ଲାହୋର: ପାକିସ୍ତାନର ଲାହୋର ସହରରେ ବାୟୁ ପ୍ରଦୂଷଣ ଗମ୍ଭୀର ରୂପ ନେଇଛି। ଏହାକୁ ନେଇ ପାକିସ୍ତାନର ପଞ୍ଜାବ ପ୍ରଦେଶ ସରକାର ଭାରତ ଉପରେ ଦୋଷ ଲଦିଛନ୍ତି। ଭାରତରେ ଦୀପାବଳି ଅବସରରେ ଫୁଟାଯାଇଥିବା ବାଣ ଓ ପଞ୍ଜାବରେ ନଡ଼ାପୋଡ଼ା ଯୋଗୁଁ ସୃଷ୍ଟି ହୋଇଥିବା ଧୂଆଁ ସୀମା ଅତିକ୍ରମ କରି ଲାହୋରରେ ପହଞ୍ଚିଥିବା ଅଭିଯୋଗ କରିଛନ୍ତି ପଞ୍ଜାବର ପରିବେଶ ସୁରକ୍ଷା ମନ୍ତ୍ରୀ ମରିୟମ ଔରଙ୍ଗଜେବ।

ସ୍ୱିଜରଲ୍ୟାଣ୍ଡର ବାୟୁ ଗୁଣବତ୍ତା ନିରୀକ୍ଷଣ ସଂସ୍ଥା IQAirର ତଥ୍ୟ ଅନୁସାରେ, ନଭେମ୍ବର ୧୦ ତାରିଖରେ ଲାହୋର କ୍ରମାଗତ ଦ୍ୱିତୀୟ ଦିନ ପାଇଁ ବିଶ୍ୱର ସବୁଠାରୁ ପ୍ରଦୂଷିତ ପ୍ରମୁଖ ସହର ଭାବେ ରହିଥିଲା। ସହରର ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ୨୬୩ ରେକର୍ଡ ହୋଇଥିବା ବେଳେ PM2.5ର ସ୍ତର ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO)ର ବାର୍ଷିକ ନିର୍ଦ୍ଦେଶିକା ସୀମାଠାରୁ ୩୭.୨ ଗୁଣ ଅଧିକ ଥିଲା।

ପଞ୍ଜାବର ମନ୍ତ୍ରୀ ମରିୟମ ଔରଙ୍ଗଜେବ କହିଥିଲେ ଯେ, ଦୀପାବଳି ପରେ ଭାରତରୁ ଆସିଥିବା ପ୍ରଦୂଷିତ ବାୟୁ ଲାହୋରର ବାୟୁ ଗୁଣବତ୍ତାକୁ ଅଧିକ ଖରାପ କରିଛି। ହାଲୁକା ପବନ ଯୋଗୁଁ ଭାରତ ପଟରୁ ଧୂଆଁ ଓ ପ୍ରଦୂଷକ କଣିକା ପାକିସ୍ତାନରେ ପ୍ରବେଶ କରିଥିବା ସେ ଦାବି କରିଥିଲେ। ପାଣିପାଗରେ ପରିବର୍ତ୍ତନ ଓ ପବନର ଦିଗ ବଦଳିଲେ ପ୍ରଦୂଷଣ କମିବ ବୋଲି ମଧ୍ୟ ସେ ଆଶା ପ୍ରକାଶ କରିଥିଲେ।

ତେବେ ଏହି ଦାବିକୁ ନେଇ ପାକିସ୍ତାନର ନିଜସ୍ୱ ବାୟୁ ଗୁଣବତ୍ତା ସଂସ୍ଥା Pakistan Air Quality Initiative (PAQI)ର ରିପୋର୍ଟ ଭିନ୍ନ ଚିତ୍ର ଦେଖାଇଛି। ରିପୋର୍ଟ ଅନୁସାରେ, ଅକ୍ଟୋବର ୧ରୁ ନଭେମ୍ବର ୯ ମଧ୍ୟରେ ପାକିସ୍ତାନର ପଞ୍ଜାବ ପ୍ରଦେଶରେ ଉପଗ୍ରହ ମାଧ୍ୟମରେ ୧୬,୭୧୪ଟି ସମ୍ଭାବ୍ୟ ଫସଲ ଅବଶେଷ ପୋଡ଼ା ଘଟଣା ଚିହ୍ନଟ ହୋଇଥିଲା। ଲାହୋରରେ ଏହି ସମୟରେ ହାରାହାରି PM2.5 ସ୍ତର ଘନମିଟର ପ୍ରତି ୧୨୬ ମାଇକ୍ରୋଗ୍ରାମ୍‌ ରହିଥିଲା, ଯାହା WHOର ନିର୍ଦ୍ଦେଶିକା ସୀମାଠାରୁ ପ୍ରାୟ ୮ ଗୁଣ ଅଧିକ।

ଦୀପାବଳିରେ ଭାରତରେ ଫୁଟାଯାଇଥିବା ବାଣ ଲାହୋରର ପ୍ରଦୂଷଣ ବୃଦ୍ଧିର କାରଣ କି ନୁହେଁ, PAQI ଏହାର ମଧ୍ୟ ଅଧ୍ୟୟନ କରିଥିଲା। ରିପୋର୍ଟରେ କୁହାଯାଇଛି ଯେ, ଉପଲବ୍ଧ ତଥ୍ୟ ଆଧାରରେ ଲାହୋରର ଖରାପ ବାୟୁ ଗୁଣବତ୍ତା ପାଇଁ ଭାରତର ଦୀପାବଳି ବାଣକୁ ଦାୟୀ କରିବା ସମର୍ଥିତ ହେଉନାହିଁ। ତେବେ ଫସଲ ଅବଶେଷ ପୋଡ଼ା, ପାଣିପାଗର ସ୍ଥିରତା ଓ ବାୟୁରେ ପ୍ରଦୂଷକ ଜମା ହେବା ଭଳି ଅନେକ କାରଣ ଏଥିରେ ଭୂମିକା ନେଇପାରେ ବୋଲି ରିପୋର୍ଟ ସତର୍କ କରିଛି।

ଏପଟେ ଲାହୋରରେ ଘନ କୁହୁଡ଼ି ଓ ପ୍ରଦୂଷଣ ଯୋଗୁଁ ପାକିସ୍ତାନ-ଶ୍ରୀଲଙ୍କା ମଧ୍ୟରେ ନଭେମ୍ବର ୧୭ରୁ ୨୧ ଯାଏଁ ଖେଳାଯିବାକୁ ଥିବା ଦ୍ୱିତୀୟ ଟେଷ୍ଟ୍‌ ମ୍ୟାଚ୍‌କୁ ରାୱଲପିଣ୍ଡିକୁ ସ୍ଥାନାନ୍ତର କରାଯାଇଛି। ଏହା ଲାହୋରର ପ୍ରଦୂଷଣ ସ୍ଥିତି କେତେ ଗମ୍ଭୀର ହୋଇଛି, ତାହା ସ୍ପଷ୍ଟ କରୁଛି।