ସମ୍ବଲପୁର: ସମ୍ବଲପୁର-ତାଳଚେର ରେଳ ପ୍ରକଳ୍ପର ସ୍ୱତନ୍ତ୍ର ଜମି ଅଧିଗ୍ରହଣ ଅଧିକାରୀ ଅଜୟ କୁମାର ଗରନାୟକ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି। ଜଣେ ଜମିମାଲିକଙ୍କଠାରୁ କ୍ଷତିପୂରଣ ଅର୍ଥ ମଞ୍ଜୁର କରିବା ପାଇଁ ୫ ଲକ୍ଷ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ରେଡ୍‌ହାଣ୍ଡେଡ୍‌ ଧରିଛି।

ଭିଜିଲାନ୍ସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ:

ରେଳ ପ୍ରକଳ୍ପ ପାଇଁ ଅଧିଗୃହୀତ ଜମିର ମୋଟ ୮୪,୬୨,୨୮୮ ଟଙ୍କାର କ୍ଷତିପୂରଣ ରାଶି ଛାଡ଼ିବା ଏବଂ ଆଗାମୀ ତୃତୀୟ ରେଳ ଲାଇନ୍ ପ୍ରକଳ୍ପ ସମୟରେ ଅନୁକମ୍ପା ଦେଖାଇବା ପାଇଁ ଅଭିଯୁକ୍ତ ଅଧିକାରୀ ଅଜୟ ଗଡନାୟକ ଅଭିଯୋଗକାରୀଙ୍କଠାରୁ ଏହି ମୋଟା ଅଙ୍କର ଲାଞ୍ଚ ଦାବି କରିଥିଲେ।

ଅଭିଯୋଗ ଆଧାରରେ ଭିଜିଲାନ୍ସ ପକ୍ଷରୁ ଜାଲ ବିଛାଯାଇଥିଲା। ଲାଞ୍ଚ ଟଙ୍କା ଗ୍ରହଣ କରୁଥିବା ସମୟରେ ଅଧିକାରୀଙ୍କୁ କାବୁ କରାଯାଇ ଅର୍ଥ ଜବତ କରାଯିବା ସହ ତାଙ୍କୁ ଗିରଫ କରାଯାଇଛି।

ଗିରଫ ଅଧିକାରୀ ଅଜୟ କୁମାର ଗରନାୟକଙ୍କୁ ମଙ୍ଗଳବାର ସମ୍ବଲପୁରର ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତରେ ହାଜର କରାଯାଉଛି।

ଏହି ସନ୍ଦର୍ଭରେ ସମ୍ବଲପୁର ଭିଜିଲାନ୍ସ ଥାନାରେ ମାମଲା ନଂ ୨୦/୨୦୨୬, ଦୁର୍ନୀତି ନିବାରଣ (ସଂଶୋଧିତ) ଆଇନ୍ ୨୦୧୮ ର ଧାରା ୭ ଅଧୀନରେ କେସ୍ ରୁଜୁ କରାଯାଇଛି। ଘଟଣାର ଅଧିକ ତଦନ୍ତ ସହ ଅଧିକାରୀଙ୍କ ଅନ୍ୟାନ୍ୟ ସମ୍ପତ୍ତି ସମ୍ପର୍କରେ ଖୋଳତାଡ଼ ଜାରି ରହିଛି।