ପୁରୀ: ପୁରୀ ଶ୍ରୀମନ୍ଦିରରେ ଭକ୍ତମାନଙ୍କୁ ସହଜ ଓ ଶୃଙ୍ଖଳିତ ଭାବେ ମହାପ୍ରଭୁଙ୍କ ଦର୍ଶନ କରାଇବା ପାଇଁ ଆଗାମୀ ନୂତନ ବର୍ଷ ପୂର୍ବରୁ ‘ଧାଡ଼ି ଦର୍ଶନ’ ବ୍ୟବସ୍ଥା ଲାଗୁ କରାଯିବ। ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଶୁକ୍ରବାର ଏହି ବଡ଼ ସୂଚନା ପ୍ରଦାନ କରିଛନ୍ତି।

ମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ପବିତ୍ର କାର୍ତ୍ତିକ ମାସ ଶେଷ ପରେ ଏବଂ ନୂତନ ବର୍ଷ ଆରମ୍ଭ ହେବା ପୂର୍ବରୁ ଏହି ନୂତନ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଯିବାର ସମ୍ଭାବନା ରହିଛି। ବର୍ତ୍ତମାନ ଏସବୁ ପାଇଁ ପ୍ରସ୍ତୁତି କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

ପ୍ରସ୍ତାବିତ ନୂତନ ବ୍ୟବସ୍ଥା ଅନୁଯାୟୀ, ଶ୍ରୀମନ୍ଦିରରେ ଏକାସାଙ୍ଗେ ଭକ୍ତଙ୍କୁ ଦର୍ଶନର ସୁବିଧା ଦେବା ପାଇଁ ୮ଟି ରାମ୍ପ୍ (Ramps) ନିର୍ମାଣ କରାଯିବ।ଏହି ଅଭିନବ ବ୍ୟବସ୍ଥା ମାଧ୍ୟମରେ ପ୍ରତିଘଣ୍ଟାରେ ପ୍ରାୟ ୧୦,୦୦୦ ଭକ୍ତ ସହଜରେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ବୋଲି ଆଶା କରାଯାଉଛି।ଏହି ଧାଡ଼ି କମ୍ପ୍ଲେକ୍ସ ମୁଖ୍ୟତଃ ଗରୁଡ଼ ସ୍ତମ୍ଭ ଏବଂ ବାହାର କାଠ (ବାହାର କାଠ ବାରିକେଡ୍) ମଧ୍ୟରେ କାର୍ଯ୍ୟକାରୀ ହେବ।

ଆଇନମନ୍ତ୍ରୀଙ୍କ କହିବା ଅନୁଯାୟୀ, ଏହି ରାମ୍ପ୍ ଗୁଡ଼ିକ ଏକ କଲପସିବଲ୍ ବ୍ରିଜ୍ କୌଶଳରେ କାର୍ଯ୍ୟ କରିବ। ଅର୍ଥାତ୍ ଦର୍ଶନ ସମୟରେ ଏହା ଖୋଲା ରହିବ ଏବଂ ନୀତିକାନ୍ତି ସମୟରେ ଏହାକୁ ବନ୍ଦ ରଖାଯିବ। ସବୁଠାରୁ ବଡ଼ କଥା ହେଉଛି, ଏହି ସମ୍ପୂର୍ଣ୍ଣ ପ୍ରଣାଳୀକୁ IIT ଭୁବନେଶ୍ୱରର ବୈଷୟିକ ସହଯୋଗ ମିଳିଛି।ଆଗାମୀ ଦିନରେ ଛତିଶା ନିଯୋଗ ଏବଂ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ଏହି ବ୍ୟବସ୍ଥାର ସମୀକ୍ଷା କରିବେ ଏବଂ ସେମାନଙ୍କ ଅନୁମୋଦନ ମିଳିବା ପରେ ଏହାକୁ ବିଧିବନ୍ଧକ ଭାବେ ଲାଗୁ କରାଯିବ।