ଜାତିସଂଘ: ଅପ୍ରମାଣିତ ଅଭିଯୋଗ, ଅସମ୍ପୂର୍ଣ୍ଣ ପରିସଂଖ୍ୟାନ ଏବଂ ଭାରତ ସମ୍ପର୍କିତ ନିର୍ଦ୍ଦିଷ୍ଟ ତଥ୍ୟ ନଥିବା ରିପୋର୍ଟ ଆଧାରରେ ଦେଶର ଭାବମୂର୍ତ୍ତିକୁ ନକାରାତ୍ମକ ଭାବେ ଉପସ୍ଥାପନ କରିବା ଉଦ୍ୟମକୁ ଜାତିସଂଘରେ ଦୃଢ଼ ବିରୋଧ କରିଛି ଭାରତ। ମାନବାଧିକାର ପ୍ରସଙ୍ଗକୁ କୌଣସି ଦେଶ ଉପରେ ରାଜନୈତିକ ଚାପ ପକାଇବା କିମ୍ବା ନିର୍ଦ୍ଦିଷ୍ଟ ଦେଶକୁ ବାଛି ଟାର୍ଗେଟ୍‌ କରିବାର ମାଧ୍ୟମ କରାଯିବା ଉଚିତ ନୁହେଁ ବୋଲି ନୂଆଦିଲ୍ଲୀ ସ୍ପଷ୍ଟ କରିଛି।

ମଙ୍ଗଳବାର ନ୍ୟୁୟର୍କସ୍ଥିତ ଜାତିସଂଘ ମହାସଭାର ତୃତୀୟ କମିଟିରେ ବଳପୂର୍ବକ ନିଖୋଜ ଘଟଣା ସମ୍ପର୍କିତ କାର୍ଯ୍ୟକାରୀ ଗୋଷ୍ଠୀର ପ୍ରସଙ୍ଗ ଉପରେ ଆଲୋଚନା ସମୟରେ ଭାରତ ନିଜର ପକ୍ଷ ରଖିଥିଲା। ବୈଦେଶିକ ମନ୍ତ୍ରଣାଳୟର ଉପସଚିବ ବରଖା ତମ୍ରାକର ଭାରତ ପକ୍ଷରୁ ବିବୃତି ରଖି ଅଭିଯୋଗରେ ନିରପେକ୍ଷତା, ସ୍ୱଚ୍ଛତା ଓ ପ୍ରମାଣର ଗୁରୁତ୍ୱ ଉପରେ ଜୋର୍‌ ଦେଇଥିଲେ।

ପ୍ରମାଣ ଥିଲେ ସ୍ପଷ୍ଟୀକରଣ ଦେବାକୁ ପ୍ରସ୍ତୁତ

ଭାରତ କହିଛି, ଜାତିସଂଘର ରିପୋର୍ଟକୁ ତାହାର ପ୍ରକୃତ ତଥ୍ୟ ଓ ପରିପ୍ରେକ୍ଷୀ ଅନୁସାରେ ଉପସ୍ଥାପନ କରାଯିବା ଆବଶ୍ୟକ। କୌଣସି ମାନବାଧିକାର ସମ୍ପର୍କିତ ଯୋଗାଯୋଗ କିମ୍ବା ଅଭିଯୋଗକୁ ଅଦାଲତଙ୍କ ରାୟ ବା ଚୂଡ଼ାନ୍ତ ନିଷ୍କର୍ଷ ଭାବେ ଦର୍ଶାଇବା ଠିକ୍‌ ନୁହେଁ। ନିର୍ଦ୍ଦିଷ୍ଟ ଘଟଣା ସମ୍ପର୍କରେ ଉପଯୁକ୍ତ ଦସ୍ତାବିଜ୍‌ ଓ ପ୍ରମାଣ ଦିଆଗଲେ, ପ୍ରଚଳିତ ବ୍ୟବସ୍ଥା ଅନୁସାରେ ତାହାର ଜବାବ ଦେବାକୁ ଭାରତ ପ୍ରସ୍ତୁତ ବୋଲି କୁହାଯାଇଛି।

