ପୁରୀ: ଶାରଦୀୟ ଦୁର୍ଗାପୂଜା ଓ ବିଜୟାଦଶମୀ ଅବସରରେ ପୁରୀ ଗସ୍ତ କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ। ମଙ୍ଗଳବାର ସେ ପତ୍ନୀଙ୍କ ସହ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କ ଦର୍ଶନ ସହ ପୂଜାର୍ଚ୍ଚନା କରିଥିଲେ।

ଶ୍ରୀମନ୍ଦିର ସିଂହଦ୍ୱାର ନିକଟରେ ପହଞ୍ଚିବା ପରେ ସେବାୟତ ଓ ପ୍ରଶାସନିକ ଅଧିକାରୀ ତାଙ୍କୁ ସ୍ୱାଗତ କରିଥିଲେ। ଏହାପରେ ରତ୍ନସିଂହାସନରେ ବିରାଜମାନ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ କରିଥିଲେ ଧର୍ମେନ୍ଦ୍ର। ପରେ ମା’ ବିମଳା, ମା’ ଲକ୍ଷ୍ମୀଙ୍କ ସମେତ ମନ୍ଦିରର ଅନ୍ୟ ପାର୍ଶ୍ୱ ଦେବଦେବୀଙ୍କ ଦର୍ଶନ ମଧ୍ୟ କରିଥିଲେ।

ଦର୍ଶନ ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ, ଦଶମୀ ଅବସରରେ ମହାପ୍ରଭୁଙ୍କ ଦର୍ଶନ କରିବାର ସୁଯୋଗ ମିଳିଛି। ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ଜଗତଜନନୀ ମା’ ଦୁର୍ଗା ସମସ୍ତଙ୍କର ମଙ୍ଗଳ କରନ୍ତୁ ବୋଲି ସେ ପ୍ରାର୍ଥନା କରିଥିବା କହିଥିଲେ।