ନୂଆଦିଲ୍ଲୀ: ଗ୍ରାମୀଣ ନିଯୁକ୍ତି ଯୋଜନାର କାର୍ଯ୍ୟକାରିତା ସମ୍ପର୍କିତ ଅଭିଯୋଗର ତଦନ୍ତ ଏଣିକି ୭ କାର୍ଯ୍ୟଦିବସ ମଧ୍ୟରେ ଶେଷ କରିବାକୁ ପଡ଼ିବ। ସେହିପରି ଅଭିଯୋଗ ମିଳିବାର ୧୫ ଦିନ ମଧ୍ୟରେ ଏହାର ସମାଧାନ କରିବାକୁ ହେବ। ଏଥିପାଇଁ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ପକ୍ଷରୁ ୨୦୨୬ର ନୂଆ ଅଭିଯୋଗ ନିରାକରଣ ନିୟମ ଜାରି କରାଯାଇଛି।

‘ବିକଶିତ ଭାରତ–ଗ୍ୟାରେଣ୍ଟି ଫର୍ ରୋଜଗାର ଆଣ୍ଡ ଆଜୀବିକା ମିଶନ୍ (ଗ୍ରାମୀଣ)’ ବା VB–G RAM G ଆଇନ ଅନୁସାରେ ଏହି ନୂଆ ବ୍ୟବସ୍ଥା ଲାଗୁ ହେବ। ଏହା ଅଧୀନରେ ଗ୍ରାମ ପଞ୍ଚାୟତ, ବ୍ଲକ୍ ଓ ଜିଲ୍ଲା ସ୍ତରରେ ଅଭିଯୋଗ ନିରାକରଣ ଅଧିକାରୀ ନିଯୁକ୍ତ ହେବେ। ସେମାନେ ଅଭିଯୋଗ ଗ୍ରହଣ, ପଞ୍ଜୀକରଣ, ତଦନ୍ତ ଓ ସମାଧାନ ଦାୟିତ୍ୱ ତୁଲାଇବେ। ଜିଲ୍ଲା ସ୍ତରରେ ଜିଲ୍ଲା କାର୍ଯ୍ୟକ୍ରମ ସଂଯୋଜକ ଏହି ବ୍ୟବସ୍ଥାର ତଦାରଖ କରିବେ।

କେମିତି ଦାଖଲ କରିହେବ ଅଭିଯୋଗ?

ନୂଆ ନିୟମ ଅନୁସାରେ, ଯୋଜନାର କାର୍ଯ୍ୟକାରିତା ସହ ଜଡ଼ିତ ଯେକୌଣସି ବିଷୟରେ ଲୋକେ ଅଭିଯୋଗ କରିପାରିବେ। ଏଥିପାଇଁ ଅଭିଯୋଗ ନିରାକରଣ ଅଧିକାରୀଙ୍କ ନିକଟରେ ସିଧାସଳଖ ଅଭିଯୋଗ ଦାଖଲ କରିବା ସହ ସ୍ପିଡ୍ ପୋଷ୍ଟ, କେନ୍ଦ୍ର ସରକାରଙ୍କ ନିର୍ଦ୍ଦିଷ୍ଟ ଡିଜିଟାଲ୍ ପ୍ଲାଟଫର୍ମ ଓ ହେଲ୍ପଲାଇନ୍‌ର ସହାୟତା ନେଇପାରିବେ। ରାଜ୍ୟ ସରକାର ଅନ୍ୟ ମାଧ୍ୟମ ମଧ୍ୟ ନିର୍ଦ୍ଧାରଣ କରିପାରିବେ।

ଅଫଲାଇନ୍‌ରେ ମିଳିଥିବା ଅଭିଯୋଗକୁ ସେହି ଦିନ କିମ୍ବା ତାହା ସମ୍ଭବ ନହେଲେ ପରବର୍ତ୍ତୀ କାର୍ଯ୍ୟଦିବସରେ ଡିଜିଟାଲ୍ ପ୍ଲାଟଫର୍ମରେ ପଞ୍ଜୀକରଣ କରିବାକୁ ପଡ଼ିବ। ଅଭିଯୋଗ ପଞ୍ଜୀକରଣ ପରେ ଅଭିଯୋଗକାରୀଙ୍କୁ ଏକ ସ୍ୱୀକୃତିପତ୍ର ଦିଆଯିବ। ଏଥିରେ ପଞ୍ଜୀକରଣ ନମ୍ବର, ଅଭିଯୋଗ ଗ୍ରହଣ ତାରିଖ ଓ ଦାୟିତ୍ୱରେ ଥିବା ଅଧିକାରୀଙ୍କ ପଦବି ଉଲ୍ଲେଖ ରହିବ।

