ସାନା: ୟେମେନର ହୁତି ବିଦ୍ରୋହୀ ଗୋଷ୍ଠୀ ଉପରେ ପୁଣି ଥରେ ବଡ଼ ଧରଣର ବିମାନ ଆକ୍ରମଣ ହୋଇଛି। ହୁତି ନିୟନ୍ତ୍ରଣରେ ଥିବା ସାଲିଫ୍ ଓ ହୋଦେଇଦା ପ୍ରଦେଶର ଲୋହିତ ସାଗର ଉପକୂଳରେ ଅବସ୍ଥିତ ପ୍ରମୁଖ ରାସ୍ ଇସା ତୈଳ ବନ୍ଦର, ଏହାର ବାର୍ଥ ଏବଂ ସେଠାରେ ରହିଥିବା ଏକ ବାଣିଜ୍ୟିକ ଜାହାଜ ଉପରେ ଏକାଧିକ ଏୟାରଷ୍ଟ୍ରାଇକ୍ କରାଯାଇଛି।

ହୁତି ସଂଚାଳିତ ‘ଅଲ୍-ମସିରା’ ଟିଭିର ରିପୋର୍ଟ ଅନୁଯାୟୀ, ଏହି ବିମାନ ଆକ୍ରମଣ ପଛରେ “ସାଉଦି ଆକ୍ରମଣକାରୀ ବାହିନୀ”ର ହାତ ରହିଛି। ତେବେ ଏହି ଆକ୍ରମଣରେ କେତେ କ୍ଷୟକ୍ଷତି ହୋଇଛି କିମ୍ବା କେହି ମୃତାହତ ହୋଇଛନ୍ତି କି ନାହିଁ, ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।

ବନ୍ଦର ବ୍ୟତୀତ ହୁତି ସଂଗଠନର ଗଡ଼ କୁହାଯାଉଥିବା ଉତ୍ତର ସାଦା ସହରର ଦକ୍ଷିଣ-ପୂର୍ବରେ ଥିବା ଏକ ପ୍ରମୁଖ ଟେଲିଯୋଗାଯୋଗ କେନ୍ଦ୍ର ଉପରେ ମଧ୍ୟ ସାଉଦି ଯୁଦ୍ଧବିମାନ ଆକ୍ରମଣ କରିଥିବା ଦାବି କରାଯାଇଛି।

ହୁତି ସାମରିକ ପ୍ରବକ୍ତା ୟାହ୍ୟା ସାରିଆ ସାମାଜିକ ଗଣମାଧ୍ୟମ ‘X’ ରେ ପ୍ରକାଶ କରିଛନ୍ତି ଯେ ଗତ ୨୪ ଘଣ୍ଟା ମଧ୍ୟରେ ସାଦା, ତାଏଜ୍, ଅମରାନ୍, ଇବ୍, ଧାମାର, ଲାହଜ୍, ହୋଦେଇଦା ଏବଂ ଅଲ୍-ଜୌଫ୍ ପ୍ରଦେଶରେ ମୋଟ ୭୫ଟି ବିମାନ ଓ ମିସାଇଲ୍ ଆକ୍ରମଣ କରାଯାଇଛି।

ସମ୍ପ୍ରତି ଉତ୍ତେଜନା ଆରମ୍ଭ ହେବା ପରଠାରୁ ବର୍ତ୍ତମାନ ସୁଦ୍ଧା ମୋଟ ୩,୮୩୦ଟି ଆକ୍ରମଣ ହୋଇସାରିଛି ଏବଂ ଏଥିରେ ଅନେକ ବେସାମରିକ ନାଗରିକ ହତାହତ ହୋଇଛନ୍ତି ବୋଲି ସେ ଦାବି କରିଛନ୍ତି।

ଅନ୍ୟପଟେ, ସାଉଦି ଆରବ ନେତୃତ୍ୱାଧୀନ ମେଣ୍ଟ ପକ୍ଷରୁ କୁହାଯାଇଛି ଯେ ହୁତି ବିଦ୍ରୋହୀଙ୍କ ଦ୍ୱାରା ସାଉଦିର ଦକ୍ଷିଣ ଅଞ୍ଚଳକୁ ଲକ୍ଷ୍ୟ କରି ମାଡ଼ କରାଯାଇଥିବା ଏକ ଡ୍ରୋନ୍ ଏବଂ ବାଲିଷ୍ଟିକ୍ ମିସାଇଲ୍‌କୁ ଆକାଶମାର୍ଗରୁ ଖସାଇ ଦିଆଯାଇଛି।

୨୦୧୪ ମସିହାରୁ ହୁତି ବିଦ୍ରୋହୀମାନେ ରାଜଧାନୀ ସାନା ଦଖଲ କରିବା ପରଠାରୁ ୟେମେନରେ ଗୃହଯୁଦ୍ଧ ଚାଲିଛି। ୨୦୧୫ରେ ସାଉଦି ମେଣ୍ଟ ୟେମେନ୍ ସରକାରଙ୍କ ସମର୍ଥନରେ ଯୁଦ୍ଧରେ ପ୍ରବେଶ କରିଥିଲା। ବିଗତ କିଛି ସପ୍ତାହ ହେବ ଦୁଇ ପକ୍ଷ ମଧ୍ୟରେ ସୀମାପାର ଆକ୍ରମଣ ଓ ପ୍ରତିଆକ୍ରମଣ ତୀବ୍ର ରୂପ ଧାରଣ କରିଛି।