ଭୁବନେଶ୍ୱର: ସିଜେପିକୁ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ସମର୍ଥନ ପ୍ରସଙ୍ଗକୁ ନେଇ ବିଜେଡି ଉପରେ ଶାଣିତ ଆକ୍ରମଣ କରିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ବିଜେଡି ନେତାମାନଙ୍କର ବିଚାର ବିଭ୍ରାଟ ଘଟିଛି ବୋଲି ଅଭିଯୋଗ କରିବା ସହ ଦେଶର ସ୍ୱାର୍ଥ ଅପେକ୍ଷା କିଛି ନେତା ନିଜର ରାଜନୈତିକ ସ୍ୱାର୍ଥକୁ ଅଧିକ ଗୁରୁତ୍ୱ ଦେଉଛନ୍ତି ବୋଲି ସେ ମଙ୍ଗଳବାର କହିଛନ୍ତି।
ମନମୋହନ ସାମଲ କହିଛନ୍ତି ଯେ, ବିଜେଡି ନେତାମାନେ ଗୋଟିଏ ସମୟରେ ଗୋଟିଏ କଥା କହୁଥିବା ବେଳେ ଅନ୍ୟ ସମୟରେ ସମ୍ପୂର୍ଣ୍ଣ ଭିନ୍ନ ସ୍ୱର ଆପଣାଉଛନ୍ତି। ପୂର୍ବରୁ କଂଗ୍ରେସ ଓ ବିଜେପିଠାରୁ ‘ସମଦୂରତା’ ର ବାର୍ତ୍ତା ଦେଉଥିବା ବିଜେଡି ଏବେ କେଉଁ ଆଭିମୁଖ୍ୟ ଗ୍ରହଣ କରୁଛି, ତାହା ଦଳ ସ୍ପଷ୍ଟ କରିବା ଆବଶ୍ୟକ। ଦଳର ନେତାମାନେ କାହା ସହ ରହିବେ, ସେନେଇ ସାଧାରଣରେ ନିଜର ଆଭିମୁଖ୍ୟ ସ୍ପଷ୍ଟ ରଖିବା ଦରକାର ବୋଲି ସେ ଦାବି କରିଛନ୍ତି।
ରାଜ୍ୟ ବିଜେପି ସଭାପତି ସ୍ପଷ୍ଟ ଭାବେ ମତ ରଖିଛନ୍ତି ଯେ, ଦେଶର ସୁରକ୍ଷା ଓ ସାର୍ବଭୌମତ୍ୱ ସହ ଜଡ଼ିତ ପ୍ରସଙ୍ଗରେ ପ୍ରତ୍ୟେକ ରାଜନୈତିକ ଦଳ ଦାୟିତ୍ୱବାନ ହେବା ଉଚିତ। ଚୀନ୍ ଏବଂ ପାକିସ୍ତାନ ସପକ୍ଷରେ ମତ ରଖୁଥିବା କିମ୍ବା ସେମାନଙ୍କୁ ପରୋକ୍ଷରେ ସମର୍ଥନ କରୁଥିବା ଶକ୍ତିଙ୍କୁ ପ୍ରଶ୍ରୟ ଦେବା ଆଦୌ ଗ୍ରହଣୀୟ ନୁହେଁ।
ସେ ପୂର୍ବ ଇତିହାସ ମନେ ପକାଇ କହିଛନ୍ତି ଯେ, ୧୯୬୫ ଓ ୧୯୭୧ ଯୁଦ୍ଧଠାରୁ ଆରମ୍ଭ କରି ବାଲାକୋଟ୍ ଏୟାର ଷ୍ଟ୍ରାଇକ୍ ଏବଂ ସର୍ଜିକାଲ ଷ୍ଟ୍ରାଇକ୍ ପର୍ଯ୍ୟନ୍ତ ଯେତେବେଳେ ବି ଦେଶର ସୁରକ୍ଷା ପ୍ରସଙ୍ଗ ଆସିଛି, ସମଗ୍ର ଦେଶବାସୀ ସବୁ ଭେଦଭାବ ଭୁଲି ଏକଜୁଟ ହୋଇଛନ୍ତି। ତେଣୁ ଦେଶର ସ୍ୱାର୍ଥକୁ ସର୍ବଦା ପ୍ରାଥମିକତା ଦିଆଯିବା ଜରୁରୀ।
ବିଜେଡିର ଏଭଳି ଦ୍ୱିମୁଖୀ ନୀତିକୁ ଲୋକେ ନିରୀକ୍ଷଣ କରୁଛନ୍ତି ବୋଲି ପ୍ରକାଶ କରି ମନମୋହନ କହିଛନ୍ତି ଯେ, ଓଡ଼ିଶାର ସଚେତନ ଜନସାଧାରଣ ସବୁ ରାଜନୈତିକ ଦଳର କାର୍ଯ୍ୟକଳାପକୁ ଲକ୍ଷ୍ୟ କରୁଛନ୍ତି ଏବଂ ଠିକ୍ ସମୟରେ ଏହାର ଉଚିତ୍ ଜବାବ ଦେବେ।




