ପୁରୀ: ପବିତ୍ର କାର୍ତ୍ତିକ ମାସର ଶେଷ ତଥା ଅତି ମହାତ୍ମ୍ୟପୂର୍ଣ୍ଣ ପାଞ୍ଚ ଦିନ ‘ପଞ୍ଚୁକ ବ୍ରତ’ ଆସନ୍ତା ନଭେମ୍ବର ୨୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଏହି ପବିତ୍ର ଅବସରରେ ଶ୍ରୀମନ୍ଦିରରେ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ଶ୍ରଦ୍ଧାଳୁମାନେ ଯେପରି ଶୃଙ୍ଖଳିତ ଓ ସୁରକ୍ଷିତ ଭାବେ ମହାପ୍ରଭୁଙ୍କ ଦୁର୍ଲଭ ବେଶ ଦର୍ଶନ କରିପାରିବେ, ସେଥିପାଇଁ ବଡ଼ଦାଣ୍ଡରେ ଆଜିଠାରୁ ବାରିକେଡ୍ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି।
ସୂଚନା ଅନୁଯାୟୀ, କାର୍ତ୍ତିକ ମାସର ଏହି ଶେଷ ୫ ଦିନରେ ଶ୍ରୀମନ୍ଦିରରେ ଆଧ୍ୟାତ୍ମିକ ପରିବେଶ ଆହୁରି ମହିମାମଣ୍ଡିତ ହୋଇଉଠେ। ଶ୍ରୀଜିଉମାନଙ୍କର ବିଭିନ୍ନ ଦୁର୍ଲଭ ତଥା ମନୋରମ ବେଶ ଦର୍ଶନ କରିବା ପାଇଁ ରାଜ୍ୟ ଓ ରାଜ୍ୟ ବାହାରୁ ହଜାର ହଜାର ହବିଷ୍ୟାଳୀ ଏବଂ ଭକ୍ତ ପୁରୀକୁ ଆସିଥାନ୍ତି। ପ୍ରବଳ ଭିଡ଼କୁ ନିୟନ୍ତ୍ରଣ କରିବା ଏବଂ ଧାଡ଼ି ଦର୍ଶନ ବ୍ୟବସ୍ଥାକୁ ସୁଗମ କରିବା ପାଇଁ ଏହି ବାରିକେଡ୍ ନିର୍ମାଣ କରାଯାଉଛି। ଏହି ବାରିକେଡ୍ ଶ୍ରୀମନ୍ଦିର ସିଂହଦ୍ୱାର ନିକଟରୁ ବଡ଼ଦାଣ୍ଡର ମାର୍କେଟ ଛକ ପର୍ଯ୍ୟନ୍ତ ସମ୍ପ୍ରସାରିତ କରାଯିବ।
ପଞ୍ଚୁକର ପ୍ରଥମ ଦିନ, ଅର୍ଥାତ୍ ନଭେମ୍ବର ୨୧ ତାରିଖରେ ଶ୍ରୀମନ୍ଦିରରେ ପବିତ୍ର ‘ହରିଉଥାପନ ଏକାଦଶୀ’ ନୀତି ପାଳିତ ହେବ। ଏହି ଦିନରୁ ହିଁ ଶ୍ରୀଜିଉମାନଙ୍କର ସ୍ୱତନ୍ତ୍ର ପଞ୍ଚୁକ ବେଶ ଦର୍ଶନ ଆରମ୍ଭ ହେବ।
ତେବେ ପଞ୍ଚୁକର ମୁଖ୍ୟ ଆକର୍ଷଣ ରହିବ ନଭେମ୍ବର ୨୪ ତାରିଖ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ। ଏହି ଦିନ ରତ୍ନସିଂହାସନ ଉପରେ ଚତୁର୍ଦ୍ଧାମୂର୍ତ୍ତିଙ୍କର ଅତି ଆକର୍ଷଣୀୟ ‘ରାଜରାଜେଶ୍ୱର ବେଶ’ ବା ‘ସୁନାବେଶ’ ଅନୁଷ୍ଠିତ ହେବ। ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରା ସୁବର୍ଣ୍ଣ ଅଳଙ୍କାରରେ ବିଭୂଷିତ ହୋଇ ଭକ୍ତଙ୍କୁ ଦର୍ଶନ ଦେବେ। ପ୍ରଶାସନ ପକ୍ଷରୁ ଶ୍ରଦ୍ଧାଳୁଙ୍କ ପାଇଁ ଛାୟା, ପାନୀୟ ଜଳ ଏବଂ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଉଛି।




