ୱାଶିଂଟନ୍: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କାର୍ଯ୍ୟକାଳର ଶେଷ ଦୁଇ ବର୍ଷ ମଧ୍ୟରେ ତାଙ୍କର ପ୍ରମୁଖ ନୀତିଗୁଡ଼ିକୁ ପ୍ରତ୍ୟାହାର କିମ୍ବା ବଦଳାଇବା ପାଇଁ ଡେମୋକ୍ରାଟିକ୍ ଦଳର ସମସ୍ତ ଉଦ୍ୟମ ବିଫଳ ହେବ ବୋଲି ହ୍ୱାଇଟ୍ ହାଉସ୍ ସ୍ପଷ୍ଟ କରିଛି। ନଭେମ୍ବର ୩ ମିଡ୍‌ଟର୍ମ (ମଧ୍ୟବର୍ତ୍ତୀକାଳୀନ) ନିର୍ବାଚନର ଗୋଟିଏ ଦିନ ପରେ ହ୍ୱାଇଟ୍ ହାଉସ୍ କାର୍ଯ୍ୟାଳୟ ପକ୍ଷରୁ ଜାରି ଏକ ବିବୃତ୍ତିରେ ଅନୁପ୍ରବେଶ, କର ବ୍ୟବସ୍ଥା, ଶକ୍ତି କ୍ଷେତ୍ର ଏବଂ ଆଇନ ଶୃଙ୍ଖଳା ପ୍ରସଙ୍ଗରେ ଟ୍ରମ୍ପ ପ୍ରଶାସନର ନୀତିକୁ କଡ଼ାକଡ଼ି ଭାବେ ସୁରକ୍ଷା ଦିଆଯିବ ବୋଲି କୁହାଯାଇଛି।

“ରାଷ୍ଟ୍ରପତିତ୍ୱର ଶେଷ ଦୁଇ ବର୍ଷରେ ଡେମୋକ୍ରାଟ୍ସମାନେ ରାଷ୍ଟ୍ରପତି ଟ୍ରମ୍ପ କରିଥିବା ସମସ୍ତ କାର୍ଯ୍ୟକୁ ବଦଳାଇବାକୁ ଚେଷ୍ଟା କରିବେ ଏବଂ ବିଫଳ ହେବେ। ଆମେରିକୀୟ ଜନସାଧାରଣ ଆଗରୁ ଏହି ଆଜେଣ୍ଡାକୁ ପ୍ରତ୍ୟାଖ୍ୟାନ୍ କରିସାରିଛନ୍ତି,” ବୋଲି ହ୍ୱାଇଟ୍‌ ହାଉସ୍ କହିଛି।

ହ୍ୱାଇଟ୍ ହାଉସ୍ ତାର ବିବୃତ୍ତିରେ ଟ୍ରମ୍ପ ପ୍ରଶାସନର କେତେକ ପ୍ରମୁଖ ସଫଳତା ଓ ଆଭିମୁଖ୍ୟକୁ ଦୃଢ଼ ଭାବେ ରଖିଛି:

ବିରୋଧୀ ଡେମୋକ୍ରାଟ୍ସମାନେ ସୀମା କଟକଣା ହଟାଇବା ଏବଂ ବ୍ୟାପକ ବେଆଇନ୍ ଅନୁପ୍ରବେଶକାରୀଙ୍କୁ ହଟାଇବା ପ୍ରକ୍ରିୟାକୁ ବନ୍ଦ କରିବାକୁ ଚାହୁଁଛନ୍ତି ବୋଲି ହ୍ୱାଇଟ୍ ହାଉସ୍ ଅଭିଯୋଗ କରିଛି। ଟ୍ରମ୍ପଙ୍କ କର ଛାଡ଼ ଯୋଗୁଁ ରେକର୍ଡ ଅର୍ଥନୈତିକ ଅଭିବୃଦ୍ଧି ଘଟିଛି ଏବଂ ଆମେରିକା ଶକ୍ତି କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହୋଇପାରିଛି ବୋଲି ଦାବି କରାଯାଇଛି।

ଆଧୁନିକ ଇତିହାସରେ ହିଂସାତ୍ମକ ଅପରାଧ ସବୁଠାରୁ ଅଧିକ ହ୍ରାସ ପାଇଥିବା ଦାବି ସହ ବିବିଧତା, ସମାନତା ଓ ଅନ୍ତର୍ଭୁକ୍ତୀକରଣ (DEI) କାର୍ଯ୍ୟକ୍ରମ ଏବଂ ଟ୍ରାନ୍ସଜେଣ୍ଡର ନୀତି ବିରୋଧରେ ନିଆଯାଇଥିବା ପଦକ୍ଷେପକୁ କୋହଳ କରିବାକୁ ଦିଆଯିବ ନାହିଁ ବୋଲି କୁହାଯାଇଛି।

ଡେମୋକ୍ରାଟ୍ସମାନେ ସୁପ୍ରିମ୍ କୋର୍ଟର ବିଚାରପତି ସଂଖ୍ୟା ବୃଦ୍ଧି କରିବାକୁ ଚାହୁଁଛନ୍ତି ଏବଂ ଟ୍ରମ୍ପଙ୍କ ବିରୋଧରେ ପୁନର୍ବାର ମହାଭିଯୋଗ (Impeachment) ଆଣିବାକୁ ଉଦ୍ୟମ କରିପାରନ୍ତି ବୋଲି ହ୍ୱାଇଟ୍ ହାଉସ୍ ଦାବି କରିଛି। ପୂର୍ବର ମହାଭିଯୋଗ ପ୍ରକ୍ରିୟା ଭଳି ଭବିଷ୍ୟତର ସମସ୍ତ ଚେଷ୍ଟା ମଧ୍ୟ ବିଫଳ ହେବ ବୋଲି ବିବୃତ୍ତିରେ ଦର୍ଶାଯାଇଛି। ଟ୍ରମ୍ପ ଆମେରିକାବାସୀଙ୍କ ପାଇଁ ନିଜର ସଂଗ୍ରାମ ଜାରି ରଖିବେ ବୋଲି ହ୍ୱାଇଟ୍ ହାଉସ୍ ଶେଷରେ ଦୃଢ଼ୋକ୍ତି ପ୍ରକାଶ କରିଛି।