ଅଯୋଧ୍ୟା: ଋତୁପରିବର୍ତ୍ତନ ଓ ଶୀତଦିନର ଆଗମନକୁ ଦୃଷ୍ଟିରେ ରଖି ଉତ୍ତର ପ୍ରଦେଶ ଅଯୋଧ୍ୟାର ଶ୍ରୀରାମ ଜନ୍ମଭୂମି ମନ୍ଦିରରେ ମହାପ୍ରଭୁ ଶ୍ରୀରାମଲଲାଙ୍କ ଦୈନନ୍ଦିନ ପୂଜାପାଠ, ଆରତୀ, ଭୋଗ, ବିଶ୍ରାମ ଏବଂ ଦର୍ଶନ ସମୟସୂଚୀରେ ସଂଶୋଧନ କରାଯାଇଛି। ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଏହି ନୂଆ ସମୟସୂଚୀ ଆସନ୍ତା ନଭେମ୍ବର ୧ ତାରିଖରୁ ଆନୁଷ୍ଠାନିକ ଭାବେ ଲାଗୁ ହେବ।

ବର୍ତ୍ତମାନ ଭୋର ୩:୪୫ରେ ମନ୍ଦିର ଦ୍ୱାର ଫିଟୁଥିବା ବେଳେ ନୂଆ ନିୟମ ଅନୁସାରେ ଏହା ସକାଳ ୪ଟାରେ ଫିଟିବ। ସେହିପରି ରାତି ୧୦:୩୦ ବଦଳରେ ରାତି ୧୦ଟାରେ ମନ୍ଦିରର ସମସ୍ତ ଦ୍ୱାର ବନ୍ଦ କରାଯିବ।

ନୂଆ ସମୟସୂଚୀ ଓ ଆରତୀ ନୀତିକାନ୍ତି

  • ମଙ୍ଗଳା ଆରତୀ ଓ ଶୃଙ୍ଗାର: ସକାଳ ୪ଟାରେ ମନ୍ଦିର ଦ୍ୱାର ଫିଟିବା ପରେ ୪:୩୦ରୁ ୪:୪୦ ପର୍ଯ୍ୟନ୍ତ ମଙ୍ଗଳା ଆରତୀ ହେବ। ଏହାପରେ ଅଭିଷେକ, ଶୃଙ୍ଗାର, ଧୂପ-ଦୀପ ଓ ନୈବେଦ୍ୟ ପାଇଁ ୬:୩୦ ଯାଏଁ ଦ୍ୱାର ବନ୍ଦ ରହିବ। ସକାଳ ୬:୩୦ରେ ଶୃଙ୍ଗାର ଆରତୀ ପରେ ୭ଟାରୁ ଶ୍ରଦ୍ଧାଳୁଙ୍କ ଦର୍ଶନ ଆରମ୍ଭ ହେବ।
  • ବାଲଭୋଗ ଓ ରାଜଭୋଗ: ସକାଳ ୮ଟାରୁ ୮:୧୦ ବାଲଭୋଗ ପାଇଁ ଦର୍ଶନ ବନ୍ଦ ରହିବ। ୧୧:୩୦ରୁ ମଧ୍ୟାହ୍ନ ୧୨ଟା ଯାଏଁ ରାଜଭୋଗ ଓ ୧୨ଟାରେ ରାଜଭୋଗ ଆରତୀ ହେବ।
  • ରାମଲଲାଙ୍କ ବିଶ୍ରାମ: ମଧ୍ୟାହ୍ନ ୧୨:୩୦ରୁ ୧:୩୦ ପର୍ଯ୍ୟନ୍ତ ପ୍ରଭୁ ଶ୍ରୀରାମଲଲା ବିଶ୍ରାମ ନେବେ। ପୁଜାରୀଙ୍କ ପ୍ରବେଶ ଓ ଅଳ୍ପଭୋଗ ପରେ ଅପରାହ୍ନ ୧:୩୫ରୁ ପୁନର୍ବାର ଦର୍ଶନ ଚାଲୁ ରହିବ।
  • ସନ୍ଧ୍ୟା ଆରତୀ ଓ ଶୟନ ଆରତୀ: ସନ୍ଧ୍ୟା ୪ଟାରୁ ୪:୧୦ ବାଲଭୋଗ ପରେ ୬:୪୫ ଯାଏଁ ଦର୍ଶନ ଚାଲିବ। ୭ଟାରେ ସନ୍ଧ୍ୟା ଆରତୀ, ରାତି ୮ଟାରୁ ୮:୩୦ ଏବଂ ୯:୧୫ରୁ ୯:୩୦ ଦ୍ୱାର ବନ୍ଦ ରହିବା ପରେ ରାତି ୯:୩୦ରେ ଶୟନ ଆରତୀ ହେବ ଏବଂ ୧୦ଟାରେ ମନ୍ଦିର ବନ୍ଦ ହେବ।

ସମୟ ବଦଳିବାର କାରଣ

ମନ୍ଦିର ଧାର୍ମିକ କମିଟିର ସଦସ୍ୟ ରାଜକୁମାର ଦାସ କହିଛନ୍ତି ଯେ, ଦେଶର ସମସ୍ତ ପ୍ରମୁଖ ମନ୍ଦିରରେ ଋତୁ ଅନୁସାରେ ପୂଜାର୍ଚ୍ଚନା ଓ ଦର୍ଶନ ସମୟସୂଚୀରେ ପରିବର୍ତ୍ତନ କରାଯିବାର ପରମ୍ପରା ରହିଛି। ଶ୍ରୀରାମଲଲାଙ୍କୁ ବାଲ୍ୟରୂପରେ ପୂଜାର୍ଚ୍ଚନା କରାଯାଉଥିବାରୁ ଏବଂ ଶୀତଦିନେ ରାତି ବଡ଼ ଓ ଦିନ ଛୋଟ ହେଉଥିବାରୁ ଶ୍ରଦ୍ଧାପୂର୍ବକ ପ୍ରଭୁଙ୍କ ସେବା ଓ ନୀତିକାନ୍ତିକୁ ଦୃଷ୍ଟିରେ ରଖି ଏହି ପରିବର୍ତ୍ତନ କରାଯାଇଛି।