ଭୁବନେଶ୍ୱର: ମ୍ୟାଟ୍ରିମୋନିଆଲ୍ ଆପ୍ରେ ନିଜକୁ ଛତିଶଗଡ଼ ସରକାରଙ୍କ ଅତିରିକ୍ତ ସଚିବ ପଦବୀର ପ୍ରଶାସନିକ ଅଧିକାରୀ ଭାବେ ପରିଚୟ ଦେଇ ଜଣେ ନର୍ସଙ୍କଠାରୁ ୧୫ ଲକ୍ଷ ଟଙ୍କା ଠକିନେବା ଅଭିଯୋଗରେ ପୁରୀ ଜିଲ୍ଲା ପୋଲିସ ଜଣେ ଶାତିର ସାଇବର୍ ଠକକୁ ଗିରଫ କରିଛି। ଗିରଫ ଅଭିଯୋଗକାରୀ ଅନୁଗୋଳ ଜିଲ୍ଲା ଟାଉନ୍ ଥାନା ଅନ୍ତର୍ଗତ ମାଟିଆସାହିର ୪୪ ବର୍ଷୀୟ ବଳଭଦ୍ର ପ୍ରସାଦ ମିଶ୍ର ବୋଲି ପୁରୀ ଏସ୍ପି ପ୍ରତୀକ ସିଂହ ସୋମବାର ସମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
ସୂଚନା ଅନୁଯାୟୀ, ‘ଭାରତ ମ୍ୟାଟ୍ରିମୋନି’ ଆପ୍ ମାଧ୍ୟମରେ ଅଭିଯୁକ୍ତ ଜଣକ ପୀଡ଼ିତା ନର୍ସଙ୍କ ସହ ସମ୍ପର୍କ ସ୍ଥାପନ କରିଥିଲା। ପୀଡ଼ିତାଙ୍କ ଭଉଣୀକୁ ସରକାରୀ ଚାକିରି ଦେବାର ପ୍ରଲୋଭନ ଦେଖାଇ ସେ ଟଙ୍କା ନେଇଥିଲା। ପରବର୍ତ୍ତୀ ସମୟରେ ମହିଳା ଜଣକ ସନ୍ଦେହ କରିବାରୁ ତାଙ୍କୁ କେବିଜି ଅଞ୍ଚଳକୁ ବଦଳି କରିଦେବାକୁ ଧମକ ମଧ୍ୟ ଦେଇଥିଲା।
ଏସ୍ପି ପ୍ରତୀକ ସିଂହ ଜଣାଇଛନ୍ତି ଯେ, ଅଭିଯୁକ୍ତ ବଳଭଦ୍ର ମହିଳାଙ୍କୁ ବାଧ୍ୟ କରି ଏସ୍ବିଆଇ, ଏଚ୍ଡିଏଫ୍ସି ଏବଂ ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କରେ ୩ଟି ବ୍ୟାଙ୍କ ଆକାଉଣ୍ଟ ଖୋଲାଇଥିଲା। ପରେ ମହିଳାଙ୍କ ଅଜାଣତରେ ସେହି ଆକାଉଣ୍ଟଗୁଡ଼ିକ ମାଧ୍ୟମରେ ୧୩ ଲକ୍ଷରୁ ଅଧିକ ଟଙ୍କାର ଋଣ ଉଠାଇ ନିଜେ ହଡ଼ପ କରିଥିଲା। ଏହି ଟଙ୍କାରେ ସେ ଟୋୟୋଟା କାର୍ କିଣିବା ସହ ବିମାନ ଯାତ୍ରା ଓ ଦାମୀ ହୋଟେଲରେ ରହି ବିଳାସପୂର୍ଣ୍ଣ ଜୀବନ ବିତାଉଥିଲା।
ସାବର ଅପରାଧ ଥାନା (ମାମଲା ନଂ ୩୧/୨୬) ରେ ଅଭିଯୋଗ ପରେ ପୋଲିସ ଚଢ଼ାଉ କରି ଅଭିଯୁକ୍ତ ନିକଟରୁ ୧୪ଟି ବ୍ୟାଙ୍କ ପାସ୍ବୁକ୍, ୯ଟି ଚେକ୍ବୁକ୍, ୧୭ଟି ଡେବିଟ୍ ଓ କ୍ରେଡିଟ୍ କାର୍ଡ, ୬ଟି ମୋବାଇଲ୍ ଫୋନ୍ ଏବଂ ୧୦,୦୦୦ ଟଙ୍କା ନଗଦ ଜବତ କରିଛି।
ସୂଚନାଯୋଗ୍ୟ ଯେ, ଅଭିଯୁକ୍ତ ବଳଭଦ୍ର ବିରୋଧରେ ପୂର୍ବରୁ ସମ୍ବଲପୁର, ଭୁବନେଶ୍ୱରର ଶହୀଦନଗର, ଏୟାରପୋର୍ଟ ଏବଂ ଲିଙ୍ଗରାଜ ଥାନାରେ ଏକାଧିକ ଠକେଇ ମାମଲା ରହିଛି। ଅଧିକ ତଦନ୍ତରୁ ପ୍ରକାଶ ଯେ, ଦେଶର ବିଭିନ୍ନ ରାଜ୍ୟରେ ତାଙ୍କର ୧୨ଟି ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ୍ କରାଯାଇଛି। ସେ ଏକ ବଡ଼ ଆନ୍ତଃରାଜ୍ୟ ଠକେଇ ରାକେଟ୍ ଚଲାଉଥିବା ସନ୍ଦେହ କରାଯାଉଥିବାରୁ ଅନ୍ୟ ରାଜ୍ୟ ପୋଲିସ ସହ ଯୋଗାଯୋଗ କରି ଅଧିକ ତଦନ୍ତ ଜାରି ରହିଥିବା ଏସ୍ପି ପ୍ରକାଶ କରିଛନ୍ତି।




