ଭୁବନେଶ୍ୱର: ଓଡ଼ିଶାରେ ଦୂରଗାମୀ ବସ୍ ଯାତ୍ରା କରିବାକୁ ଯୋଜନା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ଖବର। ରାଜ୍ୟ ସରକାର ବିଭିନ୍ନ ବର୍ଗର ଯାତ୍ରୀବାହୀ ବସ୍ଗୁଡ଼ିକର ଭଡ଼ା ସଂଶୋଧନ କରି ବୃଦ୍ଧି କରିଛନ୍ତି। ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତି ଅନୁଯାୟୀ, ଓଡ଼ିଶା ଗେଜେଟ୍ରେ ପ୍ରକାଶିତ ହେବା ଦିନଠାରୁ ଏହି ନୂତନ ବର୍ଦ୍ଧିତ ଦର ଲାଗୁ ହେବ। ତେବେ ସାଧାରଣ ସହରୀ ଯାତ୍ରୀଙ୍କୁ ଆଶ୍ୱସ୍ତି ଦେଇ ଟାଉନ୍ ବସ୍ ସେବାକୁ ଏହି ଭଡ଼ା ବୃଦ୍ଧିରୁ ବାଦ୍ ଦିଆଯାଇଛି।
ସରକାରୀ ବିଜ୍ଞପ୍ତି ଅନୁସାରେ, ରାଜ୍ୟରେ ଚଳାଚଳ କରୁଥିବା ସମସ୍ତ ଷ୍ଟେଜ୍ କ୍ୟାରେଜ୍ ବସ୍ଗୁଡ଼ିକ ପାଇଁ ପ୍ରତି କିଲୋମିଟର ପିଛା ସର୍ବାଧିକ ଯାତ୍ରୀ ଭଡ଼ା ନିର୍ଦ୍ଧାରଣ କରାଯାଇଛି। ନୂତନ ଦର ତାଲିକା ନିମ୍ନମତେ ରହିଛି:
- ସାଧାରଣ ବସ୍: ପ୍ରତି ଯାତ୍ରୀ କିଲୋମିଟର ପିଛା ସର୍ବାଧିକ ୧ ଟଙ୍କା ୧୮ ପଇସା ଧାର୍ଯ୍ୟ କରାଯାଇଛି (ପୂର୍ବରୁ ଏହା ୯୨ ପଇସା ଥିଲା)।
- ଏକ୍ସପ୍ରେସ୍ ବସ୍: କିଲୋମିଟର ପିଛା ୧ ଟଙ୍କା ୨୪ ପଇସା ଦେବାକୁ ପଡ଼ିବ (ପୂର୍ବରୁ ୯୬ ପଇସା ଥିଲା)।
- ସେମି-ଡିଲକ୍ସ ବସ୍: ଏହି ବର୍ଗ ପାଇଁ କିଲୋମିଟର ପିଛା ୧ ଟଙ୍କା ୩୦ ପଇସା ଭଡ଼ା ସ୍ଥିର ହୋଇଛି।
- ଡିଲକ୍ସ ବସ୍: ଯାତ୍ରୀମାନଙ୍କୁ କିଲୋମିଟର ପିଛା ୧ ଟଙ୍କା ୪୧ ପଇସା ଦେବାକୁ ପଡ଼ିବ।
- ଏସି ଡିଲକ୍ସ ବସ୍: ଏହାର ଭଡ଼ା କିଲୋମିଟର ପିଛା ୧ ଟଙ୍କା ୬୩ ପଇସାରୁ ବୃଦ୍ଧି ପାଇ ୧ ଟଙ୍କା ୯୯ ପଇସା ହୋଇଛି।
- ସୁପର ପ୍ରିମିୟମ ବସ୍: ଏହି ବର୍ଗର ବସ୍ଗୁଡ଼ିକ କିଲୋମିଟର ପିଛା ସର୍ବାଧିକ ୩ ଟଙ୍କା ୨୧ ପଇସା ପର୍ଯ୍ୟନ୍ତ ଭଡ଼ା ନେଇପାରିବେ।
- ସୁପର ପ୍ରିମିୟମ୍ ଫୁଲି ସ୍ଲିପର୍ ଏସି କୋଚ୍: ସବୁଠାରୁ ଅଧିକ ଭଡ଼ା ଏହି ବର୍ଗରେ ଲାଗୁ ହୋଇଛି। ଏଥିରେ ଯାତ୍ରା କରିବାକୁ ହେଲେ ଯାତ୍ରୀଙ୍କୁ ପ୍ରତି ବର୍ଥ କିଲୋମିଟର ପିଛା ୪ ଟଙ୍କା ୬୧ ପଇସା ଗଣିବାକୁ ପଡ଼ିବ।
ଡିଜେଲ୍ ଦର ସମେତ ବସ୍ ଚେସିସ୍, ବଡି ନିର୍ମାଣ, ଟାୟାର, ଲୁବ୍ରିକାଣ୍ଟ ଏବଂ ରକ୍ଷଣାବେକ୍ଷଣ ଖର୍ଚ୍ଚ ବୃଦ୍ଧି ଭଳି ୧୩ଟି ପ୍ରମୁଖ ମାପଦଣ୍ଡକୁ ଆଧାର କରି ସରକାର ଏହି ଭଡ଼ା ସଂଶୋଧନ କରିଛନ୍ତି। ଟାଉନ୍ ବସ୍ ବ୍ୟତୀତ ରାଜ୍ୟର ଅନ୍ୟ ସମସ୍ତ ଷ୍ଟେଜ୍ କ୍ୟାରେଜ୍ ବସ୍ କ୍ଷେତ୍ରରେ ଏହି ନିୟମ ଲାଗୁ ହେବ।ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ ଧାର୍ଯ୍ୟ କରାଯାଇଥିବା ଦର ହେଉଛି ସର୍ବାଧିକ ଅନୁମୋଦିତ ଭଡ଼ା, ଏବଂ କୌଣସି ବସ୍ ଅପରେଟର ଏହାଠାରୁ ଅଧିକ ଭଡ଼ା ଆଦାୟ କରିପାରିବେ ନାହିଁ।
ପ୍ରତ୍ୟେକ ବସ୍ ଭିତରେ ବସ୍ର ବର୍ଗ, କିଲୋମିଟର ପିଛା ଭଡ଼ା ତାଲିକା ଏବଂ ଯାତ୍ରୀଙ୍କ ପାଇଁ ଉପଲବ୍ଧ ରିହାତି ସମ୍ପର୍କିତ ସୂଚନା ପ୍ରଦର୍ଶନ କରିବା ବାଧ୍ୟତାମୂଳକ କରାଯାଇଛି। ଏହାର ସଠିକ୍ କାର୍ଯ୍ୟକାରିତା ତଦାରଖ କରିବା ପାଇଁ ରାଜ୍ୟ ପରିବହନ ପ୍ରାଧିକରଣ ଏବଂ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି।




