ବରଗଡ଼: ବନ୍ୟପ୍ରାଣୀ ଅପରାଧ ବିରୋଧରେ ଏକ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଡେବ୍ରିଗଡ଼ ବନ୍ୟପ୍ରାଣୀ ଅଭୟାରଣ୍ୟ କର୍ତ୍ତୃପକ୍ଷ ଏବଂ ବରଗଡ଼ ଜିଲ୍ଲା ପୁଲିସର ମିଳିତ ଟିମ୍ ଦୁଇ ଜଣ କୁଖ୍ୟାତ ଶିକାରୀଙ୍କୁ ଗିରଫ କରିଛି। ଗତ ନଭେମ୍ବର ୧୦ ଏବଂ ୧୧ ତାରିଖରେ ହୋଇଥିବା ଏହି ମିଳିତ ଅପରେସନ ଫଳରେ ଅଭୟାରଣ୍ୟ ମଧ୍ୟରେ ଏକ କଲରାପତରିଆ ବାଘ ଶିକାର କରିବାର ବଡ଼ ଷଡ଼ଯନ୍ତ୍ର ପଣ୍ଡ ହୋଇଛି।
ବିଶେଷ ଗୁଇନ୍ଦା ସୂଚନା ଆଧାରରେ ବନ ବିଭାଗ ଏବଂ ପୁଲିସର ପ୍ରାୟ ୭୦ ଜଣ କର୍ମଚାରୀଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ୍ ଅଭୟାରଣ୍ୟ ସୀମାନ୍ତବର୍ତ୍ତୀ ୫ଟି ଗ୍ରାମରେ ବ୍ୟାପକ ଖାନତଲାସୀ ଓ ଚଢ଼ାଉ କରିଥିଲେ। ସ୍ଥାନୀୟ ଲୋକଙ୍କ ଭାବାବେଗକୁ ସମ୍ମାନ ଜଣାଇ ଏବଂ ପ୍ରତିଶୋଧମୂଳକ ଶିକାରକୁ ରୋକିବା ଉଦ୍ଦେଶ୍ୟରେ ସମ୍ପୃକ୍ତ ଗ୍ରାମଗୁଡ଼ିକର ନାମ ଗୋପନ ରଖାଯାଇଛି।
ଏହି ଚଢ଼ାଉ ସମୟରେ ଡେବ୍ରିଗଡ଼ ସୀମାନ୍ତ ବରଗଡ଼ ଜିଲ୍ଲାର ରାଉତପଡ଼ା ଗ୍ରାମର ଘନଶ୍ୟାମ ମିର୍ଦ୍ଧା (୪୦) ଏବଂ ସୁପ୍ରସାଦ ସୁଇ (୪୮) ନାମକ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ବନ୍ୟପ୍ରାଣୀ ଶିକାର ପାଇଁ ବ୍ୟବହୃତ ବିଭିନ୍ନ ଫାଶ, ୩ କିଲୋଗ୍ରାମ ବିଦ୍ୟୁତ୍ ହୁକିଂ ତାର, ୨ କିଲୋଗ୍ରାମ କେବୁଲ୍ ତାର ଏବଂ ଦୁଇ ବଣ୍ଡଲ ପଶୁ ଧରିବା ଜାଲ ଜବତ କରାଯାଇଛି। ଜଙ୍ଗଲୀ ଜନ୍ତୁଙ୍କୁ ବିଦ୍ୟୁତ୍ ଆଘାତ ଦେଇ କିମ୍ବା ଫାଶ ବସାଇ ନିର୍ବିଚାର ଭାବେ ଶିକାର କରିବା ପାଇଁ ଏହି ସାମଗ୍ରୀଗୁଡ଼ିକ ବ୍ୟବହୃତ ହେଉଥିଲା ବୋଲି ଅଧିକାରୀମାନେ କହିଛନ୍ତି।
ବନ ବିଭାଗ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଅଭିଯୁକ୍ତମାନେ ଅଭୟାରଣ୍ୟ ଭିତରେ କଲରାପତରିଆ ବାଘ ଶିକାର କରିବା ଉଦ୍ଦେଶ୍ୟରେ ଫାଶ ବିଛାଇଥିଲେ। ଡେବ୍ରିଗଡ଼ ଅଭୟାରଣ୍ୟର ଲଖନପୁର ରେଞ୍ଜ ଅଧିକାରୀଙ୍କ ଦ୍ୱାରା ସେମାନଙ୍କୁ ଗିରଫ କରାଯାଇ ନଭେମ୍ବର ୧୧ ତାରିଖରେ କୋର୍ଟ ଚାଲାଣ କରାଯାଇଛି।
ବନ୍ୟପ୍ରାଣୀ ଶିକାର ସମ୍ପର୍କରେ ନିର୍ଭରଯୋଗ୍ୟ ସୂଚନା ଦେବା ପାଇଁ ଦେବ୍ରିଗଡ଼ କର୍ତ୍ତୃପକ୍ଷଙ୍କ ପକ୍ଷରୁ ୧,୦୦୦ ଟଙ୍କାର ନଗଦ ପୁରସ୍କାର ରାଶି ଘୋଷଣା କରାଯାଇଛି। ଶିକାରୀମାନେ ପ୍ରାୟତଃ ଜଙ୍ଗଲ ନିକଟସ୍ଥ ଗ୍ରାମଗୁଡ଼ିକରେ ଅସ୍ତ୍ରଶସ୍ତ୍ର ଲୁଚାଇ ରଖୁଥିବାରୁ ସୀମାନ୍ତ ଅଞ୍ଚଳକୁ ସୁରକ୍ଷିତ ରଖିବା ପାଇଁ ମେଟାଲ୍ ଡିଟେକ୍ଟର ଏବଂ ଲାଇଭ୍-ୱାୟାର ଡିଟେକ୍ଟର ସାହାଯ୍ୟରେ ଯାଞ୍ଚ କରାଯାଉଛି। ବନ୍ୟଜନ୍ତୁଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଆଗକୁ ମଧ୍ୟ ଏପରି ଚଢ଼ାଉ ଓ ପାଟ୍ରୋଲିଂ ଜାରି ରହିବ ବୋଲି ବନ ବିଭାଗ ସ୍ପଷ୍ଟ କରିଛି।




