯାୟୀ, ଟ୍ୟାଙ୍କରଟି ଇରାନ ଅନୁମୋଦନ କରିନଥିବା ଏକ ମାର୍ଗ ଦେଇ ଯାତ୍ରା କରୁଥିଲା। ଇରାନର ସାମୁଦ୍ରିକ କର୍ତ୍ତୃପକ୍ଷଙ୍କ ନଜରରୁ ବର୍ତ୍ତିବା ପାଇଁ ଜାହାଜଟି ନିଜର ଅବସ୍ଥିତି ଚିହ୍ନଟ ବ୍ୟବସ୍ଥା ଓ ରାଡାର ବନ୍ଦ କରିଦେଇଥିଲା ବୋଲି ଆଇଆର୍ଜିସି କହିଛି।
ମାଇନ୍ରେ ଧକ୍କା ହେବା ପରେ ଜାହାଜର ଇଞ୍ଜିନ୍ ରୁମ୍ରେ ବଡ଼ ବିସ୍ଫୋରଣ ଘଟିଥିବା ଏବଂ ଏହା ଅଚଳ ହୋଇପଡ଼ିଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ତେବେ ଜାହାଜର ନାମ, କର୍ମଚାରୀଙ୍କ ସ୍ଥିତି, ମୃତାହତଙ୍କ ସଂଖ୍ୟା କିମ୍ବା ତୈଳ ଲିକ୍ ହୋଇଛି କି ନାହିଁ, ସେ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିନାହିଁ।
ବାଣିଜ୍ୟିକ ଜାହାଜ ଚଳାଚଳକୁ ନେଇ ଚିନ୍ତା
ହର୍ମୁଜ୍ ପ୍ରଣାଳୀ ବିଶ୍ୱର ଅନ୍ୟତମ ପ୍ରମୁଖ ତୈଳ ପରିବହନ ଜଳପଥ। ଏଠାରେ ଲଗାତାର ଆକ୍ରମଣ ଓ ମାଇନ୍ ବିସ୍ଫୋରଣ ଘଟଣା ଯୋଗୁଁ ଅନ୍ତର୍ଜାତୀୟ ଜାହାଜ ଚଳାଚଳ ଏବଂ ବିଶ୍ୱ ତୈଳ ଯୋଗାଣକୁ ନେଇ ଚିନ୍ତା ବଢ଼ିଛି।
ଇରାନ ଏହି ଜଳପଥରେ ଜାହାଜ ଚଳାଚଳ ଉପରେ କଟକଣା ଲଗାଇଥିବା ବେଳେ ଆମେରିକା ଓ ଏହାର ସହଯୋଗୀ ଦେଶଗୁଡ଼ିକ ସାମୁଦ୍ରିକ ଯାତାୟାତର ସ୍ୱାଧୀନତା ଉପରେ ଗୁରୁତ୍ୱ ଦେଉଛନ୍ତି। ଏହି ପରିସ୍ଥିତିରେ ଆଉ ଏକ ତୈଳବାହୀ ଜାହାଜରେ ବିସ୍ଫୋରଣ ଘଟଣା ଆଞ୍ଚଳିକ ସୁରକ୍ଷା ଚିନ୍ତାକୁ ବଢ଼ାଇଛି।




