ଚେନ୍ନାଇ: ଆସନ୍ତା ନଭେମ୍ବର ୧୩ ତାରିଖ ସୁଦ୍ଧା ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ନୂତନ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଚେନ୍ନାଇସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର (RMC) ର ସୂଚନା ଅନୁଯାୟୀ, ଏହି ସମ୍ଭାବ୍ୟ ସିଷ୍ଟମ୍ କ୍ରମଶଃ ଉତ୍ତର-ପଶ୍ଚିମ ଦିଗରେ ଗତି କରି ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଅଧିକ ଘନୀଭୂତ ହୋଇ ଅବପାତର ରୂପ ନେଇପାରେ।
ତେବେ ଏହି ସିଷ୍ଟମର ସଠିକ୍ ସ୍ଥଳଭାଗ ଛୁଇଁବା କିମ୍ବା ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକ ଉପରେ ଏହାର ପ୍ରଭାବ କିପରି ରହିବ, ସେନେଇ ବର୍ତ୍ତମାନ ସୁଦ୍ଧା କୌଣସି ସ୍ପଷ୍ଟ ଆକଳନ କରାଯାଇ ନାହିଁ। ପାଣିପାଗ ବିଭାଗ ଏହାକୁ ଏକ ସମ୍ଭାବନା ଭାବେ ଆକଳନ କରିଥିବା ବେଳେ ବର୍ତ୍ତମାନ କୌଣସି ବାତ୍ୟା ଘୋଷଣା କରାଯାଇ ନାହିଁ।
ବର୍ତ୍ତମାନର ପାଣିପାଗ ସ୍ଥିତିକୁ ଦୃଷ୍ଟିରେ ରଖି ଦକ୍ଷିଣ ତାମିଲନାଡ଼ର ଚାରୋଟି ପ୍ରମୁଖ ଜିଲ୍ଲା ଶିବଗଙ୍ଗା, ରାମନାଥପୁରମ, ତୂତୁକୁଡ଼ି ଏବଂ ତିରୁନେଲଭେଲିରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହାସହ କାବେରୀ ଡେଲଟା ଅଞ୍ଚଳ ସମେତ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ମଧ୍ୟମଧରଣର ବର୍ଷା ଜାରି ରହିବ।
ତାଞ୍ଜାଭୁର, ତିରୁଭାରୁର, ମାୟିଲାଡୁଥୁରାଇ, ନାଗାପଟ୍ଟନମ ଏବଂ ପୁଡୁକୋଟ୍ଟାଇ ଜିଲ୍ଲାରେ ମଧ୍ୟମଧରଣର ବର୍ଷା ପୂର୍ବାନୁମାନ କରାଯାଇଛି। ସେହିପରି ଦିଣ୍ଡିଗୁଲ, ମଦୁରାଇ, ବିରୁଦନଗର, ତେଙ୍କାସି ଏବଂ କନ୍ୟାକୁମାରୀ ଜିଲ୍ଲାରେ ମଧ୍ୟ ଦିନସାରା ବର୍ଷା ହେବାର ସମ୍ଭାବନା ରହିଛି।
ଅନ୍ୟପଟେ ରାଜଧାନୀ ଚେନ୍ନାଇରେ ଆକାଶ ମେଘାଚ୍ଛନ୍ନ ରହିବା ସହ ସହରର କେତେକାଂଶ ଓ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। ଦକ୍ଷିଣର ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ଆଶଙ୍କା ରହିଥିବା ବେଳେ ଚେନ୍ନାଇର ପାଣିପାଗ ଆଶ୍ୱସ୍ତିଜନକ ରହିଛି। ପ୍ରଶାସନ ପକ୍ଷରୁ ସ୍ଥିତି ଉପରେ କଡ଼ା ନଜର ରଖାଯାଇଛି।




