ଭୁବନେଶ୍ୱର: ରାଜ୍ୟର ଅନୁଦାନପ୍ରାପ୍ତ ଅଣସରକାରୀ କଲେଜଗୁଡ଼ିକର ଭାରପ୍ରାପ୍ତ ଅଧ୍ୟକ୍ଷଙ୍କ ପାଇଁ ମାସିକ ପ୍ରୋତ୍ସାହନ ରାଶି ଘୋଷଣା କରିଛନ୍ତି ଓଡ଼ିଶା ସରକାର। କଲେଜର ଅବସ୍ଥିତି ଓ କାର୍ଯ୍ୟସ୍ଥଳର ଦୂରତା ଅନୁସାରେ ସେମାନଙ୍କୁ ମାସିକ ୫,୦୦୦ରୁ ୧୦,୦୦୦ ଟଙ୍କା ଯାଏଁ ପ୍ରୋତ୍ସାହନ ମିଳିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ଏହି ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି।
ଏହି ନିଷ୍ପତ୍ତି ଦ୍ୱାରା ରାଜ୍ୟର ୪୮୮ ଓ ୬୬୨ ବର୍ଗର ପ୍ରାୟ ୬୪୧ଟି କଲେଜର ଭାରପ୍ରାପ୍ତ ଅଧ୍ୟକ୍ଷ ଉପକୃତ ହେବେ। ଏଥିପାଇଁ ରାଜ୍ୟ ସରକାରଙ୍କୁ ବାର୍ଷିକ ପ୍ରାୟ ୬ କୋଟି ଟଙ୍କା ବ୍ୟୟ କରିବାକୁ ପଡ଼ିବ। ସରକାରୀ ବିଜ୍ଞପ୍ତି ଜାରି ହେବା ପରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେବ।
ପ୍ରୋତ୍ସାହନ ରାଶିର ପରିମାଣ କାର୍ଯ୍ୟସ୍ଥଳର ଅବସ୍ଥିତି ଅନୁଯାୟୀ ନିର୍ଦ୍ଧାରଣ କରାଯାଇଛି। ନିଜ ଜିଲ୍ଲା କିମ୍ବା ବିକଶିତ ସହରାଞ୍ଚଳରେ କାର୍ଯ୍ୟରତ ଭାରପ୍ରାପ୍ତ ଅଧ୍ୟକ୍ଷଙ୍କୁ ମାସିକ ୫,୦୦୦ ଟଙ୍କା ମିଳିବ। ନିଜ ଜିଲ୍ଲା ବାହାରେ ନିଯୁକ୍ତ ଅଧ୍ୟକ୍ଷଙ୍କୁ ୭,୦୦୦ ଟଙ୍କା ଏବଂ ନିଜ ଘର କିମ୍ବା ଜିଲ୍ଲାଠାରୁ ୩୦୦ କିଲୋମିଟରରୁ ଅଧିକ ଦୂରରେ କାର୍ଯ୍ୟରତ ଅଧ୍ୟକ୍ଷଙ୍କୁ ୯,୦୦୦ ଟଙ୍କା ମିଳିବ।
ସେହିପରି ଭୌଗୋଳିକ ଦୃଷ୍ଟିରୁ ଦୁର୍ଗମ ଓ ଅପହଞ୍ଚ ଅଞ୍ଚଳରେ ଅବସ୍ଥିତ କଲେଜରେ ଦାୟିତ୍ୱ ତୁଲାଉଥିବା ଅଧ୍ୟକ୍ଷଙ୍କୁ ସର୍ବାଧିକ ୧୦,୦୦୦ ଟଙ୍କା ମାସିକ ପ୍ରୋତ୍ସାହନ ମିଳିବ। କେଉଁ ଅଞ୍ଚଳକୁ ଦୁର୍ଗମ ବା ଅପହଞ୍ଚ ଭାବେ ବର୍ଗୀକୃତ କରାଯିବ, ସେନେଇ ଏକ ନିର୍ଦ୍ଦିଷ୍ଟ କମିଟି ନିଷ୍ପତ୍ତି ନେବ।
ଦୂରଦୂରାନ୍ତ ଓ ଦୁର୍ଗମ ଅଞ୍ଚଳର କଲେଜଗୁଡ଼ିକରେ ଅଧ୍ୟକ୍ଷ ଦାୟିତ୍ୱ ନେବାକୁ ଶିକ୍ଷକମାନଙ୍କ ମଧ୍ୟରେ ଥିବା ଅନିଚ୍ଛା ଦୂର କରିବା ଏହି ପଦକ୍ଷେପର ଉଦ୍ଦେଶ୍ୟ। ଏହାଦ୍ୱାରା ଉଚ୍ଚଶିକ୍ଷା କ୍ଷେତ୍ରରେ ପ୍ରଶାସନିକ କାର୍ଯ୍ୟ ସୁଚାରୁ ଭାବେ ଚାଲିବା ସହ ଶିକ୍ଷାଦାନ ବ୍ୟବସ୍ଥାରେ ନିରନ୍ତରତା ରହିବ ବୋଲି ସରକାର ଆଶା ରଖିଛନ୍ତି।




