ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ନିର୍ବାଚନ କମିଶନ ମାଲକାନଗିରି ଏବଂ କୋରାପୁଟ ଜିଲ୍ଲାରେ ଚାଲିଥିବା ଘରକୁ ଘର ବୁଲି ସର୍ଭେ ର ସମୟସୀମାକୁ ବୃଦ୍ଧି କରିଛନ୍ତି। ନିର୍ବାଚନ କମିଶନଙ୍କ ପକ୍ଷରୁ ମାଲକାନଗିରି ଓ କୋରାପୁଟ ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ଏହି ସୂଚନା ଦିଆଯାଇଛି।

ମାନ୍ୟବର ରାଜ୍ୟ ନିର୍ବାଚନ କମିଶନର ସର୍ଭେ ଅବଧି ବୃଦ୍ଧି ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ସଂଶୋଧିତ ସୂଚୀ ଅନୁଯାୟୀ, ମାଲକାନଗିରି ଜିଲ୍ଲା ପାଇଁ ଏହି ସର୍ଭେର ବଦ୍ଧିତ ସମୟସୀମା ନଭେମ୍ବର ୨୧ ତାରିଖ ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଥିବା ବେଳେ କୋରାପୁଟ ଜିଲ୍ଲା ପାଇଁ ଏହାକୁ ନଭେମ୍ବର ୧୪ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

ନିର୍ବାଚନ କମିଶନଙ୍କ ଅଫିସରୁ ପ୍ରକାଶିତ ସୂଚନା ଅନୁଯାୟୀ, ଉଭୟ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଉପଯୁକ୍ତ ତଦାରଖ ଏବଂ ଅନୁଧ୍ୟାନ ମାଧ୍ୟମରେ କୌଣସି ବିଳମ୍ବ ନକରି ନିର୍ଦ୍ଧାରିତ ବଦ୍ଧିତ ସମୟସୀମା ମଧ୍ୟରେ ଏହି ସର୍ଭେ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ପ୍ରାଥମିକ ଭାବେ ନିର୍ବାଚନୀ ଭୋଟର ତାଲିକା ଏବଂ ପ୍ରଶାସନିକ ପ୍ରସ୍ତୁତିକୁ ଅଧିକ ସୁଦୃଢ଼ ଓ ପରିଷ୍କାର କରିବା ପାଇଁ ଏହି ଘରକୁ ଘର ସର୍ଭେ କରାଯାଉଛି। କମିଶନଙ୍କ ଏହି ସମୟସୀମା ବୃଦ୍ଧି ନିଷ୍ପତ୍ତି ଦ୍ୱାରା ଦୁର୍ଗମ ଅଞ୍ଚଳରେ ରହୁଥିବା ସମସ୍ତ ଯୋଗ୍ୟ ନାଗରିକଙ୍କ ତଥ୍ୟ ସଠିକ୍ ଭାବେ ପଞ୍ଜୀକୃତ ହୋଇପାରିବ।