ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ୨୦୨୭ ବିଧାନସଭା ନିର୍ବାଚନକୁ ନେଇ ବିଜେପି ଏବେଠାରୁ ପ୍ରସ୍ତୁତି ଜୋରଦାର କରିଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱରେ ଦଳ ୨୦୯ ଜଣ ସମ୍ଭାବ୍ୟ ପ୍ରାର୍ଥୀଙ୍କ ନାମ ଚୂଡ଼ାନ୍ତ କରି ଅନୁମୋଦନ ପାଇଁ ଦିଲ୍ଲୀରେ ଥିବା କେନ୍ଦ୍ରୀୟ ନେତୃତ୍ୱଙ୍କ ନିକଟକୁ ପଠାଇଛି। ତେବେ ଏହି ତାଲିକା ଏପର୍ଯ୍ୟନ୍ତ ଦଳର ଆନୁଷ୍ଠାନିକ ପ୍ରାର୍ଥୀ ତାଲିକା ନୁହେଁ।
ଉତ୍ତରପ୍ରଦେଶରେ ମୋଟ ୪୦୩ଟି ବିଧାନସଭା ଆସନ ରହିଛି। ଆଗୁଆ ପ୍ରାର୍ଥୀ ଚୟନ କରି ନିର୍ବାଚନମଣ୍ଡଳୀରେ ଜନସମ୍ପର୍କ ବଢ଼ାଇବା ଏବଂ ସାଂଗଠନିକ କାର୍ଯ୍ୟକୁ ସୁଦୃଢ଼ କରିବା ଦଳର ଉଦ୍ଦେଶ୍ୟ। ଏହି ୨୦୯ ଜଣଙ୍କ ନାମକୁ ବିଜେପିର ‘A’ ବର୍ଗରେ ରଖାଯାଇଥିବା ରିପୋର୍ଟ ପ୍ରକାଶ ପାଇଛି।
କେଉଁ ଆଧାରରେ ହୋଇଛି ପ୍ରାର୍ଥୀ ଚୟନ?
ବିଭିନ୍ନ ନିର୍ବାଚନମଣ୍ଡଳୀରୁ ମିଳିଥିବା ଫିଡ୍ବ୍ୟାକ୍, ଆଭ୍ୟନ୍ତରୀଣ ସର୍ଭେ, ସ୍ଥାନୀୟ ନେତାଙ୍କ ମତାମତ ଏବଂ ଜାତିଗତ ସମୀକରଣକୁ ଆଧାର କରି ତାଲିକା ପ୍ରସ୍ତୁତ ହୋଇଥିବା କୁହାଯାଉଛି। ବର୍ତ୍ତମାନର ବିଧାୟକଙ୍କ ବିରୋଧରେ ଜନଅସନ୍ତୋଷ, ସମ୍ଭାବ୍ୟ ନୂଆ ପ୍ରାର୍ଥୀଙ୍କ ଲୋକପ୍ରିୟତା ଏବଂ ସ୍ଥାନୀୟ ସଂଗଠନର ସମର୍ଥନକୁ ମଧ୍ୟ ବିଚାରକୁ ନିଆଯାଇଛି।
ଦଳର ରାଜ୍ୟ ପ୍ରଭାରୀ ବିନୋଦ ତାୱଡେଙ୍କ ଟିମ୍ ମଧ୍ୟ ବିଭିନ୍ନ ଅଞ୍ଚଳରେ ସର୍ଭେ କରୁଥିବା ରିପୋର୍ଟରେ କୁହାଯାଇଛି। ୨୦୨୪ ଲୋକସଭା ନିର୍ବାଚନରେ ଆଶାନୁରୂପ ସଫଳତା ନମିଳିବା ପରେ ପ୍ରାର୍ଥୀ ଚୟନ ଓ ରାଜ୍ୟ-କେନ୍ଦ୍ର ନେତୃତ୍ୱ ମଧ୍ୟରେ ସମନ୍ୱୟ ଉପରେ ଦଳ ଅଧିକ ଗୁରୁତ୍ୱ ଦେଉଛି।
୧୦୦ରୁ ଅଧିକ ବିଧାୟକଙ୍କ ଟିକେଟ୍ କଟିବା ସମ୍ଭାବନା
ଏଥର ବିଜେପି ଅନେକ ବର୍ତ୍ତମାନର ବିଧାୟକଙ୍କୁ ଟିକେଟ୍ ନଦେଇ ନୂଆ ମୁହଁଙ୍କୁ ସୁଯୋଗ ଦେଇପାରେ ବୋଲି ଚର୍ଚ୍ଚା ହେଉଛି। ଗତ ନିର୍ବାଚନରେ ଦଳ ପ୍ରାୟ ୭୦ ଜଣ ବିଧାୟକଙ୍କ ଟିକେଟ୍ କାଟିଥିଲା। ଏଥର ଏହି ସଂଖ୍ୟା ୧୦୦ ଅତିକ୍ରମ କରିପାରେ ବୋଲି କେତେକ ରିପୋର୍ଟରେ ଦାବି କରାଯାଇଛି। ତେବେ ଏନେଇ ଦଳ ପକ୍ଷରୁ କୌଣସି ଆନୁଷ୍ଠାନିକ ଘୋଷଣା ହୋଇନାହିଁ।
ଦିଲ୍ଲୀରେ ଚୂଡ଼ାନ୍ତ ନିଷ୍ପତ୍ତି
ବିଜେପିରେ ବିଧାନସଭା ପ୍ରାର୍ଥୀଙ୍କ ନାମ ଉପରେ ଶେଷ ମୋହର କେନ୍ଦ୍ରୀୟ ନିର୍ବାଚନ କମିଟି ଲଗାଇଥାଏ। ତେଣୁ ଯୋଗୀ ଆଦିତ୍ୟନାଥଙ୍କ ପକ୍ଷରୁ ପଠାଯାଇଥିବା ୨୦୯ ଜଣଙ୍କ ତାଲିକା ଉପରେ ଦଳର ଶୀର୍ଷ ନେତୃତ୍ୱ ଆଲୋଚନା ଓ ସମୀକ୍ଷା କରିବ। ଅନୁମୋଦନ ମିଳିବା ପରେ ହିଁ ସମ୍ଭାବ୍ୟ ପ୍ରାର୍ଥୀଙ୍କ ନିର୍ବାଚନୀ ପ୍ରସ୍ତୁତି ଆନୁଷ୍ଠାନିକ ଭାବେ ଆଗକୁ ବଢ଼ିବ।




