ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ବାଲିଆପାଳର ସବ-ରେଜିଷ୍ଟ୍ରାର ମନୀଷା ମିଶ୍ର ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଶୁକ୍ରବାର ଓଡ଼ିଶା ଭିଜିଲାନ୍ସ ହାତରେ ଧରା ପଡିଛନ୍ତି। ଜମି ବିକ୍ରି ଦଲିଲ ରେଜିଷ୍ଟ୍ରେସନ୍ ସହିତ ଜଡ଼ିତ ଏକ କାର୍ଯ୍ୟ କରିଦେବା ପାଇଁ ସେ ଏହି ଲାଞ୍ଚ ଦାବି କରିଥିଲେ। ଅଭିଯୁକ୍ତ ମନୀଷା ମିଶ୍ର (ORS) ୨୦୨୪ ମସିହାରେ ଚାକିରିରେ ଯୋଗ ଦେଇଥିଲେ ଏବଂ ବର୍ତ୍ତମାନ ସେ ପ୍ରୋବେସନ୍ ଅବଧିରେ ଅଛନ୍ତି।
ସୂଚନା ଅନୁଯାୟୀ, ବାଲିଆପାଳ ଅଞ୍ଚଳର ଜଣେ ଗ୍ରାହକ (କ୍ରେତା) ୦.୧୪ ଡେସିମିଲ୍ ଜମିର ଦଲିଲ ରେଜିଷ୍ଟ୍ରେସନ୍ ପାଇଁ ଆବେଦନ କରିଥିଲେ। ଉକ୍ତ ଜମିଟି ସରକାରୀ ରେକର୍ଡରେ ‘ବାଜ୍ୟାପ୍ତି ସ୍ଥିତିବାନ୍’ କିସମ ଭାବେ ଦର୍ଜ ଥିଲା। ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗର ନିୟମାବଳୀ ଅନୁଯାୟୀ, ଏହି କିସମର ଜମିକୁ ‘ସ୍ଥିତିବାନ୍’ ଭାବେ ଗ୍ରହଣ କରାଯାଇ ରେଜିଷ୍ଟ୍ରେସନ୍ କରାଯାଇପାରିବ। ଅଭିଯୋଗକାରୀ ସରକାରୀ ନିୟମାବଳୀ ଦର୍ଶାଇ ରେଜିଷ୍ଟ୍ରେସନ୍ କରିବାକୁ ବାରମ୍ବାର ଅନୁରୋଧ କରିଥିଲେ ସୁଦ୍ଧା ସବ-ରେଜିଷ୍ଟ୍ରାର ମନୀଷା ମିଶ୍ର କାମ କରିବାକୁ ମନା କରିଦେବା ସହ ୧୦,୦୦୦ ଟଙ୍କା ଲାଞ୍ଚ ଦାବି କରିଥିଲେ।
ଅଭିଯୋଗକାରୀ ୧୦,୦୦୦ ଟଙ୍କା ଦେବାକୁ ଅସମର୍ଥତା ପ୍ରକାଶ କରିବାରୁ ଅଭିଯୁକ୍ତ ଅଧିକାରୀ ଜଣକ ଲାଞ୍ଚ ପରିମାଣକୁ ୭,୦୦୦ ଟଙ୍କାକୁ କମାଇ ଦେଇଥିଲେ। ମାତ୍ର ବାରମ୍ବାର ଶୋଷଣ ସହିନପାରି ଅଭିଯୋଗକାରୀ ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କ ଦ୍ୱାରସ୍ଥ ହୋଇଥିଲେ। ଯୋଜନା ଅନୁଯାୟୀ ଭିଜିଲାନ୍ସ ଟିମ୍ ଜାଲ ବିଛାଇ ଶୁକ୍ରବାର ଅଭିଯୋଗକାରୀଙ୍କଠାରୁ ୭,୦୦୦ ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ବେଳେ ମନୀଷା ମିଶ୍ରଙ୍କୁ ଧରିଥିଲେ। ତାଙ୍କ ପାଖରୁ ସମ୍ପୂର୍ଣ୍ଣ କେମିକାଲ ବୋଳା ଲାଞ୍ଚ ଟଙ୍କା ଜବତ କରାଯାଇଛି।
ଗିରଫଦାରୀ ପରେ ଆୟବହିର୍ଭୂତ ସମ୍ପତ୍ତି (DA) ଠାବ କରିବା ଲକ୍ଷ୍ୟରେ ମନୀଷା ମିଶ୍ରଙ୍କ ସହ ଜଡ଼ିତ ୨ଟି ଭିନ୍ନ ଭିନ୍ନ ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଏକାସାଙ୍ଗରେ ଚଢ଼ାଉ ଜାରି ରହିଛି।
ଏହି ସମ୍ପର୍କରେ ବାଲେଶ୍ୱର ଭିଜିଲାନ୍ସ ଥାନାରେ ଦୁର୍ନୀତି ନିବାରଣ (ସଂଶୋଧିତ) ଆଇନ, ୨୦୧୮ ର ଧାରା ୭ ଅଧୀନରେ କେସ୍ ନଂ ୨୬/୨୦୨୬ ରୁଜୁ କରାଯାଇ ଅଧିକ ତଦନ୍ତ ଚାଲୁ ରହିଛି।




