ବାରାଣସୀ: ଉତ୍ତର ପ୍ରଦେଶର ବାରାଣସୀଠାରେ ଅନୁଷ୍ଠିତ ଭାରତୀୟ ବାୟୁସେନାର ଏୟାର ଶୋ ସମୟରେ ଏକ ସାଙ୍ଘାତିକ ଘଟଣା ସାମ୍ନାକୁ ଆସିଛି। ନିଜକୁ ଭାରତୀୟ ସେନାର କ୍ୟାପ୍ଟେନ୍ ଭାବେ ପରିଚୟ ଦେଇ ହାଇ-ସିକ୍ୟୁରିଟି ଜୋନ୍‌ରେ ବୁଲୁଥିବା ଜଣେ ଯୁବକଙ୍କୁ ପୋଲିସ ଗିରଫ କରିଛି। ସନ୍ଦେହଜନକ ଭାବେ ବୁଲାବୁଲି କରୁଥିବା ବେଳେ ପୋଲିସ ତାଙ୍କୁ ଧରିଥିଲା।

ଗିରଫ ଯୁବକଜଣକ ଉତ୍ତର ପ୍ରଦେଶର ଆଜମଗଡ଼ ଜିଲ୍ଲାର ଅର୍ପିତ ଚତୁର୍ବେଦୀ ବୋଲି ପୋଲିସ ସୂଚନା ଦେଇଛି।

ସୂଚନା ଅନୁଯାୟୀ, ଗତ ଅକ୍ଟୋବର ୨୪ ତାରିଖରେ ନମୋ ଘାଟରେ ଏୟାର ଶୋ’ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।

ନମୋ ଘାଟସ୍ଥିତ ହେଲିପ୍ୟାଡ୍ ନିକଟରେ ଜଣେ ଯୁବକ ନିଜକୁ ଭାରତୀୟ ସେନାର କ୍ୟାପ୍ଟେନ୍ ବୋଲି ପରିଚୟ ଦେଇ ବୁଲାବୁଲି କରୁଥିବା ନେଇ ଆଦମପୁର ଥାନାର ସବ୍-ଇନ୍ସପେକ୍ଟର ଚନ୍ଦନ କୁମାର ଓ ତାଙ୍କ ଟିମ୍ ଗୁପ୍ତ ସୂଚନା ପାଇଥିଲେ।

ସୁରକ୍ଷାକର୍ମୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଅଟକ ରଖି ପଚରାଉଚୁରା କରିଥିଲେ। ସେ ନିଜକୁ ‘କ୍ୟାପ୍ଟେନ୍ ଅର୍ପିତ ଚତୁର୍ବେଦୀ’ ବୋଲି ଦାବି କରିଥିଲେ। ମାତ୍ର ତାଙ୍କର କାଗଜପତ୍ର ଏବଂ ସେବା ସମ୍ବନ୍ଧୀୟ ତଥ୍ୟ ଯାଞ୍ଚ କରିବା ପରେ ତାଙ୍କର ଏହି ଦାବି ସମ୍ପୂର୍ଣ୍ଣ ମିଛ ବୋଲି ପ୍ରମାଣିତ ହୋଇଥିଲା।

ଯୁବକଜଣକ ଭାରତୀୟ ସେନାରେ ନଥିବା ନିଶ୍ଚିତ ହେବା ପରେ ଆଦମପୁର ଥାନା ପୋଲିସ ତାଙ୍କ ବିରୋଧରେ କଡ଼ା ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଭାରତୀୟ ନ୍ୟାୟ ସଂହିତା (BNS), ୨୦୨୩ର ଧାରା ୨୦୪ ଏବଂ ୩୧୮(୪) ଅଧୀନରେ କେସ୍ ନଂ ୦୧୮୯/୨୦୨୬ ରୁଜୁ କରାଯାଇଛି।

ସେନା କ୍ୟାପ୍ଟେନ୍ ସାଜି ହାଇ-ସିକ୍ୟୁରିଟି ସ୍ଥାନକୁ ପ୍ରବେଶ କରିବା ପଛରେ ତାଙ୍କର ପ୍ରକୃତ ଉଦ୍ଦେଶ୍ୟ କ’ଣ ଥିଲା, ସେ ନେଇ ପୋଲିସ ଅଧିକ ତଦନ୍ତ ଓ ପଚରାଉଚୁରା ଜାରି ରଖିଛି।