ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ପୁରୁଣା ଭୁବନେଶ୍ୱର (ଓଲ୍ଡ ଟାଉନ୍) ଅଞ୍ଚଳରେ ଅବସ୍ଥିତ ପ୍ରସିଦ୍ଧ ତଥା ଐତିହାସିକ କେଦାରଗୌରୀ ମନ୍ଦିର ପରିସରକୁ ‘ସଂରକ୍ଷିତ କୀର୍ତ୍ତିରାଜି’ ଭାବେ ଘୋଷଣା କରିଛନ୍ତି ଓଡ଼ିଶା ସରକାର। ଏନେଇ ରାଜ୍ୟ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଚୂଡ଼ାନ୍ତ ଆନୁଷ୍ଠାନିକ ବିଜ୍ଞପ୍ତି ପ୍ରକାଶ ପାଇଛି।

ଓଡ଼ିଶା ପ୍ରାଚୀନ କୀର୍ତ୍ତିରାଜି ସଂରକ୍ଷଣ ଆଇନ, ୧୯୫୬ (Orissa Act 12 of 1956) ର ଧାରା ୩ ର ଉପ-ଧାରା (୩) ଅନୁଯାୟୀ ଏହି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରାଯାଇଛି। ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଲିଙ୍ଗରାଜ ଥାନା ଅଞ୍ଚଳରେ ଥିବା ଏହି ମନ୍ଦିର ପରିସରକୁ ସଂରକ୍ଷିତ ଘୋଷଣା ପାଇଁ ପୂର୍ବରୁ ପ୍ରକାଶିତ ପ୍ରାରମ୍ଭିକ ବିଜ୍ଞପ୍ତି (ନଂ ୪୦୩୨/OLLC, ୨୩ ଜୁନ୍ ୨୦୨୬) କୁ ଚୂଡ଼ାନ୍ତ ଅନୁମୋଦନ ମିଳିଛି। ରାଜ୍ୟପାଳଙ୍କ ଆଦେଶକ୍ରମେ ସଂସ୍କୃତି ବିଭାଗ ଶାସନ ସଚିବ ବିଜୟ କେତନ ଉପାଧ୍ୟାୟ ଏହି ବିଜ୍ଞପ୍ତି ଜାରି କରିଛନ୍ତି।

ଏହି ଆନୁଷ୍ଠାନିକ ଘୋଷଣା ପରେ କେଦାରଗୌରୀ ମନ୍ଦିର ପରିସରର ସୁରକ୍ଷା, ସଂରକ୍ଷଣ ଏବଂ ରକ୍ଷଣାବେକ୍ଷଣ ଦାୟିତ୍ୱ ଏବେ ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ ହାତକୁ ଯାଇଛି।

ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ ଅଧୀନରେ ୨୧୨ଟି ସଂରକ୍ଷିତ କୀର୍ତ୍ତିରାଜି ରହିଥିବା ବେଳେ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ (ASI) ଦ୍ୱାରା ୮୨ଟି ମନ୍ଦିର ଓ ଐତିହାସିକ ସ୍ଥଳର ରକ୍ଷଣାବେକ୍ଷଣ କରାଯାଉଛି। କେଦାରଗୌରୀ ମନ୍ଦିର ଯୋଡ଼ିହେବା ପରେ ରାଜ୍ୟ ବିଭାଗର ସଂରକ୍ଷିତ କୀର୍ତ୍ତିରାଜି ସଂଖ୍ୟା ୨୧୩ରେ ପହଞ୍ଚିଛି।

ଏହି ପଦକ୍ଷେପ ଫଳରେ ଏକାମ୍ରକ୍ଷେତ୍ରର ଏହି ଅତ୍ୟନ୍ତ ପ୍ରାଚୀନ ଓ ଆଧ୍ୟାତ୍ମିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଶୈବପୀଠର କଳା-ସ୍ଥାପତ୍ୟ ସୁରକ୍ଷିତ ରହିବା ସହ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁଙ୍କ ପାଇଁ ଭିତ୍ତିଭୂମିର ଅଧିକ ବିକାଶ ହୋଇପାରିବ।