ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲାରେ ସମ୍ପ୍ରତି ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତି ଏବଂ ପରବର୍ତ୍ତୀ ପୁନରୁଦ୍ଧାର ଓ ରିଲିଫ୍ କାର୍ଯ୍ୟକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛି। ଆଜି ଅର୍ଥାତ୍ ୦୮.୧୧.୨୦୨୬ (ରବିବାର) ଦିନ ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇ ସେମାନଙ୍କୁ କାର୍ଯ୍ୟାଳୟରେ ଉପସ୍ଥିତ ରହିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

ଗଞ୍ଜାମ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଦ୍ୱାରା ଜାରି କରାଯାଇଥିବା କାର୍ଯ୍ୟାଳୟ ଆଦେଶ ଅନୁଯାୟୀ, ଗଞ୍ଜାମ ଜିଲ୍ଲା ଅଧୀନରେ ଥିବା ସମସ୍ତ ଜିଲ୍ଲା ସ୍ତରୀୟ କାର୍ଯ୍ୟାଳୟ, ଉପ-ଖଣ୍ଡୀୟ କାର୍ଯ୍ୟାଳୟ (ସବ-ଡିଭିଜନାଲ), ବ୍ଲକ କାର୍ଯ୍ୟାଳୟ ଏବଂ ଅନ୍ୟାନ୍ୟ ସରକାରୀ ପ୍ରତିଷ୍ଠାନର ସମସ୍ତ ଅଧିକାରୀ ଓ କର୍ମଚାରୀ ଆଜି ଅଫିସରେ ଉପସ୍ଥିତ ରହି ନିଜ ନିଜର ଦାୟିତ୍ୱ ତୁଲାଇବାକୁ କୁହାଯାଇଛି। ବନ୍ୟା ପ୍ରଭାବିତ ଅଞ୍ଚଳରେ ରିଲିଫ୍ ବଣ୍ଟନ, କ୍ଷତିପୂରଣ ଆକଳନ ଏବଂ ଜରୁରୀକାଳୀନ ପୁନରୁଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଏହି ନିର୍ଦ୍ଦେଶ ଜାରି ହୋଇଛି।ପ୍ରଶାସନିକ ଆଦେଶରେ ସ୍ପଷ୍ଟ କରାଯାଇଛି ଯେ, ବନ୍ୟା ପରବର୍ତ୍ତୀ ସହାୟତା ଓ ଉଦ୍ଧାର କାର୍ଯ୍ୟ ଏକ ଅତ୍ୟାବଶ୍ୟକ ଜରୁରୀକାଳୀନ ସେବା ହୋଇଥିବାରୁ କୌଣସି ବିଜ୍ଞପ୍ତି କିମ୍ବା ଆଦେଶର ଅବମାନନାକୁ ଗମ୍ଭୀରତାର ସହ ନିଆଯିବ।

ଯଦି କୌଣସି ଅଧିକାରୀ କିମ୍ବା କର୍ମଚାରୀ କାର୍ଯ୍ୟରେ ଅନୁପସ୍ଥିତ ରୁହନ୍ତି କିମ୍ବା ନିୟମ ଉଲ୍ଲଂଘନ କରନ୍ତି, ତେବେ ସେମାନଙ୍କ ବିରୋଧରେ ଦୃଢ଼ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବନ୍ୟା ବିପନ୍ନଙ୍କ ପାଖରେ ତୁରନ୍ତ ସହାୟତା ପହଞ୍ଚାଇବା ପାଇଁ ସମଗ୍ର ଜିଲ୍ଲା ପ୍ରଶାସନ ଏବେ ହାଇଆଲର୍ଟରେ ରହିଛି।