ମୁମ୍ବାଇ: ବଲିଉଡ୍ ଅଭିନେତା ଟାଇଗର ଶ୍ରୋଫ୍ଙ୍କ ଗାଡ଼ି ଉପରକୁ ଗୁଳିଚାଳନା ଘଟଣାରେ ପୋଲିସକୁ ମିଳିଛି ବଡ଼ ସଫଳତା। ଏହି ମାମଲାରେ ଦିଲ୍ଲୀ ପୋଲିସର ସ୍ୱେଶାଲ ସେଲ୍ ର ଏନ୍ଡିଆର୍ ଟିମ୍ ୪ ଜଣ ସହଯୋଗୀଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ଶୁଟର୍ମାନଙ୍କୁ ଅସ୍ତ୍ରଶସ୍ତ୍ର ଯୋଗାଇବା ଏବଂ ଗୁଳିକାଣ୍ଡ ପରେ ସେମାନଙ୍କୁ ଫେରାର କରିବାରେ ସହାୟତା କରୁଥିଲେ ବୋଲି ପୋଲିସ ସୂଚନା ଦେଇଛି।
ଗିରଫ ଅଭିଯୁକ୍ତମାନେ ହେଲେ ହରିୟାଣାର ସୋନିପଥର କୁନାଲ (୨୧) ଓ ସୁମିତ (୧୯) ଏବଂ ଉତ୍ତର ପ୍ରଦେଶର ରାଧା (୨୩) ଓ ବବିତା (୨୩)।
ପୋଲିସର ତଦନ୍ତରୁ ପ୍ରକାଶ ଯେ, ଜେଲ୍ରୁ ଜାମିନରେ ଆସିଥିବା ଅଭିଯୁକ୍ତ କୁନାଲ ଏନକ୍ରିପ୍ଟେଡ୍ ମେସେଜିଂ ଆପ୍ ମାଧ୍ୟମରେ ଅନିଲ ପଣ୍ଡିତ ନାମକ ଜଣେ ବ୍ୟକ୍ତି ସହ ଯୋଗାଯୋଗରେ ଥିଲା। ଅନିଲଙ୍କ ନିର୍ଦ୍ଦେଶକ୍ରମେ କୁନାଲ ଓ ସୁମିତ ଅମୃତସରରୁ ଏକ ପିସ୍ତୋଲ ଏବଂ ୨୦ଟି ଜୀବନ୍ତ କାର୍ତ୍ତୁଜ ଆଣିଥିଲେ।
ପରେ କୁନାଲ ନିଜ ପରିଚିତ ରାଧା ଏବଂ ବବିତାଙ୍କୁ ବ୍ୟବହାର କରି ଅକ୍ଟୋବର ୧୫ ତାରିଖରେ ନୂଆଦିଲ୍ଲୀ ରେଳଷ୍ଟେସନରୁ ବ୍ୟାଗ୍ ଭିତରେ ବନ୍ଧୁକ ଲୁଚାଇ ମୁମ୍ବାଇ ପଠାଇଥିଲା। ଅକ୍ଟୋବର ୧୭ ତାରିଖରେ ସେମାନେ ମୁମ୍ବାଇର ଦାଦରରେ ପହଞ୍ଚିବା ପରେ ଜଣେ ନାବାଳକ ସେହି ବ୍ୟାଗ୍ ନେଇ ଶୁଟର୍ଙ୍କ ପାଖରେ ପହଞ୍ଚାଇଥିଲା।
ଅକ୍ଟୋବର ୧୮ ସନ୍ଧ୍ୟାରେ ଟାଇଗର ଶ୍ରୋଫ୍ଙ୍କ ଗାଡ଼ି ଉପରକୁ ଗୁଳିଚାଳନା ହେବା ପରେ ଶୁଟର୍ମାନେ ମୁମ୍ବାଇରେ ଫସି ରହିଥିଲେ। ସେମାନଙ୍କୁ ସୁରକ୍ଷିତ ଫେରାର କରାଇବା ପାଇଁ ଅନିଲ ପଣ୍ଡିତ ପୁଣି କୁନାଲ ସହ ଯୋଗାଯୋଗ କରିଥିଲା। ତେବେ ଗୁଳିକାଣ୍ଡ ପରେ ଅଭିଯୁକ୍ତମାନେ ମୁମ୍ବାଇରୁ ସୁରଟ ଏବଂ ସେଠାରୁ ଜୟପୁର ଗାଡ଼ିରେ ବସି ଦିଲ୍ଲୀ ଦେଇ ନେପାଳ ଖସିଯିବାକୁ ଯୋଜନା କରିଥିଲେ।
ତେବେ ମୁମ୍ବାଇ ପୋଲିସ ପୂର୍ବରୁ ରାଜସ୍ଥାନର କୋଟାରୁ ୩ ଜଣ ଶୁଟର୍ଙ୍କୁ ଗିରଫ କରିସାରିଥିବା ବେଳେ, ଦିଲ୍ଲୀ ପୋଲିସ ନୂଆଦିଲ୍ଲୀ ରେଳଷ୍ଟେସନରୁ ଦୁଇ ମହିଳାଙ୍କୁ ଏବଂ ସୋନିପଥରୁ କୁନାଲ ଓ ସୁମିତଙ୍କୁ ଅଟକାଇ ଗିରଫ କରିଛି। ଏହି ଆନ୍ତଃରାଜ୍ୟ ଅପରାଧିକ ନେଟୱାର୍କର ଅଧିକ ତଦନ୍ତ ଜାରି ରହିଛି।




