ଗୋରଖପୁର: ବିଜୟାଦଶମୀ ଅବସରରେ ଉତ୍ତରପ୍ରଦେଶର ଗୋରଖପୁରସ୍ଥିତ ଗୋରଖନାଥ ମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଗୋରକ୍ଷପୀଠାଧୀଶ୍ୱର ଭାବେ ସେ ମଙ୍ଗଳବାର ପାରମ୍ପରିକ ପୋଷାକ ପରିଧାନ କରି ମହାଯୋଗୀ ଗୁରୁ ଗୋରଖନାଥଙ୍କ ପୂଜା କରିବା ସହ ସମଗ୍ର ବିଶ୍ୱର କଲ୍ୟାଣ ଏବଂ ରାଜ୍ୟବାସୀଙ୍କ ସୁଖ, ଶାନ୍ତି ଓ ସମୃଦ୍ଧି ପାଇଁ ପ୍ରାର୍ଥନା କରିଥିଲେ।

ଗୋରଖପୀଠର ପାରମ୍ପରିକ ରୀତିନୀତି ଅନୁଯାୟୀ ଏହି ସ୍ୱତନ୍ତ୍ର ପୂଜା ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିଲା। ପ୍ରଥମେ ମନ୍ଦିର ପରିସରର ଶକ୍ତିପୀଠରେ ପୂଜାର୍ଚ୍ଚନା କରିବା ପରେ ଯୋଗୀ ଆଦିତ୍ୟନାଥ ଗର୍ଭଗୃହକୁ ଯାଇ ଗୁରୁ ଗୋରଖନାଥଙ୍କ ଆରାଧନା କରିଥିଲେ। ଏହି ସମୟରେ ସଂସ୍କୃତ ବିଦ୍ୟାପୀଠର ଆଚାର୍ଯ୍ୟ ଓ ଛାତ୍ରମାନେ ବୈଦିକ ମନ୍ତ୍ର ଉଚ୍ଚାରଣ କରିଥିଲେ। ଶଙ୍ଖ, ଘଣ୍ଟ, ଡମରୁ ଓ ତୂରୀର ଧ୍ୱନିରେ ମନ୍ଦିର ପରିସର ଭକ୍ତିମୟ ହୋଇଉଠିଥିଲା।

ଗୁରୁ ଓ ନାଥ ସମ୍ପ୍ରଦାୟର ସନ୍ଥଙ୍କୁ ପ୍ରଣାମ

ଗୁରୁ ଗୋରଖନାଥଙ୍କ ପୂଜା ପରେ ମୁଖ୍ୟମନ୍ତ୍ରୀ ମନ୍ଦିରରେ ଥିବା ଅଖଣ୍ଡ ଜ୍ୟୋତି, ବିଭିନ୍ନ ଦେବଦେବୀଙ୍କ ବିଗ୍ରହ, ଅଖଣ୍ଡ ଧୂନା, ଯଜ୍ଞଶାଳା ଓ ଭୀମ ସରୋବରରେ ପୂଜା କରିଥିଲେ। ଏହା ସହ ନିଜ ଗୁରୁ ମହନ୍ତ ଅବୈଦ୍ୟନାଥ, ମହନ୍ତ ଦିଗ୍‌ବିଜୟନାଥ ଓ ବାବା ଗମ୍ଭୀରନାଥଙ୍କ ସମାଧିସ୍ଥଳରେ ମଧ୍ୟ ପୂଜାର୍ଚ୍ଚନା କରି ଶ୍ରଦ୍ଧା ଜଣାଇଥିଲେ।

ବାହାରିଲା ପାରମ୍ପରିକ ବିଜୟ ଶୋଭାଯାତ୍ରା

ପୂଜା ପରେ ଗୋରଖନାଥ ମନ୍ଦିରରୁ ପାରମ୍ପରିକ ବିଜୟ ଶୋଭାଯାତ୍ରା ବାହାରିଥିଲା। ଗୋରକ୍ଷପୀଠର ପରମ୍ପରା ଅନୁଯାୟୀ ଏହି ଶୋଭାଯାତ୍ରା ବିଜୟାଦଶମୀର ଏକ ପ୍ରମୁଖ ଆକର୍ଷଣ। ଏଥିରେ ଯୋଗୀ ଆଦିତ୍ୟନାଥ ଓ ମନ୍ଦିରର ମୁଖ୍ୟ ପୂଜକ ଯୋଗଦେଇଥିଲେ।

ଶୋଭାଯାତ୍ରା ପରେ ମାନସରୋବର ମନ୍ଦିରରେ ପୂଜାର୍ଚ୍ଚନା ଏବଂ ରାମଲୀଳା ମଇଦାନରେ ପ୍ରଭୁ ଶ୍ରୀରାମ, ମାତା ସୀତା, ଲକ୍ଷ୍ମଣ, ଭରତ, ଶତ୍ରୁଘ୍ନ ଓ ହନୁମାନଙ୍କ ରାଜ୍ୟାଭିଷେକ କାର୍ଯ୍ୟକ୍ରମ ହେବାର କାର୍ଯ୍ୟସୂଚୀ ରହିଥିଲା।