ନୂଆଦିଲ୍ଲୀ: ଚାକିରି ଖୋଜୁଥିବା ଫାର୍ମାସି ଶିକ୍ଷାପ୍ରାପ୍ତ ପ୍ରାର୍ଥୀଙ୍କ ପାଇଁ ଭଲ ସୁଯୋଗ। ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ମୁମ୍ବାଇ ଓ ନଭି ମୁମ୍ବାଇରେ ଥିବା ଡିସ୍ପେନସାରିଗୁଡ଼ିକ ପାଇଁ ଚୁକ୍ତିଭିତ୍ତିକ ଫାର୍ମାସିଷ୍ଟ ନିଯୁକ୍ତି ନିମନ୍ତେ ଆବେଦନ ଆହ୍ୱାନ କରାଯାଇଛି। ଏଥିରେ ମୋଟ ୨୨ଟି ପଦବି ପାଇଁ ପ୍ରାର୍ଥୀ ଚୟନ କରାଯିବ। ଯୋଗ୍ୟ ପ୍ରାର୍ଥୀମାନେ ୩ ନଭେମ୍ବର ୨୦୨୬ ସନ୍ଧ୍ୟା ୫ଟା ସୁଦ୍ଧା ଆବେଦନ କରିପାରିବେ।
କେତେ ମିଳିବ ପାରିଶ୍ରମିକ?
ଚୟନିତ ପ୍ରାର୍ଥୀଙ୍କୁ ଘଣ୍ଟା ପ୍ରତି ୬୦୦ ଟଙ୍କା ହିସାବରେ ପାରିଶ୍ରମିକ ମିଳିବ। ଦିନକୁ ସର୍ବାଧିକ ୫ ଘଣ୍ଟା କାମ କଲେ ୩,୦୦୦ ଟଙ୍କା ପର୍ଯ୍ୟନ୍ତ ମିଳିପାରିବ। ଏହା ଏକ ଚୁକ୍ତିଭିତ୍ତିକ ନିଯୁକ୍ତି ହୋଇଥିବାରୁ ସର୍ବାଧିକ ୨୪୦ ଦିନ ପର୍ଯ୍ୟନ୍ତ କାର୍ଯ୍ୟ କରିବାର ସୁଯୋଗ ରହିଛି। ଏଥିପାଇଁ ଅନ୍ୟ କୌଣସି ଭତ୍ତା ମିଳିବ ନାହିଁ। ଏହି ନିଯୁକ୍ତି ଆଧାରରେ ଆରବିଆଇରେ ସ୍ଥାୟୀ କିମ୍ବା ଅସ୍ଥାୟୀ ଚାକିରିର ଅଧିକାର ମିଳିବ ନାହିଁ।
ଶିକ୍ଷାଗତ ଯୋଗ୍ୟତା ଓ ଅଭିଜ୍ଞତା
ଆବେଦନ କରିବା ପାଇଁ ପ୍ରାର୍ଥୀ ଅତିକମ୍ରେ ଦଶମ ଶ୍ରେଣୀ ପାସ୍ କରିଥିବା ଆବଶ୍ୟକ। ଏଥିସହ ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନରୁ ଫାର୍ମାସିରେ ଡିପ୍ଲୋମା (D.Pharm) କିମ୍ବା ସ୍ନାତକ ଡିଗ୍ରୀ (B.Pharm) ହାସଲ କରିଥିବା ଦରକାର।
ପ୍ରାର୍ଥୀଙ୍କ ପାଖରେ ଫାର୍ମାସି ଆକ୍ଟ, ୧୯୪୮ ଅନୁଯାୟୀ ପଞ୍ଜୀକରଣ ସହ ମହାରାଷ୍ଟ୍ର ରାଜ୍ୟ ଫାର୍ମାସି କାଉନସିଲ୍ରେ ପଞ୍ଜୀକରଣ ଥିବା ଆବଶ୍ୟକ। ଏହା ସହ ଫାର୍ମାସିଷ୍ଟ ଭାବେ ଅତିକମ୍ରେ ୨ ବର୍ଷର କାର୍ଯ୍ୟ ଅଭିଜ୍ଞତା ରହିବା ଜରୁରୀ। ସରକାରୀ ସଂସ୍ଥା, ସରକାରୀ ଉଦ୍ୟୋଗ କିମ୍ବା ସରକାରୀ ବ୍ୟାଙ୍କରେ କାମ କରିଥିବା ପ୍ରାର୍ଥୀଙ୍କୁ ଅଗ୍ରାଧିକାର ମିଳିପାରେ।
କିପରି ହେବ ଚୟନ?
ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା, କାର୍ଯ୍ୟ ଅଭିଜ୍ଞତା ଏବଂ ଆରବିଆଇ ଡିସ୍ପେନସାରିଠାରୁ ବାସସ୍ଥାନର ଦୂରତାକୁ ବିଚାରକୁ ନେଇ ପ୍ରାରମ୍ଭିକ ଚୟନ କରାଯିବ। ଏହାପରେ ଯୋଗ୍ୟ ପ୍ରାର୍ଥୀଙ୍କୁ ସାକ୍ଷାତକାର ପାଇଁ ଡକାଯିବ। ସାକ୍ଷାତକାର ପରେ ଡାକ୍ତରୀ ପରୀକ୍ଷା ଓ ଦସ୍ତାବିଜ୍ ଯାଞ୍ଚ କରାଯିବ।
କିପରି କରିବେ ଆବେଦନ?
ଏହି ନିଯୁକ୍ତି ପାଇଁ ଅଫ୍ଲାଇନ୍ରେ ଆବେଦନ କରିବାକୁ ହେବ। ପ୍ରାର୍ଥୀମାନେ ନିର୍ଦ୍ଧାରିତ ଫର୍ମାଟ୍ରେ ଆବେଦନପତ୍ର ପୂରଣ କରି ଶିକ୍ଷାଗତ ଯୋଗ୍ୟତା, ଫାର୍ମାସି ପଞ୍ଜୀକରଣ, ଅଭିଜ୍ଞତା ଓ ଆବଶ୍ୟକ ଅନ୍ୟାନ୍ୟ ପ୍ରମାଣପତ୍ରର ସ୍ୱଅଭିପ୍ରମାଣିତ ନକଲ ସହ ଏକ ସିଲ୍ କରାଯାଇଥିବା ଲଫାପାରେ ପଠାଇବାକୁ ପଡ଼ିବ।
ଆବେଦନପତ୍ର ନିମ୍ନ ଠିକଣାରେ ଡାକ ଯୋଗେ ପଠାଇପାରିବେ କିମ୍ବା ନିଜେ ଯାଇ ଦାଖଲ କରିପାରିବେ।
ଠିକଣା: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ, ମୁମ୍ବାଇ ରିଜିଓନାଲ୍ ଅଫିସ୍, ଶହୀଦ ଭଗତ ସିଂହ ରୋଡ୍, ଫୋର୍ଟ, ମୁମ୍ବାଇ–୪୦୦୦୦୧।
ଶେଷ ତାରିଖ: ୩ ନଭେମ୍ବର ୨୦୨୬, ସନ୍ଧ୍ୟା ୫ଟା। ଆବେଦନ ପଠାଇବା ପୂର୍ବରୁ ଆରବିଆଇର ଅଫିସିଆଲ୍ ବିଜ୍ଞପ୍ତି ପଢ଼ିବା ସହ ଆବଶ୍ୟକ ଅନଲାଇନ୍ ବିବରଣୀ ଦାଖଲ କରିବାକୁ ମଧ୍ୟ ନିଶ୍ଚିତ କରନ୍ତୁ।




