ୱାଶିଂଟନ୍: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାର ଦିନ ମେକ୍ସିକୋକୁ କଡ଼ା ଚେତାବନୀ ଦେଇ କହିଛନ୍ତି ଯେ ଯଦି ମେକ୍ସିକୋ ଆମେରିକା ଅଭିମୁଖେ ଆସୁଥିବା ପ୍ରବାସୀଙ୍କ ଦଳକୁ ନ ଅଟକାଏ, ତେବେ ମେକ୍ସିକୋ ଉପରେ ଲାଗୁଥିବା ବାଣିଜ୍ୟ ଶୁଳ୍କ ବା ଟାରିଫ୍ କୁ ତୁରନ୍ତ ଦୁଇଗୁଣା କରିଦିଆଯିବ। ସୀମାରେ ଅନୁପ୍ରବେଶ ରୋକିବା ପାଇଁ ଟ୍ରମ୍ପ ସିଧାସଳଖ ବାଣିଜ୍ୟିକ ଦଣ୍ଡବିଧାନକୁ ଅସ୍ତ୍ର ଭାବେ ବ୍ୟବହାର କରିବାକୁ ଧମକ ଦେଇଛନ୍ତି।
ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଟ୍ରୁଥ୍ ସୋସିଆଲ୍’ ରେ ଏକ ପୋଷ୍ଟ କରି ଟ୍ରମ୍ପ ଲେଖିଛନ୍ତି ଯେ ମେକ୍ସିକୋ ଦେଇ ବଡ଼ ବଡ଼ ପ୍ରବାସୀ ଦଳ ଗଠନ ହୋଇ ଆମେରିକା ଆଡ଼କୁ ମାଡ଼ି ଆସୁଛନ୍ତି। ସେ ସ୍ପଷ୍ଟ କରିଛନ୍ତି ଯେ ଏହି ପ୍ରବାସୀମାନଙ୍କୁ ଆମେରିକାରେ ପ୍ରବେଶ କରିବାକୁ ଦିଆଯିବ ନାହିଁ ଏବଂ ଏ ସମ୍ପର୍କରେ ମେକ୍ସିକୋ କର୍ତ୍ତୃପକ୍ଷ, ଟେକ୍ସାସ ଗଭର୍ଣ୍ଣର, ଆମେରିକୀୟ ସୀମା ସୁରକ୍ଷା ବଳ ଏବଂ ଇମିଗ୍ରେସନ୍ ଏଜେନ୍ସି କୁ ସୂଚିତ କରାଯାଇଛି। “ମେକ୍ସିକୋ ସେମାନଙ୍କୁ ତୁରନ୍ତ ଅଟକାଇବା ଉଚିତ, ନଚେତ୍ ମେକ୍ସିକୋ ଉପରେ ଟାରିଫ୍ ତୁରନ୍ତ ଦୁଇଗୁଣା ହେବ ଏବଂ ଏଥିରେ କୌଣସି କୋହଳ କରାଯିବ ନାହିଁ,” ବୋଲି ଟ୍ରମ୍ପ ଲେଖିଛନ୍ତି। ତେବେ କେଉଁ ସାମଗ୍ରୀ ଉପରେ ଏବଂ କେବେଠାରୁ ଏହି ବର୍ଦ୍ଧିତ ଶୁଳ୍କ ଲାଗୁ ହେବ, ସେନେଇ ସେ କୌଣସି ନିର୍ଦ୍ଦିଷ୍ଟ ସୂଚନା ଦେଇନାହାନ୍ତି।
ଅନ୍ୟପକ୍ଷରେ ମେକ୍ସିକୋ ରାଷ୍ଟ୍ରପତି କ୍ଲାଉଡିଆ ସେନବାମ ଟ୍ରମ୍ପଙ୍କ ଏହି ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛନ୍ତି। ମେକ୍ସିକୋର ଦୈନିକ ଖବରକାଗଜ ‘ଡିଆରିଓ ଡି ୟୁକାଟାନ୍’ ର ରିପୋର୍ଟ ଅନୁଯାୟୀ, ସେନବାମ କହିଛନ୍ତି ଯେ ଜାନୁଆରୀ ୨୦୨୫ରେ ଟ୍ରମ୍ପ ପୁନର୍ବାର କ୍ଷମତାକୁ ଆସିବା ପରଠାରୁ କୌଣସି ପ୍ରବାସୀ ଦଳ ଆମେରିକା ସୀମାରେ ପହଞ୍ଚି ନାହାନ୍ତି। ଦକ୍ଷିଣ ରାଜ୍ୟ ଚିଆପାସର ଆରିଆଗାରେ ଥିବା ପ୍ରବାସୀ ଦଳର ସଂଖ୍ୟା ୫୦୦-୬୦୦ ରୁ ହ୍ରାସ ପାଇ ୧୦୦ ରୁ କମ୍ ହୋଇଯାଇଛି। ପ୍ରଶାସନ ପକ୍ଷରୁ ସେମାନଙ୍କୁ ଆମେରିକାରେ ପ୍ରବେଶ କରିବାର କଠିନତା ସମ୍ପର୍କରେ ବୁଝାଯିବା ସହ ସ୍ୱଦେଶ ଫେରିବା କିମ୍ବା ସର୍ତ୍ତମୂଳକ ଭାବେ ମେକ୍ସିକୋରେ ରହିବାର ବିକଳ୍ପ ଦିଆଯାଉଛି। ହୋଣ୍ଡୁରାସରୁ ଆସୁଥିବା ଅନ୍ୟ ଏକ ଦଳକୁ ମଧ୍ୟ ମାନବୀୟ ସହାୟତା ଯୋଗାଇ ଦିଆଯାଉଥିବା ସେ କହିଛନ୍ତି।
ଟ୍ରମ୍ପ ଏହି ପ୍ରବାସୀ ସମସ୍ୟାକୁ ଆମେରିକାର ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ସହ ଯୋଡ଼ିଛନ୍ତି। ରିପବ୍ଲିକାନ୍ ଦଳର ପରାଜୟ ଯୋଗୁଁ ଦେଶ ଉପରେ ପୁଣି ଥରେ ପ୍ରବାସୀଙ୍କ ଆକ୍ରମଣ ଆରମ୍ଭ ହୋଇଥିବା ସେ ବିନା କୌଣସି ପ୍ରମାଣରେ ଦାବି କରିଛନ୍ତି। ‘ଫାଇନାନ୍ସିଆଲ୍ ଟାଇମ୍ସ’ ର ରିପୋର୍ଟ ଅନୁଯାୟୀ, ଆମେରିକା ଓ ମେକ୍ସିକୋ ମଧ୍ୟରେ ଷ୍ଟିଲ୍, ଆଲୁମିନିୟମ୍ ଏବଂ ଅଟୋମୋବାଇଲ୍ ଉପରୁ ଶୁଳ୍କ ହ୍ରାସ ନେଇ ଆଲୋଚନା ଚାଲିଥିବା ବେଳେ ଟ୍ରମ୍ପଙ୍କ ଏହି ଧମକ ଦ୍ୱିପାକ୍ଷିକ ସମ୍ପର୍କରେ ନୂଆ ଉତ୍ତେଜନା ସୃଷ୍ଟି କରିଛି।




