କଟକ: କଟକ ଚୌଦ୍ୱାର ସର୍କଲ ଜେଲ୍ର ପୂର୍ବତନ ମହିଳା ଜେଲରଙ୍କ ଦ୍ୱାରା ଅଣାଯାଇଥିବା ଗମ୍ଭୀର ଯୌନ ଉତ୍ପୀଡ଼ନ ଏବଂ ଧମକ ସଂକ୍ରାନ୍ତ ଅଭିଯୋଗ ଆଧାରରେ ରାଜ୍ୟ ସରକାର ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଡାଇରେକ୍ଟର ଜେନେରାଲ ଅଫ୍ ପୋଲିସ (ଡିଜିପି) ଜେଲ୍ ସୁଶାନ୍ତ କୁମାର ନାଥଙ୍କୁ ତାଙ୍କ ପଦବୀରୁ ହଟାଇ ଗୃହ ବିଭାଗରେ ଓଏସଡି (OSD) ଭାବେ ବଦଳି କରାଯାଇଛି।
ପୂର୍ବତନ ମହିଳା ଜେଲରଙ୍କ ଅଭିଯୋଗ ଅନୁଯାୟୀ, ୨୦୨୫ ଜୁନ୍ ୧୬ରେ ଡିଜି ଜେଲ୍ ଚୌଦ୍ୱାର ଜେଲ୍ ଗସ୍ତ କରିଥିବା ବେଳେ ସେ ଛୁଟିରେ ଥିଲେ। ପରେ ଜୁଲାଇ ୧୮ରେ ଟେଲିଫୋନ୍ ଆଲୋଚନା ସମୟରେ ଡିଜି ତାଙ୍କ ବନ୍ଧୁ କୁଲଦୀପ ରଥଙ୍କ ଜେଲ୍ ପରିଦର୍ଶନରେ ସହଯୋଗ କରିବାକୁ କହିଥିଲେ। ଏହି ସାକ୍ଷାତ ପରେ କୁଲଦୀପ ମହିଳା ଜେଲରଙ୍କ ମୋବାଇଲ୍ ନମ୍ବର ହାସଲ କରି ସାମାଜିକ ଗଣମାଧ୍ୟମରେ ଆପତ୍ତିଜନକ ମେସେଜ୍ ପଠାଇବା ଆରମ୍ଭ କରିଥିଲେ।
ମହିଳା ଜେଲରଙ୍କ ଏଫ୍ଆଇଆର୍ରେ ଉଲ୍ଲେଖ ରହିଛି ଯେ ୨୦୨୫ ଅଗଷ୍ଟ ୨୯ ଏବଂ ସେପ୍ଟେମ୍ବର ୨୫-୨୬ରେ କୁଲଦୀପଙ୍କ ମାଧ୍ୟମରେ ଡିଜି ସୁଶାନ୍ତ ନାଥ ତାଙ୍କୁ କଟକର ଦୁଇଟି ହୋଟେଲକୁ ଏକାକୀ ଆସିବାକୁ ଚାପ ପକାଇଥିଲେ। ସେ ଏହି ଅନୈତିକ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିବାରୁ ତାଙ୍କ କ୍ୟାରିଅର୍, ସୁନାମ ଏବଂ ଜୀବନପ୍ରତି ଧମକ ଦିଆଯାଇଥିଲା।
ଚୌଦ୍ୱାର ଜେଲ୍ରୁ ଦୁଇ ଜଣ ଦୁର୍ଦ୍ଦାନ୍ତ କଏଦୀ ଫେରାର ହେବା ମାମଲାରେ ସେତେବେଳର ସିନିୟର ସୁପରିଣ୍ଟେଣ୍ଡେଣ୍ଟ ସୁଜିତ କୁମାର ରାଉଳଙ୍କ ବିରୋଧରେ ସେ ଆଣିଥିବା ଦସ୍ତଖତ ଜାଲିଆତି ମାମଲା ପ୍ରତ୍ୟାହାର କରିବାକୁ ଡିଜି ତାଙ୍କ ଉପରେ ଚାପ ପକାଇଥିଲେ। ତାଙ୍କୁ ଫସାଇବା ପାଇଁ ସରକାରୀ ନଥିପତ୍ର ସହ ଫେରଫାର କରାଯାଇଥିବା ସେ ଅଭିଯୋଗ କରିଛନ୍ତି।
ପୀଡ଼ିତାଙ୍କ ଲିଖିତ ଅଭିଯୋଗ ଆଧାରରେ କଟକ ଚୌଦ୍ୱାର ଥାନା ପୋଲିସ ଅକ୍ଟୋବର ୩୧, ୨୦୨୬ରେ ଡିଜି ସୁଶାନ୍ତ କୁମାର ନାଥ ଏବଂ ତାଙ୍କ ବନ୍ଧୁ କୁଲଦୀପ ରଥଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତା (BNS)ର ଧାରା ୭୫(୨) (ଯୌନ ଉତ୍ପୀଡ଼ନ), ୩୫୧(୨) (ଅପରାଧିକ ଧମକ) ଏବଂ ୩(୫) ଅନୁଯାୟୀ ମାମଲା (ନଂ ୭୧୩/୨୬) ରୁଜୁ କରି ତଦନ୍ତ ଆରମ୍ଭ କରିଛି।




