ଭୁବନେଶ୍ୱର: ବାତ୍ୟା ‘ମୁରାସୁ’ ଆନ୍ଧ୍ରପ୍ରଦେଶ ଉପକୂଳରେ ଲ୍ୟାଣ୍ଡଫଲ୍ (ସ୍ଥଳଭାଗ ଅତିକ୍ରମ) କରିଥିବା ବେଳେ ଓଡ଼ିଶାରେ ଏହାର କୌଣସି ବିଶେଷ ପ୍ରଭାବ ପଡ଼ିନାହିଁ। ମଙ୍ଗଳବାର ରାଜ୍ୟର ସମସ୍ତ ଜିଲ୍ଲାପାଳ, ରାଜ୍ୟ ରିଲିଫ୍ କମିଶନର ଏବଂ ଅଗ୍ନିଶମ ସେବା ଡିଜିଙ୍କ ସହ ସ୍ଥିତିର ସମୀକ୍ଷା କରିବା ପରେ ମୁଖ୍ୟ ଶାସନ ସଚିବ ଅନୁ ଗାର୍ଗ ଏହି ସୂଚନା ଦେଇଛନ୍ତି।
ସମୀକ୍ଷା ବୈଠକ ପରେ ମୁଖ୍ୟ ଶାସନ ସଚିବ ଗଣମାଧ୍ୟମକୁ ଜଣାଇଛନ୍ତି ଯେ, ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା ସ୍ଥିତି ସମ୍ପୂର୍ଣ୍ଣ ସ୍ୱାଭାବିକ ରହିଛି। କେତେକ ସ୍ଥାନରେ କେବଳ ସାମାନ୍ୟ ବୁନ୍ଦାବୁନ୍ଦି ବର୍ଷା ହେଉଥିବା ବେଳେ କୌଣସି ବେଗଗାମୀ ପବନର ପ୍ରଭାବ ରେକର୍ଡ କରାଯାଇନାହିଁ।
ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ସମ୍ଭାବ୍ୟ ସଙ୍କଟକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଗୁଆ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ସମ୍ବେଦନଶୀଳ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ଭାବେ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରିଥିଲେ। ବିଭିନ୍ନ କଣ୍ଟ୍ରୋଲ୍ ରୁମ୍ (ନିୟନ୍ତ୍ରଣ କକ୍ଷ) ମାଧ୍ୟମରେ ୨୪ ଘଣ୍ଟିଆ ସ୍ଥିତି ଉପରେ କଡ଼ା ନଜର ରଖାଯାଇଛି।
ପୂର୍ବରୁ ଆସିଥିବା ବାତ୍ୟା ‘ଅର୍ଣ୍ଣବ’ପ୍ରଭାବରେ ପ୍ରବଳ ବର୍ଷା ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ଗଞ୍ଜାମ ଏବଂ ଗଜପତି ଜିଲ୍ଲାରେ ପୁନରୁଦ୍ଧାର କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି। ପୂର୍ବରୁ ଘୋଷଣା କରାଯାଇଥିବା ରିଲିଫ୍ ପ୍ୟାକେଜ୍ ବଣ୍ଟନ କରାଯାଉଛି। ଗତକାଲି ବର୍ଷା ଯୋଗୁଁ ଭୂସ୍ଖଳନ ଅଞ୍ଚଳରେ ଅଟକି ରହିଥିବା ସଫେଇ କାର୍ଯ୍ୟ ମଙ୍ଗଳବାର ସକାଳୁ ପୁନର୍ବାର ଆରମ୍ଭ ହୋଇଛି।
କ୍ଷୟକ୍ଷତିର ଆକଳନ ପାଇଁ ଆସିଥିବା କେନ୍ଦ୍ରୀୟ ପ୍ରତିନିଧି ଦଳ ମଙ୍ଗଳବାର ଗଜପତି ଜିଲ୍ଲା ଏବଂ ବୁଧବାର ଗଞ୍ଜାମ ଜିଲ୍ଲା ଗସ୍ତ କରିବେ। ଏହା ପରେ ରାଜ୍ୟ ସରକାରଙ୍କ ସହ କେନ୍ଦ୍ରୀୟ ଟିମ୍ର ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହେବ।




