ବିଜୟୱାଡ଼ା: ବାଂଲାଦେଶରୁ ଚୋରାରେ ସୁନା ଆଣି କୋଲକାତା ଦେଇ ହାଇଦ୍ରାବାଦକୁ ପଠାଯାଉଥିବା ଏକ ଆନ୍ତର୍ଜାତୀୟ ସୁନା ଚୋରାଚାଲାଣ ରାକେଟ୍ର ପର୍ଦ୍ଦାଫାସ୍ କରିଛି ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ (DRI)। ଏହି ମାମଲାରେ ୫ ଜଣଙ୍କୁ ଗିରଫ କରାଯାଇଥିବାବେଳେ ପ୍ରାୟ ୩.୧୪୭ କେଜି ବିଦେଶୀ ସୁନା ଓ ବିଦେଶୀ ମୁଦ୍ରା ଜବତ ହୋଇଛି। ଜବତ ସାମଗ୍ରୀର ମୋଟ ମୂଲ୍ୟ ୫.୮୪ କୋଟି ଟଙ୍କା ଆକଳନ କରାଯାଇଛି।
DRIର ହାଇଦ୍ରାବାଦ ଜୋନାଲ୍ ୟୁନିଟ୍ ଓ ବିଜୟୱାଡ଼ା ରିଜିଓନାଲ୍ ୟୁନିଟ୍ ଗୁଇନ୍ଦା ସୂଚନା ଆଧାରରେ ମିଳିତ ଅଭିଯାନ ଆରମ୍ଭ କରିଥିଲେ। ଏହି ସମୟରେ ବିଜୟୱାଡ଼ାର ବାହାର ଅଞ୍ଚଳରେ ଏକ ସ୍କର୍ପିଓ ଗାଡ଼ିକୁ ଅଟକାଇ ଯାଞ୍ଚ କରାଯାଇଥିଲା। ଗାଡ଼ିରୁ ୬୦ ହଜାର ଆମେରିକୀୟ ଡଲାର ଓ ୨୧,୫୦୦ ୟୁରୋ ଜବତ ହୋଇଥିଲା। ଏହି ଗାଡ଼ିରେ ଥିବା ଦୁଇ ଜଣଙ୍କୁ ଅଟକ ରଖାଯାଇଥିଲା।
ଏହାପରେ ହାଇଦ୍ରାବାଦ ଅଭିମୁଖେ ଯାଉଥିବା ଏକ ବସ୍କୁ ଟୋଲ୍ ପ୍ଲାଜା ନିକଟରେ ଅଟକାଇ ଯାଞ୍ଚ କରାଯାଇଥିଲା। ବସ୍ରେ ଯାତ୍ରା କରୁଥିବା ଅନ୍ୟ ତିନି ଜଣଙ୍କ ଅଣ୍ଟାରୁ ବିଦେଶୀ ମୂଳର ସୁନା ବିସ୍କୁଟ୍ ମିଳିଥିଲା। ଏହାର ମୋଟ ଓଜନ ପ୍ରାୟ ୩.୧୪୭ କେଜି ବୋଲି DRI ପକ୍ଷରୁ କୁହାଯାଇଛି।
ଏହି ମାମଲାରେ ଗିରଫ ହୋଇଥିବା ପାଞ୍ଚ ଜଣଙ୍କୁ ସ୍ଥାନୀୟ ମାଜିଷ୍ଟ୍ରେଟ୍ଙ୍କ ନିକଟରେ ହାଜର କରାଯିବା ପରେ ବିଚାର ବିଭାଗୀୟ ହେପାଜତକୁ ପଠାଯାଇଛି।
ଜବତ ବିଦେଶୀ ମୁଦ୍ରା ଓ ସୁନାକୁ ନେଇ ତଦନ୍ତ ଜାରି ରହିଛି। ଏହି ଚୋରାଚାଲାଣ ନେଟୱର୍କରେ ଆଉ କେଉଁମାନେ ସାମିଲ ଅଛନ୍ତି ଏବଂ ବିଦେଶୀ ମୁଦ୍ରାର ଉତ୍ସ କ’ଣ, ସେନେଇ DRI ଅଧିକ ଖୋଳତାଡ଼ କରୁଛି।




