ବେଙ୍ଗାଲୁରୁ: ପେଟ୍ରୋଲରେ ଅତ୍ୟଧିକ ଏଥାନୋଲ ମିଶ୍ରଣ କରାଯାଉଥିବା ଅଭିଯୋଗ କରି ବେଙ୍ଗାଲୁରୁର ବିଭିନ୍ନ ପେଟ୍ରୋଲ ପମ୍ପରେ କଂଗ୍ରେସ କର୍ମୀମାନେ ସୋମବାର ପ୍ରତିବାଦ ପ୍ରଦର୍ଶନ କରିଛନ୍ତି। କେନ୍ଦ୍ର ସରକାର ଗ୍ରାହକମାନଙ୍କୁ ବିଶୁଦ୍ଧ ପେଟ୍ରୋଲ ଯୋଗାଇ ଦେବାକୁ ଦାବି କରି କଂଗ୍ରେସ ନେତା ଓ କର୍ମୀମାନେ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ବିରୋଧରେ ସ୍ଲୋଗାନବାଜି କରିଛନ୍ତି।
କଂଗ୍ରେସ ନେତା ମନୋହର କହିଛନ୍ତି ଯେ, କେନ୍ଦ୍ର ସରକାର ୨୦ ପ୍ରତିଶତ ଏଥାନୋଲ ମିଶ୍ରଣ ହେଉଥିବା ଦାବି କରୁଛନ୍ତି, କିନ୍ତୁ କର୍ଣ୍ଣାଟକ ସରକାର ପ୍ରତିଷ୍ଠିତ ଲ୍ୟାବ୍ରେ ପରୀକ୍ଷା କରିବା ପରେ ପେଟ୍ରୋଲରେ ଏଥାନୋଲ ମାତ୍ରା ୩୧.୨% ରୁ ୩୨% ପର୍ଯ୍ୟନ୍ତ ରହିଥିବା ଜଣାପଡ଼ିଛି। ଗ୍ରାହକ ଓ ଗାଡ଼ି ଚାଳକମାନଙ୍କୁ ଠକାଯାଉଥିବାରୁ ଏହି ମିଶ୍ରଣ ପ୍ରକ୍ରିୟାକୁ ତୁରନ୍ତ ବନ୍ଦ କରିବାକୁ ସେ ଦାବି କରିଛନ୍ତି।
ଅନ୍ୟପକ୍ଷରେ, ବିଜେପି ସାଂସଦ ଯଦୁବୀର କୃଷ୍ଣଦତ୍ତ ଚାମରାଜା ୱାଡିୟାର ଏହି ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ସେ କହିଛନ୍ତି ଯେ କଂଗ୍ରେସ ନିଜ ସରକାରର ଦରଦାମ୍ ବୃଦ୍ଧି ପ୍ରସଙ୍ଗରୁ ଜନସାଧାରଣଙ୍କ ଧ୍ୟାନ ହଟାଇବା ପାଇଁ ଏପରି ମିଥ୍ୟା ଅଭିଯୋଗ ଆଣୁଛି। ଏଥାନୋଲ ମିଶ୍ରଣ ଯୋଗୁଁ ଇଞ୍ଜିନ ଖରାପ ହେବା କଥା ସମ୍ପୂର୍ଣ୍ଣ ଭିତ୍ତିହୀନ।
ଏହି ସମୟରେ, ପବ୍ଲିକ ସେକ୍ଟର ତୈଳ କମ୍ପାନୀ (IOCL, BPCL, HPCL) ଏବଂ କେନ୍ଦ୍ର ତୈଳ ମନ୍ତ୍ରଣାଳୟ ମଧ୍ୟ କର୍ଣ୍ଣାଟକ ସରକାରଙ୍କ ଅଭିଯୋଗକୁ ଖାରଜ କରିଛନ୍ତି। ସେମାନେ ସ୍ପଷ୍ଟ କରିଛନ୍ତି ଯେ ସାରା ଦେଶରେ ଯୋଗାଇ ଦିଆଯାଉଥିବା E20 ପେଟ୍ରୋଲ BIS specifications (IS 17021) ଅନୁଯାୟୀ ନିର୍ଦ୍ଧାରିତ ମାନକ ଭିତରେ ରହିଛି। ତେବେ କର୍ଣ୍ଣାଟକ ଖାଉଟି କଲ୍ୟାଣ ମନ୍ତ୍ରୀ ରିଜୱାନ ଅରଶଦ ତୈଳ କମ୍ପାନୀଗୁଡ଼ିକର କୈଫିୟତକୁ “କଟ୍-କପି-ପେଷ୍ଟ୍” ପ୍ରତିକ୍ରିୟା ବୋଲି କହି ଅତିଶୀଘ୍ର ତଥ୍ୟସହ ଜବାବ ଦେବେ ବୋଲି ପ୍ରକାଶ କରିଛନ୍ତି।




