ୱାଶିଂଟନ: ଆମେରିକାର ମଧ୍ୟବର୍ତ୍ତୀ ନିର୍ବାଚନରେ ଭାରତୀୟ ବଂଶୋଦ୍ଭବ ପିଆ ଦାଣ୍ଡିଆ ବିଜୟୀ ହୋଇଛନ୍ତି। ଫ୍ଲୋରିଡାର ୨୨ତମ କଂଗ୍ରେସନାଲ୍ ଜିଲ୍ଲାରୁ ସେ US House of Representativesକୁ ନିର୍ବାଚିତ ହୋଇଛନ୍ତି। ରିପବ୍ଲିକାନ୍ ପ୍ରାର୍ଥୀ ତଥା ମେରିନ୍ କର୍ପସର ପୂର୍ବତନ ଅଧିକାରୀ କେସି ଆସ୍କାରଙ୍କୁ ପରାସ୍ତ କରି ସେ ଏହି ବିଜୟ ହାସଲ କରିଛନ୍ତି।
ନଭେମ୍ବର ୩ରେ ଘୋଷିତ ଫଳାଫଳ ଅନୁସାରେ, ପିଆ ୫୧.୯ ପ୍ରତିଶତ ଭୋଟ୍ ପାଇଥିବାବେଳେ ଆସ୍କାରଙ୍କୁ ୪୯.୧ ପ୍ରତିଶତ ଭୋଟ୍ ମିଳିଛି। ଏହି ବିଜୟ ସହ ଆମେରିକା କଂଗ୍ରେସରେ ଭାରତୀୟ ବଂଶୋଦ୍ଭବ ମହିଳାଙ୍କ ପ୍ରତିନିଧିତ୍ୱ ଆହୁରି ବଢ଼ିଛି।
ପିଆ ଜଣେ ପ୍ରଥମ ପିଢ଼ିର ଭାରତୀୟ-ଆମେରିକୀୟ। ତାଙ୍କ ବାପାମାଆ ଭାରତରୁ ଆମେରିକା ଯାଇଥିଲେ। ସେ ଫ୍ଲୋରିଡାର ପାମ୍ ବିଚ୍ କାଉଣ୍ଟିରେ ଜନ୍ମଗ୍ରହଣ କରିବା ସହ ସେଠାରେ ବଢ଼ିଛନ୍ତି। ନିର୍ବାଚନ ପୂର୍ବରୁ ସେ ଫ୍ଲୋରିଡାର ୨୧ତମ ଜିଲ୍ଲାରୁ ରିପବ୍ଲିକାନ୍ ନେତା ବ୍ରାଏନ୍ ମାଷ୍ଟଙ୍କ ବିରୋଧରେ ଲଢ଼ିବାକୁ ଯୋଜନା କରିଥିଲେ। ପରେ ନୂଆ ସୀମା ନିର୍ଦ୍ଧାରଣ ପରେ ଗଠିତ ୨୨ତମ ଜିଲ୍ଲାକୁ ନିଜର ନିର୍ବାଚନୀ କ୍ଷେତ୍ର କରିଥିଲେ।
ରାଜନୀତିକୁ ଆସିବା ପୂର୍ବରୁ ପିଆ ଶିକ୍ଷୟିତ୍ରୀ ଭାବେ କାମ କରିଥିଲେ। ପରେ ନ୍ୟୁୟର୍କର ହାରଲେମ୍ରେ ଏକ ହାଇସ୍କୁଲ୍ର ପ୍ରିନ୍ସିପାଲ୍ ହୋଇଥିଲେ। ମାତ୍ର ୨୮ ବର୍ଷ ବୟସରେ ସେ ଏକ ହାଇସ୍କୁଲ୍ର ପ୍ରତିଷ୍ଠାତା ପ୍ରିନ୍ସିପାଲ୍ ହୋଇଥିଲେ। କମ୍ ଆୟକାରୀ ପରିବାରର ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା ଓ ଆର୍ଥିକ ସ୍ୱାବଲମ୍ବନର ସୁଯୋଗ ଦେବା ଥିଲା ଏହି ବିଦ୍ୟାଳୟର ଉଦ୍ଦେଶ୍ୟ। ତାଙ୍କ ନେତୃତ୍ୱରେ ସ୍କୁଲ୍ର ସମସ୍ତ ଛାତ୍ରଛାତ୍ରୀ କଲେଜରେ ନାମ ଲେଖାଇବାର ସୁଯୋଗ ପାଇଥିଲେ। ସେମାନଙ୍କ ମଧ୍ୟରୁ ୮୬ ପ୍ରତିଶତ କମ୍ ଆୟକାରୀ ପରିବାରର ଥିଲେ।
ଏହା ପରେ ପିଆ White House Fellow ଭାବେ କାର୍ଯ୍ୟ କରିଥିଲେ। ପରବର୍ତ୍ତୀ ସମୟରେ Appleରେ ସରକାରୀ କ୍ଷେତ୍ର ସମ୍ବନ୍ଧୀୟ କାର୍ଯ୍ୟର ନେତୃତ୍ୱ ନେଇଥିଲେ। ଶିକ୍ଷା, ସ୍ୱାସ୍ଥ୍ୟସେବା ଓ ସରକାରୀ ବ୍ୟବସ୍ଥାର ଆଧୁନିକୀକରଣ ତାଙ୍କ କାର୍ଯ୍ୟର ମୁଖ୍ୟ କ୍ଷେତ୍ର ଥିଲା।
ପିଆଙ୍କ ବିଜୟକୁ Indian American Impact ସଂଗଠନ ସ୍ୱାଗତ କରିଛି। ସଂଗଠନର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଚିନ୍ତନ ପଟେଲ କହିଛନ୍ତି ଯେ ଫ୍ଲୋରିଡାର ୨୨ତମ ଜିଲ୍ଲା ଡେମୋକ୍ରାଟ୍ଙ୍କ ପାଇଁ ଏକ ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ଆସନ ଥିଲା ଏବଂ ପିଆଙ୍କ ବିଜୟ ଏହାକୁ ଡେମୋକ୍ରାଟ୍ଙ୍କ ଦଖଲକୁ ଆଣିଛି।
ଆସନ୍ତା ଜାନୁଆରୀରେ ନୂଆ କଂଗ୍ରେସ ଅଧିବେଶନ ଆରମ୍ଭ ହେବା ପରେ ପିଆ ଦାଣ୍ଡିଆ ନିଜ ଜିଲ୍ଲାର ପ୍ରତିନିଧିତ୍ୱ କରିବେ।




