ଭୁବନେଶ୍ୱର: ବ୍ରହ୍ମପୁରସ୍ଥିତ ଏମକେସିଜି (MKCG) ମେଡିକାଲ କଲେଜ ଓ ହସ୍ପିଟାଲରେ ଜନ୍ମଗ୍ରହଣ କରିଥିବା ଦୁଇ ମୁଣ୍ଡ ଏବଂ ଗୋଟିଏ ଶରୀର ଥିବା ଯୋଡ଼ା ଶିଶୁର ରବିବାର ମୃତ୍ୟୁ ଘଟିଛି। ସ୍ପେଶାଲ ନ୍ୟୁବୋର୍ଣ୍ଣ କେୟାର ୟୁନିଟ୍ (SNCU) ରେ ବିଶେଷଜ୍ଞ ଡାକ୍ତରୀ ଟିମ୍ଙ୍କ ପ୍ରତ୍ୟକ୍ଷ ତଦାରଖ ମଧ୍ୟରେ ୭ ଦିନ ଧରି ଚିକିତ୍ସିତ ହେବା ପରେ ଶିଶୁଟି ଆଖି ବୁଜିଥିବା ହସ୍ପିଟାଲ ସୂତ୍ରରୁ ପ୍ରକାଶ ପାଇଛି।
ସୂଚନାଯୋଗ୍ୟ ଯେ, କନ୍ଧମାଳ ଜିଲ୍ଲାର ଜଣେ ୨୨ ବର୍ଷୀୟା ମହିଳା ଗତ ଅକ୍ଟୋବର ୧୧ ତାରିଖରେ ଏହି ସନ୍ତାନକୁ ଜନ୍ମ ଦେଇଥିଲେ। ଗର୍ଭାବସ୍ଥାର ୩୨ ସପ୍ତାହରୁ ଅଧିକ ସମୟ ହୋଇଥିବା ବେଳେ ସିଜେରିଆନ୍ (C-section) ମାଧ୍ୟମରେ ଏହି ପ୍ରି-ମାଚ୍ୟୁଅର୍ ପୁତ୍ର ଶିଶୁଟିର ଜନ୍ମ ହୋଇଥିଲା। ଜନ୍ମ ସମୟରେ ଶିଶୁଟିର ଓଜନ ୨.୨୫ କିଲୋଗ୍ରାମ ରହିଥିଲା।
ଏମକେସିଜି ମେଡିକାଲ କଲେଜ ସୁପରିଣ୍ଟେଣ୍ଡେଣ୍ଟଙ୍କ ଅନୁଯାୟୀ, ଶିଶୁଟିର ଏହି ସ୍ୱାସ୍ଥ୍ୟାବସ୍ଥାକୁ ଡାକ୍ତରୀ ଭାଷାରେ ‘ଡାଇସେଫାଲିକ୍ ପାରାପାଗସ୍’ କୁହାଯାଏ। ଏହା ଯୋଡ଼ା ଶିଶୁ ଜନ୍ମ ହେବାର ଏକ ଅତ୍ୟନ୍ତ ଦୁର୍ଲଭ ସ୍ଥିତି, ଯେଉଁଥିରେ ଗୋଟିଏ ଶରୀରରେ ଦୁଇଟି ମୁଣ୍ଡ ପାଖାପାଖି ହୋଇ ଯୋଡ଼ି ହୋଇ ରହିଥାଏ। ଏପରି କ୍ଷେତ୍ରରେ ଶରୀରର ଆଭ୍ୟନ୍ତରୀଣ ଅଙ୍ଗପ୍ରତ୍ୟଙ୍ଗ ଭାଗବଣ୍ଟା ହେବାର ପରିମାଣ ଭିନ୍ନ ଭିନ୍ନ ହୋଇଥାଏ।
ଜନ୍ମ ପରଠାରୁ ଶିଶୁଟିକୁ SNCU ରେ ରଖାଯାଇଥିଲା, ଯେଉଁଠାରେ ଶିଶୁରୋଗ ବିଶେଷଜ୍ଞମାନେ ତାହାର ଶ୍ୱାସକ୍ରିୟା, ହୃଦ୍ସ୍ପନ୍ଦନ ଏବଂ ଅନ୍ୟାନ୍ୟ ଜରୁରୀ ପାରାମିଟର ଉପରେ ୨୪ ଘଣ୍ଟିଆ ନଜର ରଖିଥିଲେ। ମାତ୍ର ସମସ୍ତ ଚେଷ୍ଟା ସତ୍ତ୍ୱେ ଶିଶୁଟିକୁ ବଞ୍ଚାଯାଇ ପାରିନି।




