ଗୁହାଟୀ: ଆସାମର ଗୁହାଟୀ ଉପକଣ୍ଠ ଦିଗାରୁ ରେଳଷ୍ଟେସନ ନିକଟରେ ଏକ ବଡ଼ଧରଣର ଦୁର୍ଘଟଣା ଘଟିଛି। କୋଲକାତାରୁ ମିଜୋରମର ସୈରାଙ୍ଗ ଅଭିମୁଖେ ଯାଉଥିବା ‘କୋଲକାତା-ସୈରାଙ୍ଗ ଏକ୍ସପ୍ରେସ୍’ (Train No. 13125) ର ଇଞ୍ଜିନ୍ ଏବଂ ୫ଟି କୋଚ୍ ଲାଇନଚ୍ୟୁତ ହୋଇଯାଇଛି।

ରେଳ ବିଭାଗର ସୂଚନା ଅନୁଯାୟୀ, ବୁଧବାର ସକାଳ ପ୍ରାୟ ୬:୫୪ ମିନିଟ୍ ସମୟରେ ଏହି ଘଟଣା ଘଟିଛି। ଅନ୍ୟ ଏକ ଟ୍ରେନ୍‌କୁ ଯିବା ପାଇଁ ବାଟ ଛାଡ଼ିବା ବେଳେ ଟ୍ରେନ୍‌ଟି ଦିଗାରୁ ଷ୍ଟେସନରେ ପ୍ରବେଶ କରୁଥିବା ସମୟରେ ଲୋକୋ ପାଇଲଟ୍ ଗତି ନିୟନ୍ତ୍ରଣ କରିପାରି ନଥିଲେ, ଯାହାଫଳରେ ଏହି ଦୁର୍ଘଟଣା ଘଟିଥିଲା।

ଉତ୍ତର-ପୂର୍ବ ସୀମାନ୍ତ ରେଳବାଇ (NFR) ର ମୁଖ୍ୟ ଜନସଂପର୍କ ଅଧିକାରୀ (CPRO) କପିଞ୍ଜଳ କିଶୋର ଶର୍ମା ସ୍ପଷ୍ଟ କରିଛନ୍ତି ଯେ ଏହି ଦୁର୍ଘଟଣାରେ କୌଣସି ଜୀବନହାନି ହୋଇନାହିଁ ଏବଂ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ମାତ୍ର ୪ ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଥିବା ବେଳେ ସେମାନଙ୍କୁ ସୋନାପୁର ଡାକ୍ତରଖାନାରେ ଚିକିତ୍ସା କରାଯାଇଛି।

ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିବା ସହ ଉତ୍ତର-ପୂର୍ବ ସୀମାନ୍ତ ରେଳବାଇର ମହାପ୍ରବନ୍ଧକ ଏବଂ ଅନ୍ୟବିଶିଷ୍ଟ ବରିଷ୍ଠ ଅଧିକାରୀମାନେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି। ଫସି ରହିଥିବା ଯାତ୍ରୀମାନଙ୍କୁ ଏକ ସ୍ୱତନ୍ତ୍ର ବିକଳ୍ପ ଟ୍ରେନ୍ ଯୋଗେ ନିଜ ନିଜ ଗନ୍ତବ୍ୟସ୍ଥଳକୁ ପଠାଯାଇଛି। ତେବେ ଏହି ଦୁର୍ଘଟଣା ଯୋଗୁଁ ସେହି ମାର୍ଗରେ କିଛି ଟ୍ରେନ୍ ଚଳାଚଳ ପ୍ରଭାବିତ ହୋଇଛି।