ଭୁବନେଶ୍ୱର: ବାତ୍ୟା ‘ଅର୍ଣ୍ଣବ’ ବର୍ଷା ଯୋଗୁଁ ଓଡ଼ିଶାରେ ସୃଷ୍ଟି ହୋଇଥିବା ବନ୍ୟାରେ ଗୃହପାଳିତ ପଶୁପକ୍ଷୀ ବ୍ୟାପକ ଭାବେ ପ୍ରଭାବିତ ହୋଇଛନ୍ତି। ରାଜ୍ୟରେ ୨.୫୭ ଲକ୍ଷରୁ ଊର୍ଦ୍ଧ୍ୱ ପ୍ରାଣୀ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଥିବା ବେଳେ ୯୭ ହଜାରରୁ ଅଧିକ କୁକୁଡ଼ା ଏବଂ ଶତାଧିକ ଗାଈ, ଗୋରୁ, ଛେଳି ଓ ମେଣ୍ଢାଙ୍କ ମୃତ୍ୟୁ ଘଟିଥିବା ନେଇ ରବିବାର ସରକାରୀ ତଥ୍ୟରୁ ଜଣାପଡ଼ିଛି।

ସରକାରୀ ହିସାବ ଅନୁଯାୟୀ, ମୋଟ ୨,୫୭,୩୭୬ଟି ପ୍ରାଣୀ ପ୍ରଭାବିତ ହୋଇଛନ୍ତି। ସେଥିମଧ୍ୟରେ ୧,୧୮,୪୭୯ ଗାଈ-ମହିଷି, ୧,୩୮,୮୯୭ ଛେଳି-ମେଣ୍ଢା ଏବଂ ୧,୧୫,୬୪୯ଟି କୁକୁଡ଼ା ରହିଛନ୍ତି। ବନ୍ୟା ଯୋଗୁଁ ୧୨୬ଟି ଗାଈ-ମହିଷି, ୪୦୬ଟି ଛେଳି-ମେଣ୍ଢା ଏବଂ ୯୭,୦୦୩ଟି କୁକୁଡ଼ାଙ୍କ ପ୍ରାଣହାନି ଘଟିଛି। ଏହି କ୍ଷୟକ୍ଷତି ଯୋଗୁଁ ମୋଟ ୧୩,୩୨୦ ଜଣ ପ୍ରାଣୀପାଳକ ସିଧାସଳଖ ପ୍ରଭାବିତ ହୋଇଛନ୍ତି।

ପ୍ରଭାବିତ ଅଞ୍ଚଳରେ ରାଜ୍ୟ ସରକାର ପ୍ରାଣୀ ସମ୍ପଦ ସୁରକ୍ଷା ପାଇଁ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟକୁ ଜୋରଦାର କରିଛନ୍ତି:

  • ଉଦ୍ଧାର ଓ ଆଶ୍ରୟ: ବର୍ତ୍ତମାନ ସୁଦ୍ଧା ୧,୯୧୮ଟି ପ୍ରାଣୀଙ୍କୁ ଉଦ୍ଧାର କରାଯାଇ ୩୧ଟି ସ୍ଥାନରେ ଖୋଲାଯାଇଥିବା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି।
  • ମେଡିକାଲ ଟିମ୍ ଓ ଟିକାକରଣ: ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ୭୨ଟି ରୋଭିଂ ଆପିଡ୍ ରେସପନ୍ସ ଟିମ୍ (RRT) ନିୟୋଜିତ ହୋଇଥିବା ବେଳେ ୧୧୬ଟି ପ୍ରାଣୀ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇଛି। ୧୯,୫୮୨ଟି ପ୍ରାଣୀଙ୍କୁ ବାତ୍ୟା ପରବର୍ତ୍ତୀ ପ୍ରତିଷେଧକ ଟିକା ଦିଆଯାଇଛି।
  • ଗୋଖାଦ୍ୟ ଯୋଗାଣ: ଗଞ୍ଜାମ ଜିଲ୍ଲାକୁ ୨୦୧.୪ ମେଟ୍ରିକ୍ ଟନ୍ ଗୋଖାଦ୍ୟ ପଠାଯାଇଛି, ଯେଉଁଥିରୁ ୮୭ ମେଟ୍ରିକ୍ ଟନ୍ ବଣ୍ଟନ ଶେଷ ହୋଇଛି। ଏହା ବ୍ୟତୀତ ୫୩.୫୩ କ୍ୱିଣ୍ଟାଲ କଞ୍ଚା ଘାସ ଏବଂ ୪୨.୪୧ କ୍ୱିଣ୍ଟାଲ କୁଣ୍ଡା ଯୋଗାଇ ଦିଆଯାଇଛି।

ପରିସ୍ଥିତି ଉପରେ ନଜର ରଖିବା ପାଇଁ ବ୍ଲକ, ସବ୍-ଡିଭିଜନ ଏବଂ ଜିଲ୍ଲା ସ୍ତରରେ କଣ୍ଟ୍ରୋଲ ରୁମ୍ ସ୍ଥାପନ କରାଯାଇଛି। ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ପ୍ରଭାବିତ ପ୍ରାଣୀପାଳକମାନଙ୍କୁ ତୁରନ୍ତ କ୍ଷତିପୂରଣ ସହାୟତା ପ୍ରଦାନ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଗଞ୍ଜାମ ଜିଲ୍ଲାରେ ସ୍ୱତନ୍ତ୍ର ଭାବେ ୨୩ଟି ଆରଆରଟି (RRT) ଦଳ ଏବଂ ୫୫ଟି ପ୍ରାଣୀ ସ୍ୱାସ୍ଥ୍ୟ ଶିବିର କାର୍ଯ୍ୟକାରୀ ହୋଇଛି।