ଗଞ୍ଜାମ: ଗଞ୍ଜାମ ଜିଲ୍ଲାର ଗିଡ଼ିପାବାଲି ଗାଁରେ ଭୟଙ୍କର ଭୂସ୍ଖଳନ ପରେ ଦୀର୍ଘ ୧୨ ଦିନ ଧରି ଚାଲିଥିବା ଉଦ୍ଧାର ଅଭିଯାନକୁ ଶେଷରେ ସ୍ଥଗିତ ରଖାଯାଇଛି। ଏହି ଦୁର୍ଘଟଣାରେ ମୋଟ ୧୩ ଜଣ ନିଖୋଜ ହୋଇଥିବା ବେଳେ ୭ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ଏବେ ବି ୬ ଜଣଙ୍କ କୌଣସି ସନ୍ଧାନ ମିଳିନାହିଁ।

ନିଖୋଜ ଥିବା ବ୍ୟକ୍ତିଙ୍କ ପରିବାର ସଦସ୍ୟମାନେ ଉଦ୍ଧାର କାର୍ଯ୍ୟ ବନ୍ଦ କରିବାକୁ ଜିଲ୍ଲା ପ୍ରଶାସନକୁ ଲିଖିତ ଅନୁରୋଧ କରିବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ମାଟି ଓ ବିରାଟକାୟ ପଥର ତଳେ ପରିବାର ସଦସ୍ୟଙ୍କ ସହ ଘରଦ୍ୱାର ମଧ୍ୟ ପୋତି ହୋଇଯାଇଛି। ପ୍ରାୟ ୩୦ ଫୁଟ୍‌ ଗଭୀର ଆବର୍ଜନା ଓ ପଥର ତଳୁ ମୃତଦେହ ଉଦ୍ଧାର କରିବା ଅତ୍ୟନ୍ତ କଷ୍ଟକର ବୋଲି ପରିବାରଗୁଡ଼ିକ ଆଶଙ୍କା ପ୍ରକାଶ କରିଛନ୍ତି।

ଅକ୍ଟୋବର ୨୮ ତାରିଖ ରାତିରେ ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ପ୍ରବଳ ବର୍ଷା ହେବାରୁ ଗଞ୍ଜାମ-କନ୍ଧମାଳ ସୀମାନ୍ତ ଗିଡ଼ିପାବାଲି ଗାଁ ନିକଟ ପାହାଡ଼ରେ ଭୂସ୍ଖଳନ ହୋଇଥିଲା। ରାତିରେ ଲୋକେ ଶୋଇଥିବା ବେଳେ ପାହାଡ଼ରୁ ମାଟି, ପଥର, ଗଛ ଓ ପାଣିର ବିଶାଳ ସ୍ରୋତ ମାଡ଼ିଆସି ଘରଗୁଡ଼ିକୁ ପୋତି ଦେଇଥିଲା। ଏହି ଘଟଣାରେ ଅନେକ ପରିବାର ଘରଦ୍ୱାର ହରାଇଥିଲେ।

ଉଦ୍ଧାର କାର୍ଯ୍ୟରେ NDRF, ODRAF, ଅଗ୍ନିଶମ ବିଭାଗ ଓ ଅନ୍ୟାନ୍ୟ ସଂସ୍ଥାର ଟିମ୍‌ ନିୟୋଜିତ ହୋଇଥିଲେ। ସନ୍ଧାନୀ କୁକୁର, ଜୀବନ ଚିହ୍ନଟ ଉପକରଣ, ରାଡାର ଏବଂ ନିୟନ୍ତ୍ରିତ ବିସ୍ଫୋରଣ ମାଧ୍ୟମରେ ମାଟି ଓ ପଥର ହଟାଇବାକୁ ଉଦ୍ୟମ ହୋଇଥିଲା। କିନ୍ତୁ ବିରାଟକାୟ ପଥର, ଦୁର୍ଗମ ଭୌଗୋଳିକ ସ୍ଥିତି ଓ ରାସ୍ତା ସମସ୍ୟା ଯୋଗୁଁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥିଲା।

ଅନ୍ୟପଟେ, ଅଧିକ ଗଭୀରରେ ମାଟି ଓ ପଥର ଜମା ହୋଇଥିବାରୁ ଆଗକୁ ବିସ୍ଫୋରଣ କରି ଖନନ କରିବା ଦ୍ୱାରା ପୁଣି ଭୂସ୍ଖଳନ ହେବାର ଆଶଙ୍କା ରହିଛି। ଏହା ଉଦ୍ଧାରକାରୀଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିପାରେ ବୋଲି ବିଶେଷଜ୍ଞମାନେ ମତ ଦେଇଥିଲେ।

ଉଦ୍ଧାର କାର୍ଯ୍ୟ ସ୍ଥଗିତ ହେବା ପରେ ଏବେ ପ୍ରଭାବିତ ପରିବାରଗୁଡ଼ିକର ଥଇଥାନ ପ୍ରସଙ୍ଗ ଗୁରୁତ୍ୱ ପାଇଛି। ଅସ୍ଥାୟୀ ଆଶ୍ରୟସ୍ଥଳରେ ଦୀର୍ଘଦିନ ରହିବା ସମ୍ଭବ ନୁହେଁ ବୋଲି ପରିବାରଗୁଡ଼ିକ କହିଛନ୍ତି। ସେମାନଙ୍କୁ ଅନ୍ୟ ସ୍ଥାନରେ ଜମି ଯୋଗାଇବା ସହ ଘର ନିର୍ମାଣ ପାଇଁ ସରକାରୀ ସହାୟତା ଦେବାକୁ ଦାବି ହୋଇଛି।