କଲିକତା: ପଶ୍ଚିମବଙ୍ଗର ପଶ୍ଚିମ ବର୍ଦ୍ଧମାନ ଜିଲ୍ଲାସ୍ଥିତ ଜାମୁରିଆ ଅଞ୍ଚଳରେ ଏକ ବେସରକାରୀ ସ୍ପଞ୍ଜ ଆଇରନ୍ କାରଖାନାର ନିର୍ମାଣାଧୀନ ଚିମନୀ ଭୁଶୁଡ଼ି ପଡ଼ିବାରୁ ଅନ୍ତତଃ ୪ ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ଜଣେ ଶ୍ରମିକ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି। କାରଖାନା ପରିସରରେ ନିରାପତ୍ତା ନିୟମାବଳୀର ଉଲ୍ଲଂଘନ ଏବଂ ନିର୍ମାଣ ଗୁଣବତ୍ତାକୁ ନେଇ ଅସନ୍ତୋଷ ପ୍ରକାଶ ପାଇବା ପରେ ସ୍ଥାନୀୟ ଲୋକ ଓ ପୋଲିସ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି।
ସୂଚନାଯୋଗ୍ୟ ଯେ, ଶନିବାର ରାତିରେ ଜାମୁରିଆସ୍ଥିତ ଶ୍ୟାମସେଲ୍ କାରଖାନାର ୟୁନିଟ୍-୩ ରେ ନୂତନ ଚିମନୀ ନିର୍ମାଣ କାର୍ଯ୍ୟ ଚାଲିଥିଲା। ସେହି ସମୟରେ କିଛି ଶ୍ରମିକ ଉପରେ କାମ କରୁଥିବା ବେଳେ ହଠାତ୍ ସମ୍ପୂର୍ଣ୍ଣ ଚିମନୀଟି ଭୁଶୁଡ଼ି ପଡ଼ିଥିଲା। ଫଳରେ ସେଠାରେ କାର୍ଯ୍ୟରତ ଶ୍ରମିକମାନେ ମାଟି ଓ କଂକ୍ରିଟ୍ ଆବର୍ଜନା ତଳେ ଚାପି ହୋଇଯାଇଥିଲେ। ବିକଟାଳ ଶବ୍ଦ ଶୁଣି ଅନ୍ୟ ଶ୍ରମିକମାନେ ପ୍ରଥମେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ପରେ ପୋଲିସ, ଅଗ୍ନିଶମ ବାହିନୀ ଏବଂ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ଅଭିଯାନକୁ ତ୍ୱରାନ୍ୱିତ କରିଥିଲେ।
ଦୀର୍ଘସମୟର ଅକ୍ଲାନ୍ତ ଉଦ୍ଧାର କାର୍ଯ୍ୟ ପରେ ୫ ଜଣ ଶ୍ରମିକଙ୍କୁ ଆବର୍ଜନା ତଳୁ କାଢ଼ି ହସ୍ପିଟାଲ ପଠାଯାଇଥିଲା। ତେବେ ଡାକ୍ତର ସେମାନଙ୍କ ମଧ୍ୟରୁ ୪ ଜଣଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟ ଜଣେ ଗୁରୁତର ଆହତ ଶ୍ରମିକଙ୍କୁ ଦୁର୍ଗାପୁରର ଏକ ବେସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ମୃତକଙ୍କ ମଧ୍ୟରୁ ଦୁଇଜଣଙ୍କୁ ଜାମୁରିଆର ସୁକାନ୍ତ ପାଲ୍ ଏବଂ ବଳରାମ ମଣ୍ଡଳ ଭାବେ ଚିହ୍ନଟ କରାଯାଇଛି। ତୃତୀୟ ଶ୍ରମିକ ଜଣକ ଆସାମର ବୋଲି ଜଣାପଡ଼ିଥିବା ବେଳେ ଚତୁର୍ଥ ଶ୍ରମିକଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି।
ଏହି ଦୁର୍ଘଟଣା ଖବର ପ୍ରଚାରିତ ହେବା ପରେ ମୃତାହତଙ୍କ ପରିବାରବର୍ଗ ଏବଂ ସ୍ଥାନୀୟ ବାସିନ୍ଦା କାରଖାନା ଗେଟ୍ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଉତ୍ତ୍ୟକ୍ତ ଲୋକଙ୍କ ସହ ପୋଲିସର ଧସ୍ତାଧସ୍ତି ହୋଇଥିଲା। ଘଟଣାସ୍ଥଳରେ ଜାମୁରିଆ ବିଧାୟକ ବିଜନ ମୁଖାର୍ଜୀ ଏବଂ ଆସନସୋଲ-ଦୁର୍ଗାପୁର ପୋଲିସ କମିଶନର ପ୍ରଣବ କୁମାର ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିଲେ।
ନିର୍ମାଣ କାର୍ଯ୍ୟ ସମୟରେ ନିରାପତ୍ତା ବ୍ୟବସ୍ଥାରେ କୌଣସି ଅବହେଳା କରାଯାଇଛି କି ନାହିଁ, ସେ ନେଇ ଆନୁଷ୍ଠାନିକ ତଦନ୍ତ ଆରମ୍ଭ ହୋଇଛି। ମୃତକଙ୍କ ପରିବାରକୁ ଉଚିତ କ୍ଷତିପୂରଣ ଏବଂ ଆହତଙ୍କୁ ସମୁଚିତ ଚିକିତ୍ସା ଯୋଗାଇଦେବା ପାଇଁ କାରଖାନା କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରାଯିବ ବୋଲି ବିଧାୟକ ଆଶ୍ୱାସନା ଦେଇଛନ୍ତି।