ଅଭିଯୋଗର ଭାଷା, ଫର୍ମାଟ୍ କିମ୍ବା ଦାଖଲ କରିବାର ପଦ୍ଧତିକୁ ଆଧାର କରି କୌଣସି ଅଭିଯୋଗକୁ ପଞ୍ଜୀକରଣ କରିବାକୁ ମନା କରାଯାଇପାରିବ ନାହିଁ। ଏପରିକି ପ୍ରକ୍ରିୟାଗତ ତ୍ରୁଟି ଥିଲେ ମଧ୍ୟ ଅଭିଯୋଗ ଗ୍ରହଣ କରିବାକୁ ହେବ।

୭ ଦିନରେ ତଦନ୍ତ, ୧୫ ଦିନରେ ସମାଧାନ

ଅଭିଯୋଗ ମିଳିବା ପରେ ନିର୍ଦ୍ଦିଷ୍ଟ ଅଧିକାରୀ ତାହାର ତଦନ୍ତ କରିବେ। ଏଥିପାଇଁ ଆବଶ୍ୟକ ରେକର୍ଡ, ଦସ୍ତାବିଜ, ରିପୋର୍ଟ ଓ ଇଲେକ୍ଟ୍ରୋନିକ୍ ତଥ୍ୟ ସମ୍ପୃକ୍ତ ବିଭାଗରୁ ମଗାଇପାରିବେ। ଆବଶ୍ୟକ ପଡ଼ିଲେ ଅଭିଯୋଗକାରୀଙ୍କୁ ସିଧାସଳଖ କିମ୍ବା ଅନଲାଇନ୍‌ରେ ନିଜ ପକ୍ଷ ରଖିବାର ସୁଯୋଗ ମଧ୍ୟ ଦିଆଯିବ।

ତଦନ୍ତ ଶେଷ ହେବା ପରେ ଅଧିକାରୀ ନିଜ ରିପୋର୍ଟରେ ନିଷ୍କର୍ଷ ଲିପିବଦ୍ଧ କରିବେ ଏବଂ ଆବଶ୍ୟକ ସଂଶୋଧନମୂଳକ ପଦକ୍ଷେପ ନେବେ। ତଦନ୍ତ ଓ ନିଆଯାଇଥିବା ପଦକ୍ଷେପର ସମସ୍ତ ବିବରଣୀ ଡିଜିଟାଲ୍ ପ୍ଲାଟଫର୍ମରେ ରେକର୍ଡ କରାଯିବ। ଏହାର ତଥ୍ୟ ଅଭିଯୋଗକାରୀଙ୍କୁ ମଧ୍ୟ ଜଣାଇ ଦିଆଯିବ।

ସମାଧାନ ନହେଲେ ଉଚ୍ଚସ୍ତରକୁ ଯିବ ଅଭିଯୋଗ

ନିର୍ଦ୍ଧାରିତ ୧୫ ଦିନ ମଧ୍ୟରେ ଯଦି କୌଣସି ଅଭିଯୋଗର ସମାଧାନ ନହୁଏ, ତେବେ ତାହାକୁ ପରବର୍ତ୍ତୀ ଉଚ୍ଚ ଅଧିକାରୀଙ୍କ ନିକଟକୁ ପଠାଯିବ। ଅଭିଯୋଗର ଅବସ୍ଥା ଓ ଏହା ଉପରେ ନିଆଯାଇଥିବା ପଦକ୍ଷେପକୁ ଡିଜିଟାଲ୍ ମାଧ୍ୟମରେ ନିରନ୍ତର ନଜରରେ ରଖାଯିବ। ଏହା ସହ ଅଭିଯୋଗ ନିରାକରଣ ବ୍ୟବସ୍ଥାରେ ଦିଆଯାଇଥିବା ଆଦେଶ ବିରୋଧରେ ଅପିଲ୍ କରିବାର ବ୍ୟବସ୍ଥା ମଧ୍ୟ ରହିଛି।

ନୂଆ ନିୟମ ଦ୍ୱାରା ଗ୍ରାମୀଣ ନିଯୁକ୍ତି ଯୋଜନାରେ ଅଭିଯୋଗ ଶୁଣାଣି ପ୍ରକ୍ରିୟା ଅଧିକ ସ୍ୱଚ୍ଛ ଓ ସମୟବଦ୍ଧ ହେବା ସହ ଅଧିକାରୀଙ୍କ ଉତ୍ତରଦାୟିତ୍ୱ ବଢ଼ିବ ବୋଲି ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ଆଶା ପ୍ରକାଶ କରିଛି।