କାନପୁର: ଦେଶସାରା ବିଜୟା ଦଶମୀ ଅବସରରେ ଅଧର୍ମ ଓ ଅହଂକାରର ପ୍ରତୀକ ରାବଣର ପୁତ୍ତଳିକା ଦାହ କରାଯାଉଥିବା ବେଳେ, ଉତ୍ତର ପ୍ରଦେଶର କାନପୁରରେ ଦେଖିବାକୁ ମିଳିଛି ଏକ ସମ୍ପୂର୍ଣ୍ଣ ଭିନ୍ନ ଓ ଅନନ୍ୟ ପରମ୍ପରା। କାନପୁରର ଶିୱାଲା ଅଞ୍ଚଳସ୍ଥିତ କୈଳାସ ମନ୍ଦିର ପରିସରରେ ରହିଥିବା ପ୍ରସିଦ୍ଧ ‘ଦଶାନନ ମନ୍ଦିର’ ବର୍ଷକରେ କେବଳ ଗୋଟିଏ ଦିନ ଅର୍ଥାତ୍ ଦଶହରା ତିଥିରେ ଦ୍ୱାର ଫିଟାଯାଇ ଲଙ୍କାପତି ରାବଣଙ୍କର ବିଶେଷ ପୂଜାର୍ଚ୍ଚନା କରାଯାଇଥାଏ। ବର୍ଷର ଅବଶିଷ୍ଟ ୩୬୪ ଦିନ ଏହି ମନ୍ଦିରର କବାଟ ବନ୍ଦ ରହିଥାଏ।

ମନ୍ଦିରର ମୁଖ୍ୟ ପୂଜକ ପଣ୍ଡିତ ରାମ ବାଜପେୟୀଙ୍କ କହିବା ଅନୁଯାୟୀ, ୧୮୬୮ ମସିହାରେ ମହାରାଜ ଗୁରୁ ପ୍ରସାଦ ଶୁକ୍ଲା ଏହି ମନ୍ଦିର ପ୍ରତିଷ୍ଠା କରିଥିଲେ। ଦଶହରା ସକାଳେ ମନ୍ଦିରର କବାଟ ଖୋଲାଯିବା ପରେ ରାବଣଙ୍କ ପ୍ରତିମାକୁ କ୍ଷୀର, ଦହି, ମହୁ ଓ ପବିତ୍ର ଜଳରେ ମହାସ୍ନାନ କରାଯାଇ ବୈଦିକ ରୀତିନୀତିରେ ମହାଆରତୀ କରାଯାଏ।

ଧାର୍ମିକ ବିଶ୍ୱାସ ଅନୁଯାୟୀ, ରାବଣ କେବଳ ପାପ ଓ ଅହଂକାରର ପ୍ରତୀକ ନୁହଁନ୍ତି;ବରଂ ସେ ଜଣେ ମହାଜ୍ଞାନୀ, ଚାରିବେଦର ପଣ୍ଡିତ, ଚତୁର ଶାସକ ଏବଂ ଭଗବାନ ଶିବଙ୍କର ପରମ ଭକ୍ତ ଥିଲେ। ସେଥିପାଇଁ ହଜାର ହଜାର ଶ୍ରଦ୍ଧାଳୁ ଦଶହରା ଦିନ ଏଠାରେ ପହଞ୍ଚି ରାବଣଙ୍କ ଜ୍ଞାନ, ବୁଦ୍ଧି ଓ ସାହସର ଆଶୀର୍ବାଦ ପାଇବା ପାଇଁ ରାଶିତେଲର ଦୀପ ଜାଳି ପୂଜାର୍ଚ୍ଚନା କରିଥାନ୍ତି। ସନ୍ଧ୍ୟାରେ ରାବଣ ଦହନ ସମୟରେ ଏହି ମନ୍ଦିରର କବାଟ ଆଗାମୀ ବର୍ଷ ପର୍ଯ୍ୟନ୍ତ ପୁଣି ବନ୍ଦ ହୋଇଯାଏ।

ସେହିପରି ମଧ୍ୟପ୍ରଦେଶର ବିଦିଶା ଜିଲ୍ଲାସ୍ଥିତ ‘ରାବଣ ଗ୍ରାମ’ରେ ମଧ୍ୟ ଦଶହରା ଭିନ୍ନ ଢଙ୍ଗରେ ପାଳିତ ହୁଏ। ନାଟେରନ୍ ତହସିଲ୍‌ର ଏହି ଗ୍ରାମରେ ରାବଣଙ୍କୁ ଗ୍ରାମଦେବତା ‘ରାବଣ ବାବା’ ଭାବେ ପୂଜା କରାଯାଏ। ପରମାର ଯୁଗର ଏକ ପ୍ରାଚୀନ ମନ୍ଦିରରେ ରାବଣଙ୍କ ୧୨ ଫୁଟ୍‌ର ଶୋଇଥିବା ମୁଦ୍ରାର ପ୍ରତିମା ରହିଛି, ଯେଉଁଠାରେ ପ୍ରତିଦିନ ପୂଜାର୍ଚ୍ଚନା ହୁଏ। ଦଶହରା ଦିନ ଏଠାରେ ପୁତ୍ତଳିକା ଦାହ ପରିବର୍ତ୍ତେ ରାମାୟଣ ପାଠ, ଭଜନ ସନ୍ଧ୍ୟା ଏବଂ ସାମୂହିକ ଅନ୍ନପ୍ରସାଦ ସେବନର ଆୟୋଜନ କରାଯାଇଥାଏ।