ନୂଆଦିଲ୍ଲୀ: ଦେଶର ସମ୍ମାନକୁ କ୍ଷତି ପହଞ୍ଚାଉଥିବା ଶକ୍ତି, ସମାଜରେ ବିଭାଜନ ସୃଷ୍ଟି କରୁଥିବା ଲୋକ ଏବଂ ଭାରତୀୟ ସଂସ୍କୃତି ପ୍ରତି ଘୃଣା ପୋଷଣ କରୁଥିବା ଚିନ୍ତାଧାରା ବିରୋଧରେ ଦେଶବାସୀଙ୍କୁ ଏକଜୁଟ ହୋଇ ଲଢ଼ିବାକୁ ପଡ଼ିବ। ମଙ୍ଗଳବାର ଦିଲ୍ଲୀର ଆଇପି ଏକ୍ସଟେନସନ୍ସ୍ଥିତ ଡିଡିଏ ଉତ୍ସବ ଗ୍ରାଉଣ୍ଡରେ ଦଶହରା ଉତ୍ସବରେ ଯୋଗଦେଇ ଏହି ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।
ରାବଣ ଦହନ ପରେ ନିଜ ଅଭିଭାଷଣରେ ପ୍ରଧାନମନ୍ତ୍ରୀ କହିଥିଲେ, ବିଜୟାଦଶମୀ ଅଧର୍ମ ଉପରେ ଧର୍ମର ବିଜୟର ପ୍ରତୀକ। ଏହି ପର୍ବ ଆମକୁ ଭଗବାନ ଶ୍ରୀରାମଙ୍କ ଆଦର୍ଶ ଓ ତାଙ୍କ ଦ୍ୱାରା ପ୍ରଦର୍ଶିତ ପଥରେ ଚାଲିବାକୁ ପ୍ରେରଣା ଦିଏ। ଦେଶର ଏକତା, ସମ୍ମାନ ଓ ସଂସ୍କୃତିର ସୁରକ୍ଷା ପାଇଁ ସମସ୍ତଙ୍କ ସାମୂହିକ ଉଦ୍ୟମ ଜରୁରୀ ବୋଲି ସେ ଗୁରୁତ୍ୱାରୋପ କରିଥିଲେ।
ରାମରାଜ୍ୟର ଆଦର୍ଶ ଉପରେ ଗୁରୁତ୍ୱ
ପ୍ରଧାନମନ୍ତ୍ରୀ ନିଜ ଭାଷଣରେ ରାମରାଜ୍ୟର ଧାରଣା ଉପସ୍ଥାପନ କରି କହିଥିଲେ ଯେ ଏଭଳି ଶାସନରେ ଭେଦଭାବର ସ୍ଥାନ ନଥାଏ। ପ୍ରତ୍ୟେକଙ୍କୁ ନ୍ୟାୟ ମିଳିବା ସହ ଆଗକୁ ବଢ଼ିବା ପାଇଁ ସମାନ ସୁଯୋଗ ମିଳିବା ଉଚିତ। ଗରିବ ଓ ବଞ୍ଚିତ ବର୍ଗର ଲୋକଙ୍କ କଲ୍ୟାଣ ଏବଂ ସେମାନଙ୍କୁ ସହାୟତା କରିବା ଉପରେ ସରକାର ଓ ସମାଜ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ସେ କହିଥିଲେ।
ଆତ୍ମନିର୍ଭର ଭାରତ ଗଠନର ଆହ୍ୱାନ
ଦେଶର ପ୍ରଗତି ପାଇଁ ନିଜ ସାମର୍ଥ୍ୟ ଓ ସମ୍ବଳ ଉପରେ ଭରସା କରିବା ସହ ଆତ୍ମନିର୍ଭର ହେବାର ଆବଶ୍ୟକତା ଉପରେ ମଧ୍ୟ ମୋଦୀ ଜୋର ଦେଇଥିଲେ। ଦେଶର ବିଭିନ୍ନ ସଂସ୍ଥା ଓ ରାଜନୈତିକ ଦଳଗୁଡ଼ିକ ଜାତୀୟ ସ୍ୱାର୍ଥ ପାଇଁ ଏକଜୁଟ ହୋଇ କାମ କରିବା ଉଚିତ ବୋଲି ସେ ଆହ୍ୱାନ ଜଣାଇଥିଲେ।