ତେବେ ଅପ୍ରମାଣିତ ଦାବି ଓ ଅସମ୍ପୂର୍ଣ୍ଣ ତଥ୍ୟ ଆଧାରରେ ବିଶ୍ୱର ସର୍ବବୃହତ୍‌ ଗଣତନ୍ତ୍ରର ଛବିକୁ ଖରାପ କରିବା ଉଦ୍ୟମକୁ ଭାରତ ଗ୍ରହଣ କରିବ ନାହିଁ ବୋଲି ନିଜ ଆଭିମୁଖ୍ୟ ସ୍ପଷ୍ଟ କରିଛି।

ଯୁବ ଆନ୍ଦୋଳନ ଉପରେ ପୁଲିସ କାର୍ଯ୍ୟାନୁଷ୍ଠାନ ନେଇ ଉଦ୍‌ବେଗ

ଦିଲ୍ଲୀରେ ଯୁବନେତୃତ୍ୱାଧୀନ ଆନ୍ଦୋଳନକୁ ପୁଲିସ ମୁକାବିଲା କରିଥିବା ଶୈଳୀକୁ ନେଇ ଜାତିସଂଘର ମାନବାଧିକାର ବିଶେଷଜ୍ଞମାନେ ଉଦ୍‌ବେଗ ପ୍ରକାଶ କରିବା ପରିପ୍ରେକ୍ଷୀରେ ଭାରତର ଏହି ବିବୃତି ଆସିଛି। ୨୦ରୁ ଅଧିକ ଜାତିସଂଘ ମାନବାଧିକାର ବିଶେଷଜ୍ଞ ଶାନ୍ତିପୂର୍ଣ୍ଣ ଆନ୍ଦୋଳନକାରୀଙ୍କ ବିରୋଧରେ ପୁଲିସର କଠୋର କାର୍ଯ୍ୟାନୁଷ୍ଠାନ, ଅଟକ ଓ ବଳ ପ୍ରୟୋଗ ସମ୍ପର୍କିତ ଅଭିଯୋଗ ଉପରେ ଚିନ୍ତା ପ୍ରକାଶ କରିଥିଲେ। ଏହି ଅଭିଯୋଗଗୁଡ଼ିକର ନିରପେକ୍ଷ ତଦନ୍ତ ପାଇଁ ମଧ୍ୟ ସେମାନେ ଆହ୍ୱାନ ଦେଇଥିଲେ।

ଏହା ପୂର୍ବରୁ ମଧ୍ୟ ଯୁବକମାନଙ୍କ ଦ୍ୱାରା ଗଠିତ ଏକ ବ୍ୟଙ୍ଗାତ୍ମକ ରାଜନୈତିକ ଆନ୍ଦୋଳନ ଏବଂ ମାନସିକ ସ୍ୱାସ୍ଥ୍ୟ ଓ ଲିଙ୍ଗଗତ ନ୍ୟାୟ ଭଳି ପ୍ରସଙ୍ଗ ଉଠାଉଥିବା ଯୁବକଙ୍କ ପ୍ରତି ଭେଦଭାବ ଅଭିଯୋଗ ସମ୍ପର୍କିତ ଜାତିସଂଘ ରିପୋର୍ଟକୁ ଭାରତ ଖଣ୍ଡନ କରିଥିଲା।

ମାନବାଧିକାର ସୁରକ୍ଷା ସହ ଜଡ଼ିତ ଆନ୍ତର୍ଜାତିକ ଆଲୋଚନାରେ ନିରପେକ୍ଷତା, ନିର୍ଦ୍ଦିଷ୍ଟ ପ୍ରମାଣ ଓ ସମସ୍ତ ଦେଶ ପ୍ରତି ସମାନ ମାନଦଣ୍ଡ ଅବଲମ୍ବନ କରିବା ଆବଶ୍ୟକ ବୋଲି ଭାରତ ଗୁରୁତ୍ୱାରୋପ କରିଛି।