ନବରଙ୍ଗପୁର: ଜିଲ୍ଲାରେ ପ୍ରସ୍ତାବିତ ମଦ ଡିଷ୍ଟିଲେରୀ ବା ମଦ ପ୍ରସ୍ତୁତି କାରଖାନା ସ୍ଥାପନକୁ ନେଇ ତୀବ୍ର ବିରୋଧ ଦେଖାଦେଇଛି। ଏହି ପ୍ରକଳ୍ପକୁ ବିରୋଧ କରି ଶତାଧିକ ମହିଳା ଜନଶୁଣାଣି ସ୍ଥଳରେ ପହଞ୍ଚି ଘେରାଉ କରିବା ସହ ପ୍ରତିବାଦ ଜଣାଇଛନ୍ତି। ମଦ କାରଖାନା ସ୍ଥାପନ ହେଲେ ଅଞ୍ଚଳର ସାମାଜିକ ପରିବେଶ ଓ ଜନଜୀବନ ଉପରେ ଏହାର କୁପ୍ରଭାବ ପଡ଼ିବ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି ଆନ୍ଦୋଳନକାରୀ।

ମହିଳାମାନେ ଏକାଠି ହୋଇ ପ୍ରସ୍ତାବିତ ଡିଷ୍ଟିଲେରୀ ପ୍ରକଳ୍ପକୁ ଅନୁମତି ନଦେବାକୁ ଦାବି କରିଥିଲେ। ଅଞ୍ଚଳରେ ମଦର ପ୍ରସାର ବଢ଼ିଲେ ପାରିବାରିକ ଅଶାନ୍ତି, ହିଂସା ଓ ଆର୍ଥିକ ସମସ୍ୟା ବଢ଼ିବାର ଆଶଙ୍କା ରହିଛି ବୋଲି ସେମାନେ ମତ ରଖିଥିଲେ।

ପ୍ରତିବାଦକାରୀଙ୍କ ମତରେ, ମଦ କାରଖାନା ସ୍ଥାପନ ପୂର୍ବରୁ ସ୍ଥାନୀୟ ଲୋକଙ୍କ ମତାମତ ଓ ଗ୍ରାମସଭାର ଅନୁମତିକୁ ଗୁରୁତ୍ୱ ଦିଆଯିବା ଆବଶ୍ୟକ। ଲୋକଙ୍କ ଆପତ୍ତିକୁ ଅଣଦେଖା କରି କୌଣସି ପ୍ରକଳ୍ପ ଆଗକୁ ବଢ଼ାଇବା ଉଚିତ ନୁହେଁ ବୋଲି ମହିଳାମାନେ ଦାବି କରିଛନ୍ତି।

ଉଲ୍ଲେଖଯୋଗ୍ୟ, ନବରଙ୍ଗପୁର ଜିଲ୍ଲାରେ ମଦ ବିକ୍ରି ଓ ଅବୈଧ ମଦ କାରବାର ବିରୋଧରେ ପୂର୍ବରୁ ମଧ୍ୟ ମହିଳାମାନେ ଆନ୍ଦୋଳନ କରିଆସୁଛନ୍ତି। ଜିଲ୍ଲାକୁ ମଦମୁକ୍ତ କରିବା ଦାବିରେ ନାରୀ ମହାସଂଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ ସହ ୧୦ ଦଫା ଦାବିପତ୍ର ମଧ୍ୟ ଦିଆଯାଇଥିଲା। ଏବେ ପ୍ରସ୍ତାବିତ ଡିଷ୍ଟିଲେରୀକୁ ନେଇ ଆରମ୍ଭ ହୋଇଥିବା ବିରୋଧ ଏହି ଆନ୍ଦୋଳନକୁ ଆହୁରି ଗୁରୁତ୍ୱ ଦେଇଛି।