ଚଣ୍ଡୀଗଡ଼: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ କଟାକ୍ଷ କରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ ରାହୁଲ ଯଦି ଦେଶର ପ୍ରଧାନମନ୍ତ୍ରୀ ହେବାକୁ ଚାହୁଁଛନ୍ତି, ତେବେ ତାଙ୍କୁ ସାରା ଜୀବନ ‘ନକଲି ସଂସଦ’ରେ ହିଁ ବିତାଇବାକୁ ପଡ଼ିବ, କାରଣ ବାସ୍ତବ ସଂସଦରେ ତାଙ୍କର ନମ୍ବର କେବେ ଆସିବ ନାହିଁ। ରବିବାର ଚଣ୍ଡୀଗଡ଼ରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଗୃହମନ୍ତ୍ରୀ କଂଗ୍ରେସର ମୁଖ୍ୟ ନିର୍ବାଚନ ଆୟୁକ୍ତ (CEC) ଜ୍ଞାନେଶ କୁମାରଙ୍କ ବିରୋଧରେ ଆୟୋଜିତ ‘ମହାଭିଯୋଗ ନାଟକ’ ଏବଂ ରାହୁଲଙ୍କ ପ୍ରଧାନମନ୍ତ୍ରୀ ହେବାର ସ୍ୱପ୍ନକୁ ନେଇ ଏହି ବାଣପ୍ରହାର କରିଛନ୍ତି।
ଅମିତ ଶାହ କହିଛନ୍ତି ଯେ ଗତ ୧୫ ବର୍ଷ ହେବ ରାହୁଲ ଗାନ୍ଧୀ କ୍ରମାଗତ ଭାବେ ନିର୍ବାଚନରେ ପରାଜୟର ସ୍ୱାଦ ଚାଖୁଛନ୍ତି ଏବଂ ତାଙ୍କ ମା’ ସୋନିଆ ଗାନ୍ଧୀଙ୍କ ପୁଅକୁ ପ୍ରଧାନମନ୍ତ୍ରୀ ଆସନରେ ଦେଖିବାର ସ୍ୱପ୍ନ ଅପୂରଣୀୟ ହୋଇ ରହିଛି।
୧୯୮୪ ଶିଖ୍ ବିରୋଧୀ ଦଙ୍ଗାର ଶୋକ ଦିବସରେ ଦିଲ୍ଲୀରେ ରାହୁଲ ଗାନ୍ଧୀ ରାଲି ଆୟୋଜନ କରିଥିବାରୁ ଗୃହମନ୍ତ୍ରୀ ତାଙ୍କୁ ଦୃଢ଼ ଶବ୍ଦରେ ନିନ୍ଦା କରିଛନ୍ତି:
୧୯୮୪ ନଭେମ୍ବର ୧ ତାରିଖରେ କଂଗ୍ରେସ ହଜାର ହଜାର ନିରୀହ ସିଖ୍ଙ୍କୁ ହତ୍ୟା କରିଥିଲା। ଆଜି ସେହି ଦିନରେ ରାଲି କରି କଂଗ୍ରେସ ପୀଡ଼ିତ ପରିବାରର କ୍ଷତରେ ଲୁଣ ମାରିବା ସହ ସେମାନଙ୍କ ଆବେଗକୁ ଆଘାତ ପହଞ୍ଚାଇଛି। ଶିଖ୍ ସଂଗଠନ ଏବଂ ଦିଲ୍ଲୀର ବ୍ୟବସାୟୀମାନେ ଦୀପାବଳି ପରେ ରାଲି କରିବାକୁ ଅନୁରୋଧ କରିଥିଲେ ବି, ବିଦେଶୀ ନିର୍ଦ୍ଦେଶକ୍ରମେ ରାହୁଲ ଗାନ୍ଧୀ ଏହି ଦିନରେ ହିଁ ରାଲି କରିବାକୁ ଜିଦ୍ ଧରିଥିଲେ।
ମୋଦୀ ସରକାର ଦୋଷୀ କଂଗ୍ରେସ ନେତାଙ୍କ ବିରୋଧରେ ପୁନର୍ବାର ମାମଲା ଖୋଲି ସେମାନଙ୍କୁ ଜେଲ୍ ପଠାଇଛନ୍ତି ଏବଂ ପୀଡ଼ିତ ପରିବାରକୁ କ୍ଷତିପୂରଣ ଓ ଚାକିରି ଯୋଗାଇ ଦେଇଛନ୍ତି।
ଅନ୍ୟପଟେ, ୧୯୮୪ ଦଙ୍ଗାର ପୀଡ଼ିତଙ୍କୁ ଶ୍ରଦ୍ଧାଞ୍ଜଳି ଏବଂ ସମବେଦନା ଜଣାଇବା ପାଇଁ ପଶ୍ଚିମ ଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କ ନେତୃତ୍ୱରେ ବିଜେପି ‘ଗଣତନ୍ତ୍ର ବଞ୍ଚାଓ, ଅରାଜକତା ହଟାଓ’ ମାର୍ଚ୍ଚ ଆୟୋଜନ କରିଥିଲା। ସେହି କଳା ଅଧ୍ୟାୟକୁ ମନେ ପକାଇ ପୁରୀ କହିଛନ୍ତି ଯେ ଏହି ନରସଂହାର କୌଣସି ଗୋଟିଏ ସମ୍ପ୍ରଦାୟର ନୁହେଁ, ବରଂ ସମଗ୍ର ଦେଶର ଇତିହାସରେ ଏକ କ୍ଷତ। ପୀଡ଼ିତଙ୍କୁ ନ୍ୟାୟ ଦେବା ଏବଂ ଜାତୀୟ ଏକତା ରକ୍ଷା କରିବା ହିଁ ଏହି ଦୁଃଖଦ ଇତିହାସର ସବୁଠାରୁ ବଡ଼ ଶିକ୍ଷା।




