ବ୍ରହ୍ମପୁର: ସହରରେ ଏକ ଶିହରଣ ସୃଷ୍ଟି କଲା ଭଳି ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଯେଉଁ ବାପା ନିଜ ଝିଅମାନଙ୍କୁ ସୁରକ୍ଷା ଦେବା କଥା, ସେହି ବାପାଙ୍କ ନାଁରେ ଆସିଛି ଦୁଷ୍କର୍ମ ଓ ଅତି ନୃଶଂସ ନିର୍ଯାତନାର ସାଂଘାତିକ ଅଭିଯୋଗ। ନ୍ୟାୟ ପାଇଁ ଏବେ ଦୁଇ ଭଉଣୀ ଗୁହାରି କରୁଥିବା ବେଳେ, ନ୍ୟାୟ ନମିଳିଲେ ଆତ୍ମହତ୍ୟା କରିବେ ବୋଲି ଭିଡିଓ ଜରିଆରେ ଚେତାବନୀ ଦେବା ପରେ ପୂରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।

ସୂଚନା ଅନୁସାରେ, ବ୍ରହ୍ମପୁରରେ ତିନି ଜଣ ଝିଅଙ୍କୁ ସେମାନଙ୍କ ବାପା ଦୁଷ୍କର୍ମ କରିଥିବା ନେଇ କିଛି ମାସ ପୂର୍ବରୁ ଥାନାରେ ଏତଲା ହୋଇଥିଲା। ଅଭିଯୋଗ ଆଧାରରେ ପୁଲିସ ଅଭିଯୁକ୍ତ ବାପାଙ୍କୁ ଗିରଫ କରି ଜେଲ୍ ପଠାଇଥିଲା। ତେବେ ପରବର୍ତ୍ତୀ ସମୟରେ ଅଭିଯୁକ୍ତ ଜାମିନରେ ମୁକୁଳିବା ପରେ ପୁଣି ଥରେ ଦୁଇ ଭଉଣୀଙ୍କୁ ମାଡ଼ ମାରିବା ସହ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି। ଏହି ନିର୍ଯାତନା ସହି ନପାରି ବଡ଼ ଝିଅ ତିନି ତିନି ଥର ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି।

ବର୍ତ୍ତମାନ ସାନ ଝିଅ ବାଳାଶ୍ରମରେ ରହୁଥିବା ବେଳେ ଅନ୍ୟ ଦୁଇ ଭଉଣୀ ନିଜ ଘରେ ରହୁଛନ୍ତି। ଘରେ ରହୁଥିବା ଦୁଇ ଭଉଣୀ ନିଜ ସୁରକ୍ଷାକୁ ନେଇ ଗଭୀର ଚିନ୍ତିତ ଥିବା ପ୍ରକାଶ କରିଛନ୍ତି। ଯଦି ଆଗାମୀ ଦିନରେ ସେମାନଙ୍କର କିଛି ଅଘଟଣ ଘଟେ, ତେବେ ଏଥିପାଇଁ ସ୍ଥାନୀୟ ପୁଲିସ ଓ ସମ୍ପୃକ୍ତ ଓକିଲ ଦାୟୀ ରହିବେ ବୋଲି ଏକ ଭିଡିଓ ଜାରି କରି ଦୁଇ ଭଉଣୀ କହିଛନ୍ତି।

ଏହି ସମ୍ବେଦନଶୀଳ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବା ପରେ ଘଟଣାକୁ ନେଇ ସ୍ପଷ୍ଟୀକରଣ ରଖିଛି ବ୍ରହ୍ମପୁର ପୁଲିସ। ବ୍ରହ୍ମପୁର ଏସ୍‌ପିଙ୍କ ସୂଚନା ଅନୁସାରେ, ପ୍ରଥମ ଅଭିଯୋଗ ଆଧାରରେ ଅଭିଯୁକ୍ତ ବାପାଙ୍କୁ ପୂର୍ବରୁ ଗିରଫ କରାଯାଇଥିଲା। ଏହା ସହ ନିକଟରେ ହୋଇଥିବା ଦ୍ୱିତୀୟ ଅଭିଯୋଗ ଆଧାରରେ ତିନି ଜଣଙ୍କୁ ଭାରତୀୟ ନ୍ୟାୟ ସଂହିତା (BNS) ର ଧାରା ୩୫(୩) ଅନୁଯାୟୀ ନୋଟିସ୍ ଜାରି କରାଯାଇଛି।

ଘଟଣାର ନିରପେକ୍ଷ ତଦନ୍ତ ଜାରି ରହିଥିବା ବେଳେ ଦୁଇ ଝିଅଙ୍କ ସୁରକ୍ଷା, ଆବଶ୍ୟକୀୟ ପରାମର୍ଶ ଏବଂ ଆଇନଗତ ସହାୟତା ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ସମସ୍ତ ପଦକ୍ଷେପ ନିଆଯାଉଥିବା ଏସ୍‌ପି ଆଶ୍ୱାସନା ଦେଇଛନ୍ତି।