ନୂଆଦିଲ୍ଲୀ: କଂଗ୍ରେସ ସଂସଦୀୟ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସଦ୍ୟ ପ୍ରକାଶିତ ଆତ୍ମଜୀବନୀ ‘ବିଲଙ୍ଗିଙ୍ଗ: ଏ ଜର୍ଣ୍ଣି ଅଫ୍ ଲଭ୍’ କାଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ତାଙ୍କର ସମ୍ପର୍କକୁ ନେଇ ହୋଇଥିବା ବିସ୍ଫୋରକ ଖୁଲାସା ଦେଶର ରାଜନୈତିକ ମହଲରେ ପ୍ରବଳ ଚାଞ୍ଚଲ୍ୟ ସୃଷ୍ଟି କରିଛି। ୫୪୪ ପୃଷ୍ଠାର ଏହି ପୁସ୍ତକ ହାର୍ପରକୋଲିନ୍ସ ଇଣ୍ଡିଆ ପକ୍ଷରୁ ମଙ୍ଗଳବାର ପ୍ରକାଶ ପାଇଛି।
ପୁସ୍ତକରେ ସୋନିଆ ଗାନ୍ଧୀ ଲେଖିଛନ୍ତି ଯେ, ନରେନ୍ଦ୍ର ମୋଦୀ ୧୨ ବର୍ଷରୁ ଅଧିକ ସମୟ ଧରି ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ ମଧ୍ୟ ଏବଂ ତାଙ୍କର ତୃତୀୟ କାର୍ଯ୍ୟକାଳ ଚାଲିଥିବା ସତ୍ତ୍ୱେ ତାଙ୍କ ସହ କୌଣସି “ବାସ୍ତବ ସମ୍ପର୍କ” ନାହିଁ। ବିଭିନ୍ନ ସରକାରୀ ଏବଂ ଅର୍ଦ୍ଧ-ସରକାରୀ କାର୍ଯ୍ୟକ୍ରମ କିମ୍ବା ସଂସଦ ଅଧିବେଶନ ଶେଷରେ ଯେତେବେଳେ ସେମାନେ ସାମ୍ନାସାମ୍ନି ହୁଅନ୍ତି, କେବଳ ଏକ ଆନୁଷ୍ଠାନିକ ‘ନମସ୍କାର’ ସମ୍ଭାଷଣ ହୋଇଥାଏ। ତେବେ ପୂର୍ବରୁ ବିଭିନ୍ନ ରାଜନୈତିକ ଦଳର ନେତାଙ୍କ ମଧ୍ୟରେ ଥିବା ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ଏଠାରେ ଅନୁପସ୍ଥିତ, କାରଣ ପ୍ରଧାନମନ୍ତ୍ରୀ ମୋଦୀ “ଦୃଷ୍ଟି ଏଡ଼ାଇବାକୁ ଚେଷ୍ଟା କରନ୍ତି” ବୋଲି ସୋନିଆ ଲେଖିଛନ୍ତି।
ଜବାହରଲାଲ ନେହେରୁଙ୍କ ପ୍ରତି ସରକାରୀ ଓ ରାଜନୈତିକ ସ୍ତରରେ ବ୍ୟବହୃତ ହେଉଥିବା ଭାଷାକୁ ନେଇ ମଧ୍ୟ ସୋନିଆ ନିଜ ପୁସ୍ତକରେ ତୀବ୍ର ଆପତ୍ତି ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ଆରଏସଏସ ର ଚିନ୍ତାଧାରା ଓ ସଂସ୍କାର ଯୋଗୁଁ ହିଁ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀଙ୍କ ପ୍ରତି ଏପରି ମନୋଭାବ ପୋଷଣ କରାଯାଉଛି। ଦୁହିଁଙ୍କ କାର୍ଯ୍ୟଶୈଳୀ ଓ ଚିନ୍ତାଧାରାର ପାର୍ଥକ୍ୟ ଦର୍ଶାଇ ସୋନିଆ ଲେଖିଛନ୍ତି ଯେ, ମୋଦୀ ତାଙ୍କର ଦୂରଦୃଷ୍ଟି ପାଇଁ ଲଢ଼ୁଛନ୍ତି, ଆଉ ମୁଁ ଏକ ଗଣତାନ୍ତ୍ରିକ, ଧର୍ମନିରପେକ୍ଷ ଏବଂ ସାମାଜିକ ନ୍ୟାୟଯୁକ୍ତ ଭାରତ ପାଇଁ ଲଢ଼ୁଛି।
ଆତ୍ମଜୀବନୀରେ ଗାନ୍ଧୀ କେବଳ ଅସନ୍ତୋଷ ନୁହେଁ, ବରଂ ନିଜର ଆରୋଗ୍ୟ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ପଚାରିଥିବା ସୌଜନ୍ୟମୂଳକ ପ୍ରଶ୍ନର ସ୍ମୃତିକୁ ମଧ୍ୟ ସ୍ଥାନ ଦେଇଛନ୍ତି। ମୋଦୀ ପଚାରିଥିଲେ “ଠିକ୍ ଅଛନ୍ତି ତ?”, ଯାହାର ଉତ୍ତରରେ ସୋନିଆ “ହଁ, ଧନ୍ୟବାଦ… ମୁଁ ଏବେ ଠିକ୍ ଅଛି” ବୋଲି କହିଥିଲେ।
ଏହି ପୁସ୍ତକ ପ୍ରକାଶ ପାଇବା ପରେ ବିଜେପି ପକ୍ଷରୁ କଡ଼ା ପ୍ରତିକ୍ରିୟା ପ୍ରକାଶ ପାଇଛି। ବିଜେପି ଏହାକୁ କଂଗ୍ରେସର “ଇତିହାସକୁ ଧୋଇ ସଫା କରିବାର ପ୍ରୟାସ” ବୋଲି ଅଭିଯୋଗ କରିଛି।




