ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲାବାସୀଙ୍କ ଦୀର୍ଘଦିନର ଦାବି ପୂରଣ ହେବାକୁ ଯାଉଛି। ପୁରୀରୁ ବାଦାମପାହାଡ଼ ମଧ୍ୟରେ ସିଧା ରେଳ ସଂଯୋଗ ପାଇଁ ୧୮୪୧୧/୧୮୪୧୨ ପୁରୀ-ବାଦାମପାହାଡ଼ ଏକ୍ସପ୍ରେସକୁ ରେଳ ମନ୍ତ୍ରଣାଳୟ ମଞ୍ଜୁରୀ ଦେଇଛି। ରେଳ ବୋର୍ଡ ପକ୍ଷରୁ ଅକ୍ଟୋବର ୧୯, ୨୦୨୬ରେ ଜାରି ଚିଠିରେ ଏହି ଅନୁମୋଦନ ସମ୍ପର୍କରେ ସୂଚନା ଦିଆଯାଇଛି।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଜ ଜନ୍ମମାଟି ମୟୂରଭଞ୍ଜର ରେଳ ସଂଯୋଗ ବିକାଶ ପାଇଁ ନିରନ୍ତର ଉଦ୍ୟମ କରିଆସୁଥିଲେ। ରେଳ ମନ୍ତ୍ରୀଙ୍କ ସହ ଆଲୋଚନା ଏବଂ ନୂଆ ଟ୍ରେନ୍‌ ଚଳାଚଳ ପ୍ରସ୍ତାବକୁ ଆଗକୁ ବଢ଼ାଇବା ପାଇଁ ତାଙ୍କ ହସ୍ତକ୍ଷେପ ପରେ ଏହି ମଞ୍ଜୁରୀ ମିଳିଥିବା ଜଣାପଡ଼ିଛି।

କେଉଁ ସମୟରେ ଚାଲିବ ଟ୍ରେନ୍‌?

ରେଳ ବୋର୍ଡର ସୂଚନା ଅନୁଯାୟୀ, ପୁରୀରୁ ଟ୍ରେନ୍‌ଟି ରାତି ୧୧ଟା ୪୫ ମିନିଟ୍‌ରେ ଛାଡ଼ି ରାଇରଙ୍ଗପୁରରେ ପରଦିନ ଦିନ ୧୨ଟା ୫୩ ମିନିଟ୍‌ରେ ପହଞ୍ଚିବ। ଏହାପରେ ଦିନ ୧ଟା ୪୫ ମିନିଟ୍‌ରେ ବାଦାମପାହାଡ଼ରେ ପହଞ୍ଚିବାର ସମୟ ଧାର୍ଯ୍ୟ ହୋଇଛି।

ଫେରିବା ସମୟରେ ବାଦାମପାହାଡ଼ରୁ ଅପରାହ୍ଣ ୪ଟାରେ ଟ୍ରେନ୍‌ ଛାଡ଼ି ରାଇରଙ୍ଗପୁରରେ ୪ଟା ୨୫ ମିନିଟ୍‌ରେ ପହଞ୍ଚିବ। ଟାଟାନଗର ଓ କେନ୍ଦୁଝର ଦେଇ ପରଦିନ ସକାଳ ୬ଟାରେ ପୁରୀରେ ପହଞ୍ଚିବାର କାର୍ଯ୍ୟସୂଚୀ ରହିଛି। ଟ୍ରେନ୍‌ଟି ଦୈନିକ ଚଳାଚଳ କରିବା ସହ ଏଥିରେ ୯ଟି ଏଲ୍‌ଏଚ୍‌ବି କୋଚ୍‌ ରହିବ।

୧୯ଟି ଷ୍ଟେସନରେ ରହଣି

ଏହି ଟ୍ରେନ୍‌ ରାଇରଙ୍ଗପୁର, ବାଦାମପାହାଡ଼, ଅଁଳାଯୋଡ଼ି, ଟାଟାନଗର, ଭୁବନେଶ୍ୱର ଓ କଟକ ସମେତ ମୋଟ ୧୯ଟି ଷ୍ଟେସନରେ ରହିବ। ଏହାଦ୍ୱାରା ମୟୂରଭଞ୍ଜ ଅଞ୍ଚଳର ଯାତ୍ରୀମାନେ ଶ୍ରୀକ୍ଷେତ୍ର ପୁରୀକୁ ସିଧାସଳଖ ଯାତ୍ରା କରିବାର ସୁବିଧା ପାଇବେ। ଏଥିସହ ଧାର୍ମିକ ପର୍ଯ୍ୟଟନ, ସ୍ଥାନୀୟ ଯାତାୟାତ ଓ ଅଞ୍ଚଳର ଆର୍ଥିକ ଗତିବିଧିକୁ ମଧ୍ୟ ଏହି ରେଳ ସଂଯୋଗ ସହାୟତା କରିବ ବୋଲି ଆଶା କରାଯାଉଛି।

ଖୁବ୍‌ଶୀଘ୍ର ଘୋଷଣା ହେବ ଚଳାଚଳ ତାରିଖ

ରେଳ ବୋର୍ଡ ପକ୍ଷରୁ ଟ୍ରେନ୍‌ ଚଳାଚଳ ଆରମ୍ଭ ପାଇଁ ଏକ ସୁବିଧାଜନକ ତାରିଖ ଶୀଘ୍ର ଘୋଷଣା କରାଯିବ। ଉଦ୍‌ଘାଟନୀ ଯାତ୍ରା ପାଇଁ ଏକ ସ୍ୱତନ୍ତ୍ର ଟ୍ରେନ୍‌ ଚଳାଯିବାର ଯୋଜନା ରହିଛି। ଏହି ମଞ୍ଜୁରୀ ପରେ ରାଇରଙ୍ଗପୁର, ବାଦାମପାହାଡ଼ ଓ ବାହଲଦା ଅଞ୍ଚଳର ଲୋକଙ୍କ ମଧ୍ୟରେ ଖୁସି ପ୍ରକାଶ ପାଇଛି।