କଟକ: କଟକ ନୟାସଡ଼କ ସାହିରେ ଦୀପାବଳି ବାଣ ଫୁଟାଇବା ସମୟସୀମା କୁ ନେଇ ମହିଳା ଏସିପି ଅନନ୍ୟା ଅବସ୍ଥୀଙ୍କ ସହ ଠେଲାପେଲା ଓ ଦୁର୍ବ୍ୟବହାର ଘଟଣାରେ ପୋଲିସ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହି ମାମଲାରେ ସଂପୃକ୍ତ ୪ ଜଣ ଅଭିଯୁକ୍ତଙ୍କୁ ଲାଲବାଗ ଥାନା ପୋଲିସ ସୋମବାର ଗିରଫ କରିଛି।
କଟକ ଡିସିପି ଖିଲାରି ଋଷିକେଶ ଜ୍ଞାନଦେବ ୪ ଜଣଙ୍କ ଗିରଫଦାରୀ ସମ୍ପର୍କରେ ନିଶ୍ଚିତ କରିଛନ୍ତି। ଘଟଣାସ୍ଥଳର CCTV ଫୁଟେଜ୍ ଏବଂ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓଗୁଡ଼ିକୁ ଯାଞ୍ଚ କରି ପୋଲିସ ଏହି ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିବା ପରେ ଗିରଫ କରିଛି। ଏହାପୂର୍ବରୁ ପୋଲିସ ୧୦ ଜଣଙ୍କୁ ଅଟକ ରଖି ପଚରାଉଚୁରା ଚଳାଇଥିଲା।
ରବିବାର ରାତିରେ ଦୀପାବଳି ଉତ୍ସବ ସମୟରେ କଟକ ନୟାସଡ଼କ ଅଞ୍ଚଳରେ ନିର୍ଦ୍ଧାରିତ ସମୟସୀମା ପରେ ମଧ୍ୟ ବାଣ ଫୁଟାଯାଉଥିଲା। ୨୦୨୨ ବ୍ୟାଚର ଆଇପିଏସ୍ ଅଫିସର ତଥା କମିଶନରେଟ୍ ପୋଲିସର ଏସିପି ଅନନ୍ୟା ଅବସ୍ଥୀ ଘଟଣାସ୍ଥଳରେ ପହଞ୍ଚି ନିୟମ କାର୍ଯ୍ୟକାରୀ କରିବାକୁ ଚେଷ୍ଟା କରିଥିଲେ। ସେ ସ୍ଥାନୀୟ ଲୋକଙ୍କୁ ବାଣ ଫୁଟାଇବା ବନ୍ଦ କରିବାକୁ କହିବାରୁ କିଛି ଉତ୍ତ୍ୟକ୍ତ ଲୋକ ତାଙ୍କ ସହ ବାକ୍ଯୁଦ୍ଧ କରିବା ସହ ଆଇନକୁ ନିଜ ହାତକୁ ନେଇ ଠେଲାପେଲା କରିଥିଲେ।
ସୂଚନାଯୋଗ୍ୟ ଯେ, ଆଇପିଏସ୍ ଅନନ୍ୟା ଅବସ୍ଥୀ ଚଳିତ ବର୍ଷ ମେ ମାସରେ ଓଡ଼ିଶାର ତତ୍କାଳୀନ ରାଜ୍ୟପାଳ ହରିବାବୁ କମ୍ଭମ୍ପାଟିଙ୍କ ପ୍ରଥମ ମହିଳା ଏଡିସି ଭାବେ ନିଯୁକ୍ତ ହୋଇ ଇତିହାସ ରଚିଥିଲେ। ପରବର୍ତ୍ତୀ ସମୟରେ ତାଙ୍କୁ ଭୁବନେଶ୍ୱର-କଟକ କମିଶନରେଟ୍ ପୋଲିସରେ ACP ଭାବେ ବଦଳି କରାଯାଇଥିଲା। ଘଟଣାରେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି।




