ଭୁବନେଶ୍ୱର: ଆଶୁତୋଷ ରାଙ୍କା ଏବଂ ସୌରଭ ଦାସଙ୍କୁ ଜେଲ୍‌ରୁ ମୁକ୍ତ କରିବା ପାଇଁ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କରିଥିବା ଦାବିକୁ ନେଇ ରାଜ୍ୟ ପୋଲିଟିକାଲ ମାହୋଲ ସରଗରମ ହୋଇଛି। ଏହି ପ୍ରସଙ୍ଗରେ ଓଡ଼ିଶା ବିଜେପି ମଙ୍ଗଳବାର ନବୀନଙ୍କୁ କଡ଼ା ସମାଲୋଚନା କରିବା ସହ ସେ ରାଜନୀତିକ ଫାଇଦା ହାସଲ ପାଇଁ ଏଭଳି ଆଭିମୁଖ୍ୟ ଆପଣାଉଥିବା ଅଭିଯୋଗ କରିଛି।

ଏହା ପୂର୍ବରୁ ନବୀନ ପଟ୍ଟନାୟକ ସୋସିଆଲ ମିଡିଆ ‘ଏକ୍ସ’ (X) ରେ ପୋଷ୍ଟ କରି ନିଷିଦ୍ଧାଞ୍ଚଳରେ ହେଉନା କାହିଁକି, ଜାତୀୟ ପତାକା ଉତ୍ତୋଳନ କରିବା ପାଇଁ ଯୁବକମାନଙ୍କୁ ଦୀର୍ଘଦିନ ଜେଲ୍‌ରେ ରଖାଯିବା ଅନୁଚିତ୍ ବୋଲି କହିଥିଲେ। ଯୁବପିଢ଼ି ଯେପରି ସମ୍ବିଧାନ ଓ ଆଇନ ଶୃଙ୍ଖଳା ଉପରୁ ଆସ୍ଥା ନ ହରାନ୍ତି, ସେଥିପାଇଁ ନ୍ୟାୟପାଳିକା ଓ ପ୍ରଶାସନ ତୁରନ୍ତ ଏଥିରେ ହସ୍ତକ୍ଷେପ କରି ସେମାନଙ୍କ ଗିରଫଦାରୀର ସମୀକ୍ଷା କରିବାକୁ ସେ ଦାବି କରିଥିଲେ।

ନବୀନଙ୍କ ବକ୍ତବ୍ୟର କଡ଼ା ଜବାବ ଦେଇ ବିଜେପି କହିଛି ଯେ, ୨୪ ବର୍ଷ ଧରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ରହିଥିବା ନବୀନ ପଟ୍ଟନାୟକ ଆଜି ଦେଶବିରୋଧୀ ଓ ଅରାଜକତା ସୃଷ୍ଟିକାରୀ ଗୋଷ୍ଠୀକୁ ସମର୍ଥନ କରୁଛନ୍ତି।

ବିଜେପି ନିଜ ‘ଏକ୍ସ’ ହ୍ୟାଣ୍ଡେଲରେ ଲେଖିଛି, “ବାଂଲାଦେଶ ଭଳି ହିଂସାତ୍ମକ ଉପାୟରେ ସରକାର ବଦଳାଇବାକୁ ଚାହୁଁଥିବା ଏବଂ ବିଦେଶୀ ଅନୁଦାନପ୍ରାପ୍ତ ଅରାଜକତାବାଦୀଙ୍କୁ ଆପଣଙ୍କ ସମର୍ଥନ ଆଦୌ ଆଶ୍ଚର୍ଯ୍ୟଜନକ ନୁହେଁ। କାରଣ ଆପଣଙ୍କ ସରକାର ସମୟରେ ହଜାର ହଜାର ବେଆଇନ୍ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ରାଜ୍ୟରେ ରହିବାକୁ ସୁଯୋଗ ଦିଆଯାଇଥିଲା। ଆପଣ ସେମାନଙ୍କୁ ଭୋଟର ବନାଇଥିଲେ ଏବଂ ଏବେ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ (SIR) ପ୍ରକ୍ରିୟାକୁ ବି ବିରୋଧ କରୁଛନ୍ତି।”

ବିଜେପି ସ୍ପଷ୍ଟ କରିଛି ଯେ, କୌଣସି ବି ରାଜନୈତିକ ସ୍ୱାର୍ଥଠାରୁ ଦେଶର ସୁରକ୍ଷା, ଶାନ୍ତି ଓ ସାର୍ବଭୌମତ୍ୱ ଅତି ଗୁରୁତ୍ୱପୂର୍ଣ୍ଣ। ଓଡ଼ିଶାର ଶାନ୍ତିପ୍ରିୟ ପରମ୍ପରା ଏବଂ ଜାତୀୟ ନିରାପତ୍ତା ପ୍ରତି ଆଞ୍ଚ ଆସିବା ଭଳି କୌଣସି କାର୍ଯ୍ୟକୁ ବରଦାସ୍ତ କରାଯିବ ନାହିଁ ବୋଲି ଶାସକ ଦଳ କହିଛି।